୭୭ ତମ ସ୍ୱାଧୀନତା ଦିବସ: ରାଜଘାଟରେ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

808

ଆଜି ଦେଶ ୭୭ ତମ ସ୍ୱାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଶମ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରୁଛନ୍ତି। ପ୍ରଧାନମନ୍ତ୍ରୀ ଅଭିବାଦନ ଗ୍ରହଣ କରି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟୁଇଟ୍ କରି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି, ‘ସ୍ୱାଧୀନତା ଦିବସରେ ଆପଣ ସମସ୍ତଙ୍କୁ ଅନେକ ଶୁଭେଚ୍ଛା। ଆସନ୍ତୁ, ଏହି ଐତିହାସିକ ଅବସରରେ, ଅମୃତକାଳରେ ଏକ ବିକଶିତ ଭାରତର ସଂକଳ୍ପକୁ ଦୃଢ଼ କରିବା, ଜୟ ହିନ୍ଦ’।

ସ୍ୱାଧୀନତା ଦିବସରେ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଜନସଂଖ୍ୟା ଦୃଷ୍ଟିରୁ ମଧ୍ୟ ଆମେ ଏକ ନମ୍ବର ଦେଶ। ଏତେ ବଡ ଦେଶର ଆମ ପରିବାର ସଦସ୍ୟ ଆଜି ସ୍ୱାଧୀନତାର ପର୍ବ ପାଳନ କରୁଛୁ। ପ୍ରଧାନମନ୍ତ୍ରୀ ଦେଶ ତଥା ବିଶ୍ୱରେ ଭାରତକୁ ଭଲପାଉଥିବା ଏବଂ ସମ୍ମାନ କରୁଥିବା କୋଟି କୋଟି ଲୋକଙ୍କୁ ଏହି ଉତ୍ସବର ଅନେକ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ପୂଜ୍ୟ ବାପୁଙ୍କ ନେତୃତ୍ୱରେ ବଳିଦାନ ଦେଇଥିବା ଅସଂଖ୍ୟ ବୀରମାନଙ୍କୁ ମୁଁ ପ୍ରଣାମ କରୁଛି। ସେ କହିଛନ୍ତି, ସେହି ପିଢ଼ିରେ ହୁଏତ କେହି ବ୍ୟକ୍ତି ନ ଥିବେ ଯିଏ ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଅବଦାନ ଦେଇ ନ ଥିବେ। ଯେଉଁମାନେ ସହଯୋଗ କରିଛନ୍ତି, ବଳିଦାନ ଦେଇଛନ୍ତି, ତ୍ୟାଗ କରିଛନ୍ତି, ତପସ୍ୟା କରିଛନ୍ତି, ସେମାନଙ୍କୁ ସମ୍ମାନର ସହିତ ପ୍ରଣାମ କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏଥର ପ୍ରାକୃତିକ ବିପର୍ଯ୍ୟୟ ଦେଶର ଅନେକ ଭାଗରେ ଅସମ୍ଭବ ସଙ୍କଟ ସୃଷ୍ଟି କରିଛି। ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ସମସ୍ତ ପରିବାରକୁ ଶ୍ରୀ ମୋଦୀ ସମବେଦନା ଜଣାଇଛନ୍ତି।

Comments are closed, but trackbacks and pingbacks are open.