ଈଶାନ୍‌ଙ୍କ ରେକର୍ଡ ଦ୍ୱିଶତକ

24

ଚଟ୍ଟୋଗ୍ରାମ୍‌: ଟିମ୍ ଇଣ୍ଡିଆର ଯୁବ ଓପନର ଈଶାନ୍ କିଶନ୍ ଶନିବାର ଦିନିକିଆ କ୍ରିକେଟ୍‌ରେ ଏକାଧିକ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଏହି ବାମହାତୀ ଓପନର ଜଣକ ମାତ୍ର ୧୩୧ ବଲ୍‌ରେ ୨୧୦ ରନ୍‌ର ବିସ୍ଫୋରକ ଇନିଂସ ଖେଳି ବିଶ୍ୱର ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ମାନଙ୍କୁ ପଛରେ ପକାଇ ଦେଇଛନ୍ତି । ଆହତ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ଖେଳିଥିବା ଈଶାନ୍ ମାତ୍ର ୧୨୬ ବଲ୍‌ରେ ଦ୍ୱିଶତକ ହାସଲ କରି ଏ କ୍ଷେତ୍ରରେ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି । ପୂର୍ବରୁ ଏହି ରେକର୍ଡ ୱେଷ୍ଟ୍‌ଇଣ୍ଡିଜ୍‌ର ଦୁର୍ଦ୍ଧର୍ଷ ଓପନର କ୍ରିସ୍ ଗେଲ୍‌ଙ୍କ ନାମରେ ଥିଲା, ଯିଏକି ଜିମ୍ବାୱେ ବିପକ୍ଷରେ ଦ୍ୱିଶତକ ପୂରଣ ପାଇଁ ୧୩୮ଟି ବଲ୍ ନେଇଥିଲେ । ଏହି ତାଲିକାର ତୃତୀୟ ସ୍ଥାନରେ ଭାରତର ବୀରେନ୍ଦ୍ର ସେହ୍ୱାଗ୍ ରହିଛନ୍ତି, ଯିଏକି ଇନ୍ଦୋରଠାରେ ଇଣ୍ଡିଜ୍ ବିପକ୍ଷରେ ୧୪୦ ବଲ୍ ଖେଳି ଦ୍ୱିଶତକ କରିଥିଲେ । ଏ କ୍ଷେତ୍ରରେ ଈଶାନ୍ ଚତୁର୍ଥ ଭାରତୀୟ ଓ ବିଶ୍ୱର ସପ୍ତମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଆହୁରି ଈଶାନ୍ ପ୍ରଥମ ବ୍ୟାଟ୍ସମ୍ୟାନ୍ ଯିଏକି ଦିନିକିଆରେ ନିଜର ପ୍ରଥମ ଶତକକୁ ଦ୍ୱିଶତକରେ ପରିଣତ କରିପାରିଛନ୍ତି । ଉକ୍ତ ଇନିଂସରେ ଈଶାନ୍ ୪୯ ବଲ୍‌ରେ ଅର୍ଦ୍ଧଶତକ ଓ ୮୫ ବଲ୍‌ରେ ଶତକ କରି ନିଜର ପୂର୍ବର ସର୍ବାଧିକ ସ୍କୋର୍ ୯୩କୁ ଅତିକ୍ରମ କରିଥିଲେ । ସେହିପରି ୧୦୩ଟି ବଲ୍ ଖେଳି ସେ ତାଙ୍କର ଦେଢ଼ଶହ ରନ୍ ପୂରଣ କରିଥିଲେ । ଈଶାନ୍‌ଙ୍କ ଏହି ରେକର୍ଡ ଇନିଂସରେ ୨୪ଟି ଚୌକା ଓ ୧୦ଟି ଛକା ରହିଥିଲା । ଦ୍ୱିଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ଭାରତର ୪ ଜଣ ଖେଳାଳି ଥିବା ବେଳେ ସେମାନଙ୍କ ମଧ୍ୟରୁ ରୋହିତ ୩ ଥର ଦ୍ୱିଶତକ କରିଛନ୍ତି । ଏହାଛଡ଼ା ଇଣ୍ଡିଜ୍‌ର ଗେଲ୍‌, ନ୍ୟୁଜିଲାଣ୍ଡ୍‌ର ମାର୍ଟିନ୍ ଗପ୍ଟିଲ୍ ଓ ପାକିସ୍ତାନର ଫାଖର୍ ଜମାନ୍ ତାଲିକାରେ ସ୍ଥାନ ପାଇଛନ୍ତି । ଶନିବାରର ଇନିଂସ ଖେଳି ଈଶାନ୍ ଦେଶ ବାହାରେ ଭାରତୀୟ ଓପନର ଭାବେ ସର୍ବାଧିକ ରନ୍ କରିଛନ୍ତି । ଏ କ୍ଷେତ୍ରରେ ସେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଅତିକ୍ରମ କରିଛନ୍ତି । ଏହାଛଡ଼ା କୌଣସି ଦିନିକିଆ ଇନିଂସରେ ସର୍ବାଧିକ ଛକା ମାରିବାରେ ମଧ୍ୟ ଈଶାନ୍ ସୌରଭ (୭ ଛକା)ଙ୍କୁ ଟପିଛନ୍ତି । ଆହୁରି ବାଂଲାଦେଶରେ ଈଶାନ୍ ସର୍ବାଧିକ ରନ୍ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ଶେନ୍ ୱାଟ୍‌ସନ୍‌ଙ୍କ ନାମରେ ଥିଲା, ଯିଏକି ୨୦୧୧ରେ ୧୮୫ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ । ସେହିପରି ବାଂଲାଦେଶ ବିପକ୍ଷରେ ମଧ୍ୟ ଈଶାନ୍ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ସର୍ବାଧିକ ସ୍କୋରର୍ ହୋଇଛନ୍ତି । ଏ କ୍ଷେତ୍ରରେ ସେ ସେହ୍ୱାଗ୍‌ଙ୍କୁ ଟପିଛନ୍ତି, ଯିଏକି ୨୦୧୧ ବିଶ୍ୱକପ୍‌ରେ ଏହି ଦଳ ବିପକ୍ଷରେ ୧୭୫ ରନ୍ କରିଥିଲେ । ଈଶାନ୍ ମଧ୍ୟ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ଦ୍ୱିଶତକ ପୂରଣ କରିଛନ୍ତି । ତାଙ୍କୁ ମାତ୍ର ୨୪ ବର୍ଷ ହୋଇଥିବା ବେଳେ ରୋହିତ ୨୬ ବର୍ଷ ବୟସରେ ଗତ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିଶତକ ହାସଲ କରି ଏହି ରେକର୍ଡ ନିଜ ନାମରେ କରିଥିଲେ । ସେହିପରି ବିରାଟ କୋହଲିଙ୍କ ସହ ତାଙ୍କର ୨୯୦ ରନ୍‌ର ଭାଗୀଦାରୀ ଭାରତ ପାଇଁ ତୃତୀୟ ସର୍ବାଧିକ ଓ ଫର୍ମାଟ୍‌ରେ ସପ୍ତମ ସର୍ବାଧିକ

Comments are closed, but trackbacks and pingbacks are open.