ଅକ୍ଟୋବର ୧ରୁ ଅନଲାଇନ ଗେମିଂ ଉପରେ ଲାଗୁ ହେବ ୨୮% ଜିଏସଟି

61

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫୧ତମ ଜିଏସଟି ପରିଷଦର ବୈଠକରେ ଅନଲାଇନ୍ ଗେମିଂ, କ୍ୟାସିନୋ ଓ ଘୋଡ଼ାଚଢ଼ା ଭଳି କ୍ରୀଡ଼ା ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଜିଏସଟି ପରିଷଦର ୫୧ତମ ବୈଠକ ପରେ ସୀତାରମଣ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ ଅନଲାଇନ୍ ଗେମିଂ ଉପରେ ୨୮ ପ୍ରତିଶତ ଜିଏସଟି ଅକ୍ଟୋବର ୧ରୁ ଲାଗୁ ହେବ ବୋଲି ଆଶା କରାଯାଉଛି । ଏହା କାର୍ଯ୍ୟକାରୀ ହେବାର ୬ ମାସ ପରେ ଏହାର ସମୀକ୍ଷା କରାଯିବ ।

ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ ୩ ବର୍ଷର ଆଲୋଚନା ପରେ ୨୮ ପ୍ରତିଶତ ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି ଯେ ଜିଏସଟି କାଉନସିଲ ଅନଲାଇନ୍ ଗେମିଂ ଉପରେ ଟିକସ ଲଗାଇବା ପାଇଁ ଆବଶ୍ୟକ ସଂଶୋଧନ ଉପରେ ଆଲୋଚନା କରିଛି ।

ଜିଏସଟି କାଉନସିଲ ବୈଠକରେ ଦିଲ୍ଲୀ, ଗୋଆ ଏବଂ ସିକ୍କିମ ଅନଲାଇନ ଗେମିଂ ଉପରେ ୨୮ ପ୍ରତିଶତ ଜିଏସଟି ନିଷ୍ପତ୍ତିର ସମୀକ୍ଷା କରିବାକୁ ଦାବି କରିଥିଲେ । ସେହିପରି ଗେମିଂ କମ୍ପାନିମାନେ ବି ଏହାକୁ ବିରୋଧ କରିଥିଲେ । କିନ୍ତୁ ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ବିହାର ସମେତ ଅନ୍ୟାନ୍ୟ ରାଜ୍ୟ ୨୮ ପ୍ରତିଶତ ଟିକସ ସପକ୍ଷରେ ଅଛନ୍ତି ଏବଂ ଏହାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ସେ ଚାହୁଁଛନ୍ତି ।

Comments are closed, but trackbacks and pingbacks are open.