ଏଚ୍‌ଏସ୍‌ଆରପି ଲଗାଇବା ସମୟ ସୀମା ପୁଣି ଏକ ମାସ ବଢ଼ିଲା

19

ଭୁବନେଶ୍ୱର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ (ଏଚ୍‌ଏସ୍‌ଆରପି) ଅବଧି ପୁଣି ଥରେ ବଢ଼ାଇବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅନେକ ଗାଡ଼ିମାଲିକ ସେମାନଙ୍କର ଗାଡିରେ ନିର୍ଦ୍ଦାରିତ ସମୟ ମଧ୍ୟରେ ହାଇ ସିକ୍ୟୁରିଟି ନମ୍ବର ଲଗାଇ ପାରି ନ ଥିବାରୁ ସେମାନଙ୍କୁ ପରିବହନ ବିଭାଗ ଅଧିକ ସମୟ ଦେଇଛି । ପରିବହନ ବିଭାଗର ନିଷ୍ପତ୍ତି ଅନୁସାରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି ୨୦୨୩ ଫେବ୍ରୁଆରି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଯେଉଁ ଗାଡିର ନମ୍ବର ପ୍ଲେଟର ଶେଷ ଅଙ୍କ ୧, ୨, ୩ ଓ ୪ ଥିବ ସମ୍ପୃକ୍ତ ଗାଡି ଲାଗି ଆସନ୍ତା ନଭେମ୍ବର ୩୦ ପର୍ଯ୍ୟନ୍ତ ଶେଷ ତାରିଖ ଦିଆଯାଇଛି । ସେହିପରି ୫ ଓ ୬ ଥିଲେ ଡିସେମ୍ବର ୩୧, ୭ ଓ ୮ ଥିଲେ ୨୦୨୩ ଜାନୁଆରି ୩୧ ଏବଂ ୯ ଓ ଶୂନ୍ୟ ଥିଲେ ଫେବ୍ରୁଆରି ୨୮ ତାରିଖ ଯାଏଁ ସମୟ ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ ପରିବହନର ବିଭାଗର ପ୍ରଥମ ନିଷ୍ପତ୍ତି ଅନୁସାରେ ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଯାନବାହନରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏନେଇ ଗତ ଜୁନ୍ ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ଅନୁସାରେ ଯେଉଁ ବାହନର ପଞ୍ଜିକରଣ ନମ୍ବରର ଶେଷ ଅଙ୍କ ୧ ଅଥବା ୨ ହୋଇଥିବ, ସେଗୁଡ଼ିକର ହାଇ ସିକ୍ୟୁରିଟି ନମ୍ବର ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଲାଗିବା କଥା । କିନ୍ତୁ ଏହା ହୋଇ ନ ପାରିବାରୁ ସରକାର ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ । ମାତ୍ର ୨୦୨୨ ଅକ୍ଟୋବର ୩୧ ତାରିଖ ସୁଦ୍ଧା ନମ୍ବର ପ୍ଲେଟର ୧ ଓ ୨ ଅଙ୍କ ଥିବା ଯାନବାହନର ହାଇ ସିକ୍ୟୁରିଟି ନମ୍ବର ଲାଗି ନ ପାରିବାରୁ ଏବେ ସରକାର ପୁଣି ଥରେ ଏକ ମାସ ସମୟ ଦେଇଛନ୍ତି । ସେହିପରି ହାଇ ସିକ୍ୟୁରିଟି ନମ୍ବର ଲାଗି ଗାଡି ମାଲିକମାନେ ଯେପରି ଅସୁବିଧାର ସମ୍ମୁଖୀନ ନହେବେ ସେଥିଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଣିକି ଗାଡ଼ିମାଲିକମାନେ ମୋ ସେବା କେନ୍ଦ୍ରରୁ ମଧ୍ୟ ଆବେଦନ କରି ପାରିବେ । ଏହି ବ୍ୟବସ୍ଥା ରାଜ୍ୟର ୩୦ଟି ଜିଲ୍ଲାରେ ଉପଲବ୍ଧ ରହିଛି । ସେହିପରି ଯାନବାହନ ମାଲିକଙ୍କ ସୁବିଧା ପାଇଁ ଏଚ୍‌ଏସ୍‌ଆରପି ହେଲ୍ପ ଡେସ୍କ ବର୍ତ୍ତମାନ ରାଜ୍ୟର ସମସ୍ତ ଆରଟିଓ ଓ ଏଆରଟିଓରେ କାର୍ଯ୍ୟକ୍ଷମ ଅଛି । ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ କିଣିଥିବା ଗାଡ଼ି ମାଲିକମାନଙ୍କୁ ଉପରେ ଦିଆଯାଇଥିବା ସମୟସୀମା ଅନୁଯାୟୀ ସେମାନଙ୍କ ଗାଡ଼ିରେ ଏଚଏସ୍‌ଆରପି ସଂଲଗ୍ନ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ପଡ଼ିବ ।

Comments are closed, but trackbacks and pingbacks are open.