ଧାମନଗର ଉପନିର୍ବାଚନ: ଫ୍ଲାଇଂ ସ୍କ୍ୱାଡ୍ ସର୍ଭେଲାନ୍ସ ଟିମ୍ ସଂଖ୍ୟା ବୃଦ୍ଧି

20

ଭୁବନେଶ୍ୱର: କଡାକଡି ପଦକ୍ଷେପ ନେବାପାଇଁ ଜିଲ୍ଲା ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି । ସିଇଓଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ ମତେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଧରପଗଡ଼ ପାଇଁ ପୁନର୍ଗଠିତ ହୋଇଛି ସ୍କାଡ୍ ଓ ଷ୍ଟାଟିକ୍ ସର୍ଭେଲାନ୍‌ସ ଟିମ୍ । ଟିମ୍‌ସଂଖ୍ୟା ୬ରୁ ୯ କରାଯାଇଛି । ପୁର୍ନଗଠିତ ଦଳର ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଅଦ୍ୟାବଧି ସ୍କ୍ୱାଡ୍‌ମାନଙ୍କ ଦ୍ୱାରା କୌଣସି ଆଖି ଦୃଶିଆ ଧରପଗଡ଼ କି ଜବତ ଘଟଣା ହୋଇନଥିବାରୁ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିବା ସହିତ କାର୍ଯ୍ୟରେ ଅବହେଳା କଲେ ସମ୍ପୃକ୍ତ ଅଧିକାରୀ କି କର୍ମଚାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶୁଣାଇଥିଲେ । ସରକାରୀ ଜାଗା ଅନୁମତି ମିଳିନଥିବା ଘରୋଇ ଜାଗାରେ ଲାଗିଥିବା ବ୍ୟାନର, ପୋଷ୍ଟର ଉଚ୍ଛେଦ କରିବା, କାନ୍ଥ ଲେଖାକୁ ଲିଭାଇବା ଓ ଅବୈଧ ଭାବେ ଆୟୋଜନ କରାଯାଇଥିବା ମିଟିଂ, ଭୋଜିଭାତ, ପ୍ରଚାର ଗାଡ଼ି ଆଦିକୁ ବନ୍ଦ ଓ ଜବତ କରାଯିବା, ଅବୈଧଭାବେ ବହୁ ପରିମାଣରେ ଟଙ୍କା, ମାଦକ ଦ୍ରବ୍ୟ ଚାଲାଣକୁ ତନଖି ଏବଂ ଜବତ କରିବା ଆଦି ଦିଗରେ ନିରପେକ୍ଷ ଭାବେ ଦୃଢ଼ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ପ୍ରତିଦିନ କେଉଁ କାର୍ଯ୍ୟ କେତେ ପରିମାଣରେ କରାଯାଇଛି ସେ ନେଇ ଗଠିତ ପ୍ରତିଟି ଟିମ୍ ପ୍ରତିଦିନ ରିପୋର୍ଟ ଦେବା, କାର୍ଯ୍ୟାନୁଷ୍ଠାନ ପାଇଁ ଆବଶ୍ୟକ ଉପକରଣ ସବୁ ପ୍ରତିଦଳ ସାଙ୍ଗରେ ନେବା ଆଦି ସମ୍ବନ୍ଧରେ ଉପଜିଲ୍ଲାପାଳ ମନୋଜ ପାତ୍ର ଓ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ବୁଝାଇଥିଲେ । ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିବା ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିର୍ବାଚନ ଆୟୋଗ ଦ୍ୱାରା ପ୍ରଚଳିତ ସି-ଭିଜିଲ ଆପ୍‌କୁ ପ୍ରତିଦଳ ଡାଉନ୍‌ଲୋଡ୍ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଦର୍ଶାଇଥିଲେ । ସିଡିଓ ପ୍ରତାପ ପ୍ରୀତିମୟ ଓ ଆର୍‌ଓ ତଥା ଅତିରିକ୍ତ ଜିଲ୍ଲାପାଳ ଡ. ଲକ୍ଷ୍ମୀ ପ୍ରସାଦ ସାହୁ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ସମସ୍ତ ବିଡିଓ ଓ ତହସିଲଦାରମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । ଉଭୟ ଫ୍ଲାଇଂ ସ୍କ୍ୱାଡ୍ ଏବଂ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍‌ର ୩ଟି ଲେଖାଏ ଦଳକୁ ସକାଳ ୬ଟାରୁ ଅପରହାଣ୍ ୨ଟା ଏବଂ ୬ଟି ଲେଖାଏ ଦଳକୁ ଅପରାହ୍ଣ ୨ଟା ରୁ ରାତ୍ର ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ କରାଯାଇଛି ।

Comments are closed, but trackbacks and pingbacks are open.