ବଢୁଛି ମଣିପୁରର ହିଂସା; ଏଯାବତ ୫୫ ଜଣଙ୍କ ମୃତ୍ୟୁ

17

ବିଗତ ଚାରି ଦିନ ଧରି ମଣିପୁରରେ ଦୁଇ ସଂପ୍ରଦାୟ ମଧ୍ୟରେ ଲାଗି ରହିଥିବା ହିଂସାରେ ଶନିବାର ସୁଦ୍ଧା ୫୫ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ସୁଦ୍ଧା ବିଭିନ୍ନ ସ୍ଥାନରେ ହିଂସାରେ ୪୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା ବେଳେ ଶନିବାର ଏହି ସଂଖ୍ୟା ୫୫କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିଶେଷକରି ସବୁଠାରୁ ସ୍ପର୍ଶକାତର ହୋଇପଡ଼ିଥିବା ବିଷ୍ଣୁପୁର ଏବଂ ଚୁରାଚନ୍ଦ୍ରପୁର ଜିଲ୍ଲାରେ ମୃତ୍ୟୁସଂଖ୍ୟା ଅଧିକ ରହିଥିବା କୁହାଯାଇଛି। ମୃତ ଲୋକଙ୍କୁ ଚିହ୍ନଟ କରିବା ଲାଗି ଉଦ୍ୟମ ଜାରି ରହିଥିବା ବେଳେ ବର୍ତ୍ତମାନ ଚୁରାଚନ୍ଦ୍ରପୁର ଜିଲ୍ଲା ଚିକିତ୍ସାଳୟରେ ୧୬ଟି ମୃତଦେହ ରଖାଯାଇଛି।

ସେହିପରି ପୂର୍ବ ଇମ୍ଫାଲ ଜିଲ୍ଲାସ୍ଥିତ ଜବାହାରଲାଲ ନେହରୁ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍ସରେ ୧୫ଟି ଶବ ରହିଥିବା କୁହାଯାଇଛି। ପରିସ୍ଥିତି ନିୟନ୍ତ୍ରଣ କରିବା ନେଇ ବିପୁଳ ସଂଖ୍ୟାରେ ସେନା ଏବଂ ଅର୍ଦ୍ଧସାମରିକ ବାହିନୀଙ୍କ ମୁତୟନ କରାଯାଇଥିଲେ ମଧ୍ୟ ପରିସ୍ଥିତି ସ୍ବାଭାବିକ ହେବାର ନାଁ ଧରୁନାହିଁ। ବରଂ କେତେକ ସ୍ଥାନରେ ବିକ୍ଷୋଭକାରୀ ଏବଂ ଉଗ୍ରବାଦୀଙ୍କ ସହ ସେନା ମୁହାଁମୁହିଁ ହୋଇଥିବା ଖବର ଆସିଛି। ସେନା ଏବଂ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ ଜାତୀୟ ରାଜପଥ, ରାଜ୍ୟପଥ ଏବଂ ମୁଖ୍ୟ ଯୋଗାଯୋଗ ସ୍ଥାନରେ ନାକାବନ୍ଦୀ କରାଯାଇ ଯାଞ୍ଚ କରାଯାଉଥିବା ବେଳେ ସେମାନଙ୍କ ଉପରେ କିଛି ବିକ୍ଷୋଭକାରୀ ଆକ୍ରମଣ କରିଥିବା କୁହାଯାଇଛି। ଯାହାକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହୋଇଛନ୍ତି।

ତେବେ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂ ଅନୁରୋଧ ଜଣାଇଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବା ସହିତ ଏଥିରେ ସାଂପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଛି। ସ୍ଥିତି ନିୟନ୍ତ୍ରଣ ଲାଗି ତ୍ବରିତ ପଦକ୍ଷେପ ଗ୍ରହଣ କରାଯିବା ଲାଗି ମଧ୍ୟ ସବୁ ଦଳର ନେତା ଆଲୋଚନା କରିଛନ୍ତି। ଏହାବ୍ୟତୀତ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ କେନ୍ଦ୍ରର ସହାୟତା ନିଆଯାଉଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ହଜାରରୁ ଅଧିକ ସେନା ଏବଂ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କୁ ମୁତୟନ କରାଯାଇଛି।

ଅନ୍ୟପଟେ ମଣିପୁରରେ ଆଦିବାସୀ ଓ ପ୍ରଭାବଶାଳୀ ମଣିପୁରୀ ସମ୍ପ୍ରଦାୟଙ୍କ ମଧ୍ୟରେ ଲାଗିଥିବା ସଂଘର୍ଷ ଘଟଣାରେ ଶାସକ ‘ବିଜେପି’କୁ ସମାଲୋଚନା କରି ଆଜି କଂଗ୍ରେସ ନେତା ଶଶୀ ଥରୁର୍‌ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ଦାବି କରିଛନ୍ତି।ଥରୁର୍‌ କହିଛନ୍ତି, ଭୋଟ୍‌ ଦେଇ ‘ବିଜେପି’କୁ କ୍ଷମତାକୁ ଫେରାଇ ଆଣିବାର ମାତ୍ର ବର୍ଷକ ପରେ ମଣିପୁରର ଭୋଟର୍‌ମାନେ ଅକଳ୍ପନୀୟ ବିଶ୍ବାସଘାତକତାର ସରବ୍ୟ ହୋଇଥିବା ଭଳି ମନେ କରୁଛନ୍ତି।

Comments are closed, but trackbacks and pingbacks are open.