କାହାକୁ ବାଛିବ ବ୍ରହ୍ମଗିରି? ପୁରୁଖା ନା ନବାଗତ

66

ଭୁବନେଶ୍ୱର: ବ୍ରହ୍ମଗିରିରେ ଚବିଶ ଦେଖିବ ବଡ ଲଢେଇ । ଦିବଂଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ଏଥର ମଇଦାନକୁ ଓହ୍ଲାଇଛି ବିଜେପି । ଗତଥର ଦାଦା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ନିର୍ବାଚନ ଜିତିଥିଲେ । ଏଥର ଉପାସନାଙ୍କ ଉପରେ ଭରସା କରିଛି ଦଳ । ଲୁଲୁଙ୍କ ଲିଗାସିକୁ ଆଗକୁ ନେବାକୁ ମଇଦାନରେ ଆକ୍ଟିଭ୍ ରହିଛନ୍ତି ଉପାସନା । ନିର୍ବାଚନର ବହୁ ପୂର୍ବରୁ ଉପାସନା ଗ୍ରାଉଣ୍ଡରେ ଲୋକଙ୍କ ପାଖରେ ପହଞ୍ଚିଛନ୍ତି । ଟିକେଟ ମିଳିବା ପରେ ପ୍ରଚାର ଅଭିଯାନକୁ ଆହୁରି ଜୋରଦାର କରିଛନ୍ତି ଉପାସନା । ବ୍ରହ୍ମଗିରି ବର୍ଷ ବର୍ଷ ଧରି ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓ ବିଜେଡି ସଞ୍ଜୟ ଦାସବର୍ମାଙ୍କ ମଧ୍ୟରେ ରାଜନୈତିକ ପତିଆରାର ଲଢେଇ ଦେଖିଛି । ଲୁଲୁ କଂଗ୍ରେସ ଟିକେଟରୁ ବ୍ରହ୍ମଗିରିରୁ ତିନି ତିନି ଥର ବିଧାୟକ ନିର୍ବାଚିତ ହୋଇଥିଲେ । ତେବେ ୨୦୦୯ ଓ ୨୦୧୪ରେ ବାଜି ମାରି ନେଇଥିଲେ ସଂଜୟ ଦାସବର୍ମା । ଲୁଲୁଙ୍କ ପରଲୋକ ପରେ ତାଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଉପାସନା ବିଜେପିରେ ସାମିଲ ହୋଇଥିଲେ । ୨୦୧୯ରେ ଲଳିତେନ୍ଦୁ ବିଜେପି ପ୍ରାର୍ଥୀ ଭାବେ ଲଢି ସଂଜୟ ଦାସବର୍ମାଙ୍କୁ ମାତ୍ ଦେଇଥିଲେ । ଏଥର ଉପାସନା ଦାଦାଙ୍କ ବିଜୟ ରଥକୁ ଆଗକୁ ବଢାଇବାକୁ ଉଦ୍ୟମ କରୁଛନ୍ତି । ଯୁବ ଚେହେରା ଭାବେ ଉପାସନାଙ୍କୁ ପ୍ରୋଜେକ୍ଟ କରିଛି ବିଜେପି । ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସହ ମିଳିତ ମଞ୍ଚରେ ବି ପ୍ରଚାର କରୁଛନ୍ତି ଉପାସନା ।ବ୍ରହ୍ମଗିରି ପାଇଁ ଭିନ୍ନ ରଣନୀତି କରିଛି ବିଜେଡି । ସଂଜୟ ଦାସବର୍ମାଙ୍କୁ ସତ୍ୟବାଦୀ ଓ ଉମା ସାମନ୍ତରାୟଙ୍କୁ ବ୍ରହ୍ମଗିରି ପାଇଁ ପ୍ରାର୍ଥୀ କରିଛି । ବିଜେଡି ପୁଣି ବ୍ରହ୍ମଗିରିକୁ ନିଜ ଖାତାକୁ ଆଣିବାକୁ ଉଦ୍ୟମ କରୁଛି । ଟିକେଟ୍ ପାଇବା ପରେ ବ୍ରହ୍ମଗିରିର ବିଭିନ୍ନ ପଞ୍ଚାୟତରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଉମା । ବାଇକ୍ ରାଲ, ଶୋଭାଯାତ୍ରାରେ ପ୍ରଚାର କରିଛନ୍ତି । ଆସନ ପରିବର୍ତ୍ତନ ରେ କିଛି ଫରକ ପଡିବନି କହି ହୁଙ୍କାର ଭରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ଓ ରାଜ୍ୟ ସରକାରର ବିଭିନ୍ନ ବିକାଶମୂଳକ କାମକୁ ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ଉମା । ସେପଟେ ଉମାଙ୍କୁ ବିଦେଶୀ ପର୍ଯ୍ୟଟକ କହି ଟାର୍ଗେଟ୍ କରିଛନ୍ତି ଉପାସନା । ମାଟିର ଝିଅ ନାରା ଦେଇ ଜୋରଦାର ପ୍ରଚାର କରିଛନ୍ତି । କଂଗ୍ରେସ ଏପର୍ଯ୍ୟନ୍ତ ବ୍ରହ୍ମଗିରି ପ୍ରାର୍ଥୀ ଘୋଷଣା କରିନି । ତେବେ ମୁଖ୍ୟ ମୁକାବିଲା ବିଜେଡି ଓ ବିଜେପି ମଧ୍ୟରେ ହେବ ବୋଲି କୁହାଯାଉଛି ।

Comments are closed, but trackbacks and pingbacks are open.