କିଟରେ ଭାରତୀୟ ଭାଷାରେ ବୈଷୟିକ ଓ ଉଚ୍ଚଶିକ୍ଷା ଉପରେ ପାଞ୍ଚ ଦିନିଆ ଜାତୀୟ ଇଏସି ବୈଠକ
ଭୁବନେଶ୍ୱର, ୧୮ ।୫: ଭାରତୀୟ ଭାଷାରେ ବୈଷୟିକ ଓ ଉଚ୍ଚଶିକ୍ଷାକୁ ସୁଦୃଢ କରିବା ଦିଗରେ କିଟ ବିଶ୍ୱବିଦ୍ୟାଳୟରେ ୫ଦିନିଆ ବିଶେଷଜ୍ଞ ପରାମଶର୍ଦାତା କମିଟି ବୈଠକ ଉଦ୍ଘାଟିତ ହୋଇଯାଇଛି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧୀନରେ ଥିବା ବୈଜ୍ଞାନିକ ଏବଂ ବୈଷୟିକ ଶବ୍ଦାବଳୀ (ସିଏସଟିଟି) ପକ୍ଷରୁ ଏହି ଜାତୀୟସ୍ତରର ବୈଠକ ଆୟୋଜନ କରାଯାଇଛି। ମେ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଚଳିବାକୁ ଥିବା ଏହି ବୈଠକ ଇଲେକ୍ଟ୍ରୋନିକ୍ସ ଓ ରାଜନୀତି ବିଜ୍ଞାନର ମୌଳିକ ଶବ୍ଦକୋଷକୁ ଇଂରାଜୀ, ହିନ୍ଦୀ, ଓ ଓଡ଼ିଆ ଭାଷାରେ ଅଧିକ ସରଳ, ସଠିକ୍ ଓ ପ୍ରୟୋଗଯୋଗ୍ୟ କରିବା ହେଉଛି ବୈଠକର ମୁଖ୍ୟ ଲକ୍ଷ୍ୟ। ଉଚ୍ଚ ଶିକ୍ଷା ଓ ବୈଷୟିକ ଶିକ୍ଷାରେ ମାତୃଭାଷାର ବ୍ୟବହାର ବଢ଼ାଇବା ସହ ଜାତୀୟ ଶିକ୍ଷା ନୀତି ୨୦୨୦କୁ ସଫଳ କରିବା ନେଇ ଏଠାରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ଇଲେକ୍ଟ୍ରୋନିକ୍ସ ବିଷୟର ପ୍ରାୟ ୨୮୩୩ଟି ଓ ରାଜନୀତି ବିଜ୍ଞାନର ପ୍ରାୟ ୪ ହଜାର ପ୍ରଯୁକ୍ତିଗତ ଶବ୍ଦ ପାଇଁ ମାନକ ଓଡ଼ିଆ ଶବ୍ଦାବଳୀ ପ୍ରସ୍ତୁତ କରାଯାଉଛି। ପ୍ରତିଦିନ ୭୦୦ ରୁ ୯୦୦ ପର୍ଯ୍ୟନ୍ତ ପ୍ରାଯୁକ୍ତିକ ଶବ୍ଦକୁ ଓଡ଼ିଆରେ ରୂପାନ୍ତର କରିବା ଲକ୍ଷ୍ୟ ରଖାଯାଇଛି। କିଟ, ଆଇଆଇଟି ଭୁବନେଶ୍ୱର, ଆଇଆଇଆଇଟି, କିସ ଓ ଓୟୁଟିଆର ସହ ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥାର ଭାଷା ବିଶେଷଜ୍ଞ, ଶିକ୍ଷାବିତ, ଗବେଷକ ଓ ବିଷୟ ବିଶେଷଜ୍ଞମାନେ ଏହି ବୈଠକରେ ଯୋଗଦେଇଛନ୍ତି। ଆଜିର ଏହାର ଉଦ୍ଘାଟନୀ ଅବସରରେ କିଟ ଉପସଭାପତି ଡ ଅଜୟ ପ୍ରଧାନ, କିଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂ ଓ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ମାତୃଭାଷାରେ ପ୍ରାଯୁକ୍ତିକ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। କିଟ ପ୍ରଫେସର ତଥା ସିଏସ ନିର୍ଦ୍ଦେଶକ ପ୍ରଫେସର ବେଣୁ ଗୋପାଳ ମହାପାତ୍ର ବୈଠକର ମୁଖ୍ୟ ସମନ୍ୱୟକାରୀ ଭାବେ ଯୋଗ ଦେଇଥିବା ବେଳେ କିଟ୍ ଇଲେକଟ୍ରୋନିକ୍ସ ବିଭାଗ ପ୍ରଫେସର ସୁଧାକର ସାହୁ ଓ ରାଜନୀତି ବିଜ୍ଞାନ ପାଇଁ ଡ଼ ରୁଦ୍ର ନାରାୟଣ ମହାନ୍ତି ସମନ୍ୱୟକାରୀ ଭାବେ କାର୍ଯ୍ୟ କରୁଛନ୍ତି । ଦିଲ୍ଲୀରୁ ସିଏସଟିଟିର ସହକାରୀ ନିର୍ଦ୍ଦେଶକ ଜେ ଏସ ରାୱତ ଓ ଡ ଏସ ଏ ଅନସାରି ଏହି କାର୍ମଶାଳାରେ ଯୋଗଦେଇ ଶବ୍ଦାବଳୀ ପ୍ରସ୍ତୁତି ଉପରେ ଆଲୋଚନା କରୁଥିବା ବେଳେ ନୂଆଦିଲ୍ଲୀସ୍ଥିତ ପ୍ରତିରକ୍ଷା ଉତ୍ପାଦନ ବିଭାଗ ସାଧାରଣ ଗୁଣବତ୍ତା ଆଶ୍ୱାସନା ନିର୍ଦ୍ଦେଶ (ଡି. ଜି. କ୍ୟୁ. ଏ.)ର ଡେପୁଟି ଡାଇରେକ୍ଟର ଦୀପକ କୁମାର ମିଶ୍ର ମଧ୍ୟ ଉଦଘାଟନୀ ଅଧିବେଶନରେ ଯୋଗଦେଇ ମତ ରଖିବା ସହିତ କିଟ୍ର ବ୍ୟବସ୍ଥାକୁ ପ୍ରଶଂସା କରି କିଟ କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇବା ସହ କିଟ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ।
Comments are closed, but trackbacks and pingbacks are open.