ଆଜି ଶ୍ରୀଜିଉଙ୍କ ଫୁଲୁରି ତେଲ

42

ପୁରୀ : ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପଡିଛନ୍ତି ଚତୁର୍ଦ୍ଧାମୁର୍ତ୍ତି । ଅଣସର ଘରେ ଦଇତାପତି ଓ ମହାପାତ୍ର ସେବକ ମାନେ ନିଷ୍ଠାର ସହ କରୁଛନ୍ତି ଚିକିତ୍ସା। ଅଣସର ପିଣ୍ଡିରେ ଚାଲିଛି ଗୁପ୍ତନୀତି। ମହାପ୍ରଭୁଙ୍କୁ ଗରମ ଚିକିତ୍ସା କରାଯାଉଥିବା ବେଳେ ଆଜି ମହାପ୍ରଭୁଙ୍କ ଶରୀରରେ ଫୁଲୁରି ତେଲ ଲାଗି ହେବାର ବିଧି ରହିଛି ।

ମହାପ୍ରଭୁଙ୍କ ଗୁପ୍ତ ନୀତି ମଧ୍ୟରେ ଫୁଲୁରି ତେଲ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବଡ ଓଡ଼ିଆ ମଠ ମହନ୍ତ ପକ୍ଷରୁ ମହାପ୍ରଭୁଙ୍କ ଲାଗି ଫୁଲୁରି ତେଲ ଯୋଗାଇ ଦିଆଯାଏ। ପ୍ରତିବର୍ଷ ଅଣସରରେ ୬ସେର ଫୁଲୁରି ତେଲ ଯୋଗାଇଦିଆଯାଏ। ହେରାପଞ୍ଚମୀ ଦିନ ଘଣାପେଡ଼ା ରାଶି ତେଲରେ ୧୪ ପ୍ରକାର ଫୁଲ, ୭ ପ୍ରକାର ଔଷଧୀୟ ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ପକାଇ ଏକ ପାତ୍ରରେ ରଖି ମାଟିତଳେ ପୋତାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ତେଲକୁ ବାହାର କରାଯାଇ ରଖାଯାଇଥାଏ। ପଞ୍ଚମୀ ଦିନ ତେଲକୁ ଛଣାଯାଇ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗି ପାଇଁ ପଠାଯାଏ।

ଶାସ୍ତ୍ର ଅନୁସାରେ ସ୍ନାନଯାତ୍ରାରେ ପରିଧାନ କରିଥିବା ଓଦା ବସ୍ତ୍ର ଶ୍ରୀଅଙ୍ଗରୁ ଫିଟିବା ନୀତି ପରେ ଅନବସରର ପଞ୍ଚମ ତିଥିରେ ମହାପ୍ରଭୁଙ୍କଠାରେ ଲାଗି ହୁଏ ଫୁଲୁରି ତେଲ। ଅଣସର ପଣା ବି ଠାକୁରଙ୍କୁ ଲାଗି ହୁଏ। ଅଣସର ବାସରେ ଥିବା ଶଯ୍ୟାଶାୟୀ ଶ୍ରୀବିଗ୍ରହମାନଙ୍କୁ ଜଡିବୁଟିଯୁକ୍ତ ଔଷଧୀୟ ଫୁଲୁରି ତେଲ ଲାଗି ହେବା ପରେ ଶ୍ରୀଜିଉ ନବ‌ଯୌବନ ପ୍ରାପ୍ତି ହେବେ। ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ ହୋଇଥିବା ଫୁଲୁରି ତେଲ ଶ୍ରୀମନ୍ଦିରକୁ ବିଜେ କରିବ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢ଼ିବା ପରେ ପରମ୍ପରା ମୁତାବକ ବଡ ଓଡ଼ିଆ ମଠକୁ ଶ୍ରୀମନ୍ଦିର ପକ୍ଷରୁ ଫୁଲୁରି ତେଲ ବିଜେ ପାଇଁ ଖବର ଯିବ। ଏହାପରେ ବଡ଼ ଓଡ଼ିଆ ମଠ ମହନ୍ତ ଓ ଅନ୍ୟ ସାଧୁସନ୍ଥମାନେ ଶୋଭାଯାତ୍ରାରେ ମହୌଷଧୀଯୁକ୍ତ ଫୁଲୁରି ତେଲକୁ ଶ୍ରୀମନ୍ଦିରକୁ ବିଜେ କରିବେ। ଶ୍ରୀଜିଉଙ୍କ ପାଇଁ ତିନିଟି ସେରିକିଆ ମାଟି ଘଡ଼ିରେ ଫୁଲୁରି ତେଲ ବିଜେ କରାଯିବ। ଜ୍ବର ପୀଡ଼ିତ ମାନବଦେହୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ଦରଜ ଭାଙ୍ଗିବା ପାଇଁ ତେଳ ମର୍ଦ୍ଦନ କରାଯିବାର ପରମ୍ପରା ରହିଛି।

Comments are closed, but trackbacks and pingbacks are open.