ଇଂଲଣ୍ଡକୁ ଘାଇଲା କଲେ ଭାରତୀୟ ବୋଲର, ୧୮୩ରେ ଅଲଆଉଟ

25

ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଘରୋଇ ଇଂଲଣ୍ଡର ବ୍ୟାଟସମ୍ୟାନଙ୍କୁ ଘାଇଲା କରିଛନ୍ତି ଭାରତୀୟ ବୋଲର। ବିଶେଷ କରି ପ୍ରଥମ ଦିନର ଚା’ ପାନ ବିରତି ପରେ ନିଜର ଅସଲ ଜଲୱା ଦେଖାଇଛନ୍ତି ଟିମ୍‌ ଇଣ୍ଡିଆର ଖେଳାଳି। ଚା’ ପାନ ବରତି ପୂର୍ବରୁ ୪ଟି ୱିକେଟ ହାସଲ କରିଥିବା ବୋଲର ଖୁବ କମ ସମୟ ମଧ୍ୟରେ ବାକି ୬ଟି ୱିକେଟ ଦଖଲ କରି ଇଂଲିଶ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁ ଶକ୍ତିଶାଳୀ ବ୍ୟାଟିଂ ଲାଇନଅପ ସହ ମୈଦାନକୁ ଓହ୍ଲାଇଥିବା ଇଂଲଣ୍ଡ ପ୍ରଥମ ଇନିଂସ୍‌ରେ ୧୮୩ ରନ୍‌ରେ ଅଲଆଉଟ ହୋଇଯାଇଛି। ଅଧିନାୟକ ଜୋ ରୁଟ୍‌ ଓ ଶେଷ ଭାଗରେ ସାମ କରନାଙ୍କୁ ଛାଡ଼ି ଦେଲେ ଆଉ କୌଣସି ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କୁ ସାମ୍ନା କରିବାକୁ ସକ୍ଷମ ହୋଇ ନାହାନ୍ତି। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ  ମହମ୍ମଦ ଶାମି ୩ଟି, ଶାର୍ଦ୍ଦୁଲ ଠାକୁର ୨ ଓ ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇଛନ୍ତି।

ଆଜି ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ୫ ଟିକିଆ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଘରୋଇ ଟିମ୍‌ର ଅଧିନାୟକ ଜୋ ରୁଟ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ଦଳକୁ ପ୍ରଥମ ଓଭରରେ ଝଟକା ଲାଗିଥିଲା। ରୋରୀ ବର୍ନସ ଖାତା ଖୋଲିବା ପୂର୍ବରୁ ବୁମ୍ରାଙ୍କ ବଲରେ ଆଉଟ ହୋଇଥିଲେ।

ଜ୍ୟାକ କ୍ରାଉଲୀ ଓ ଡମ ସିବଲେ ଏହାପରେ ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ୪୨ରେ ପହଞ୍ଚାଇଥିଲେ। କିନ୍ତୁ ମହମ୍ମଦ ସିରାଜ ୨୭ ରନ୍‌ କରିଥିବା କ୍ରାଉଲୀଙ୍କୁ ଆଉଟ କରି ଘରୋଇ ଟିମ୍‌କୁ ଦ୍ୱିତୀୟ ଝଟକା ଦେଇଥିଲେ। ସିବଲେ ଅଧିନାୟ ରୁଟଙ୍କ ସହ ମିଶି ଲଞ୍ଚ ଯାଏ ଆଉ ଦଳକୁ କୌଣସି କ୍ଷତି ପହଞ୍ଚାଇବାକୁ ଦେଇ ନଥିଲେ।

କିନ୍ତୁ ଲଞ୍ଚରୁ ଫେରିବା ପରେ ସିବଲେ ୧୮ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ତାଙ୍କ ୱିକେଟ ମହମ୍ମଦ ଶାମି ନେଇଥିଲେ। ୬୬ ରନ୍‌ରେ ୩ ୱିକେଟ ହରାଇ ସାମାନ୍ୟ ସଙ୍କଟରେ ପଡ଼ିଥିବା ଇଂଲଣ୍ଡକୁ ଅଧିନାୟକ ରୁଟ ଓ ଅଭିଜ୍ଞ ଜନ୍ନି ବେୟାରଷ୍ଟୋ ସମ୍ଭାଳିଥିଲେ। ଉଭୟ ୬୬ ରନରୁ ଦଳୀୟ ସ୍କୋରକୁ ୧୩୮ରେ ପହଞ୍ଚାଇଥିଲେ। ଏହି ସମୟରେ ଭାରତକୁ ପୁଣିଥରେ ଟ୍ରାକକୁ ଫେରାଇଥିଲେ ଶାମି

ସେ ୨୯ ରନ୍‌ କରିଥିବା ବେୟାରଷ୍ଟୋଙ୍କୁ ଏଲବିଡବ୍ଲ୍ୟୁ କରି ଘରୋଇ ଦଳକୁ ୪ର୍ଥ ଝଟକା ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ। ଡାନ ଲରେନ୍ସ ଓ ଜୋଶ ବଟଲର ଖାତା ଖୋଲିବା ପୂର୍ବରୁ ପ୍ୟାଭଲିୟନ ଫେରିଥିଲେ। ଲରେନ୍ସଙ୍କ ୱିକେଟ ଶାମି ନେଇଥିବା ବେଳେ ବଟଲରଙ୍କ ୱିକେଟ ଦଖଲ କରିଥିଲେ ବୁମ୍ରା।

ଇଂଲଣ୍ଡ ନିୟମିତ ୱିକେଟ ହରାଉଥିଲେ ହେଁ ଅନ୍ୟପଟେ ରୁଟ କ୍ରିଜରେ ତିଷ୍ଠି ରହି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ସେ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇ ନଥିଲେ। ଠିକଣା ସମୟରେ ୱିକେଟ ଦଖଲ କରିବାରେ ମାହିର ଶାର୍ଦ୍ଦୁଲ ଠାକୁର ନିଜ ଦ୍ୱିତୀୟ ସ୍ପେଲରେ ରୁଟଙ୍କୁ ଆଉଟ କରି ଇଂଲଣ୍ଡକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ। ଆଉଟ ହେବା ପୂର୍ବରୁ ସେ ୬୪ ରନର ଇନିଂସ ଖେଳିଥିଲେ।

ଅଲରାଉଣ୍ଡର ଓଲି ରବିନଶନ(୦)ଙ୍କୁ ମଧ୍ୟ ଠାକୁର ପ୍ୟାଭିଲିୟନ ପଠାଇ ଦେଇଥିଲେ। ଷ୍ଟୁଆର୍ଟ ବ୍ରଡ(୪)ଙ୍କୁ ବୁମ୍ରା ବେଶୀ ସମୟ କ୍ରିଜ୍‌ରେ ସମୟ ବିତାଇବାକୁ ଦେଇ ନଥିଲେ। ଇଂଲଣ୍ଡ ୧୬୦ ରନ୍‌ରେ ୯ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ବେଳେ ସାମ କରନା କିଛି ବଡ଼ ଶଟ୍‌ ଖେଳିଥିଲେ। ବିଶେଷ କରି ସେ ଶାର୍ଦ୍ଦୁଲ ଠାକୁରଙ୍କୁ ଛକା ଓ ଚୌକା ମାରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଶେଷ ଯାଏ ସେ ୩୭ ବଲ୍‌ରେ ୨୭ ରନ୍‌ କରି ଅପରାଜିତ ରହିଥିଲେ। କିନ୍ତୁ ଅନ୍ୟ ପଟେ ଜେମ୍ସ ଆଣ୍ଡରସନ(୧୦)ଙ୍କୁ ବୁମ୍ରା କ୍ଲିନବୋଲ୍ଡ କରି ଇଂଲଣ୍ଡ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। 

Leave A Reply

Your email address will not be published.