୫ବର୍ଷରେ ମିଶନଶକ୍ତିକୁ ମିଳିବ ୧୨୦୦ କୋଟି ତାଙ୍କର ସୁଧ ରିହାତି

21

ଆହୁରି ସୁଦୃଢ଼ ହେବ ମିଶନ ଶକ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ମାଆମାନଙ୍କର ବିକାଶ ପାଇଁ ସରକାର ଆଉ ପାଦେ ଆଗେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ କନଭେନ ସେଣ୍ଟରରୁ ମିଶନ ଶକ୍ତି ଗ୍ରୁପମାନଙ୍କୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାର ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପଙ୍କ ବ୍ୟାଙ୍କ ଖାତାକୁ ଏହି ସୁଧ ରିହାତି ପ୍ରଦାନ କରାଯାଇଛି । ୨୦୨୨ ଅପ୍ରେଲରୁ ଓ ସେପ୍ଟେମ୍ବର ମଧ୍ୟରେ ଏସଏଚଜିମାନେ ଯେଉଁ ଋଣ ନେଇଥିଲେ, ସେହି ଋଣର ସୁଧ ପରିମାଣ ପ୍ରଦାନ କରାଯାଇଛି ।

ଏହି ଅବସରରେ କନ୍‌ଭେନସନ ସେଣ୍ଟରରେ ଉପସ୍ଥିତ ମା ଓ ରାଜ୍ୟର ସବୁ ଜିଲ୍ଲା ଓ ବ୍ଲକ୍‌ରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଡି ହୋଇଥିବା ମା ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମା ମାନେ ଆଜି ଘରର ଚାରି କାନ୍ଥରୁ ବାହାରି ବ୍ୟବସାୟ ଠାରୁ ଆରମ୍ଭ କରି, ବିକାଶର ବିଭିନ୍ନ କ୍ଷେତ୍ରରେ ନିଷ୍ପତ୍ତି ନେଉଛନ୍ତି । ମା ମାନଙ୍କର ଏହି ନିଷ୍ପତ୍ତି ନେବାର କ୍ଷମତା ହେଉଛି, ପ୍ରକୃତ ରୂପାନ୍ତର । ଆଗାମୀ ଦିନରେ ମା ମାନେ ଆହୁରି ବଡ ବଡ ନିଷ୍ପତ୍ତି ନେବେ ଓ ଓଡିଶାର ରୂପାନ୍ତରରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକଟ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ଆଜି କେବଳ ଏକ ସ୍ଲୋଗାନ ନୁହେଁ, ଆଜି ଏହା ମା ମାନଙ୍କର ଏକ ଜୀବନଧାରା । ୭୦ ଲକ୍ଷ ମା ମାନଙ୍କର ଏହି ବିରାଟ ଅନୁଷ୍ଠାନ ଆଜି ଓଡିଶା ବିକାଶର ନୂଆ ଇତିହାସ ଲେଖୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମିଶନ ଶକ୍ତି ଗ୍ରୁପ ଗୁଡିକୁ ଶକ୍ତିଶାଳି କରିବା ପାଇଁ ବିଭିନ୍ନ ଘୋଷଣା ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଜିଲ୍ଲାସ୍ତରୀୟ ଫେଡେରେସନକୁ ଏକ କୋଟି ଟଙ୍କା ଓ ବ୍ଲକ୍‌ ଫେଡେରେସନକୁ ୫୦ ଲକ୍ଷ ଟଙ୍କାର ରିଭଲଭିଂ ଫଣ୍ଡ ଆଦି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ‘ମା ମାନଙ୍କୁ ଉଦ୍ୟୋଗୀ ଭାବରେ ଦେଖିବାକୁ ମୁଁ ଚାହେଁ’। ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର ଋଣ ଓ ୧୨୦୦ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା ହୋଇଛି ବୋଲି ସେ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯାଜପୁରର ଜିଲ୍ଲାସ୍ତରୀୟ ଫେଡେରେସନ ଭବନକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଥିଲେ ।

ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଏହି ସାମାଜିକ ଓ ଆର୍ଥିକ ସଶକ୍ତିକରଣ କାର୍ଯ୍ୟକ୍ରମ ଆଜି ଏକ ବୈପ୍ଲବିକ ଆନ୍ଦୋଳନରେ ପରିଣତ ହୋଇଛି । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପାଇବାର ଯେଉଁ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିଛନ୍ତି, ତାହା ମା ମାନଙ୍କ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ ମିଶନ ଶକ୍ତି ବିଭାଗ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ କହିଲେ ଯେ ଆଗରୁ ସୁଧ ରିହାତି ପାଇବା ପାଇଁ ମା ମାନେ ବ୍ୟାଙ୍କକୁ ବାରମ୍ବାର ଯାଉଥିଲେ। ଏବେ ସେ ଅବସ୍ଥା ଆଉ ନାହିଁ ।

୫-ଟିରେ ଟେକ୍ଲୋଲୋଜିରେ ବ୍ୟବସ୍ଥା କରାଯାଇ ଖୁବଶୀଘ୍ର ସୁଧ ରିହାତି ହିସାବ କରି ମା ମାନଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଇ ଦିଆଯାଉଛି । ମା ମାନଙ୍କ ପାଇଁ ଯେଉଁ ରିଭଲଭିଂ ଫଣ୍ଡ କରାଯାଇଛି, ତାହା ଏକ ମିନି ବ୍ୟାଙ୍କରେ ପରିଣତ ହେବ ଏବଂ ମା ମାନେ କେବଳ ପାରମ୍ପରିକ ବ୍ୟବସାୟ ନୁହେଁ, ବିଭିନ୍ନ ଆଧୁନିକ ବ୍ୟାବସାୟ ଯଥା – ଫେଶନ ଡିଜାଇନ, କୃଷି ଉଦ୍ୟୋଗ, ବିଉଟି ଓ ୱେଲନେସ୍‌ ଆଦି ବ୍ୟବସାୟ ଯେପରି କରିପାରିବେ, ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି । ମା ମାନେ ଏବେ ବ୍ୟବସାୟ କରି ନିଜର ପରିଚୟ ନେଇ ଆଗକୁ ବଢିବେ ବୋଲି ସେ କହିଥିଲେ ।

ଓଡିଶା ଜୀବିକା ମିଶନର ସିଇଓ ମାନସୀ ନିମ୍ଭାଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର ଉପଦେଷ୍ଟା ଶ୍ରୀମତୀ ଲୋପାମୁଦ୍ରା ବକ୍‌ସିପାତ୍ର, ଡଃ ଗୀତା ବସ୍ତିଆ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.