ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିବା ସହ ଅଣ୍ଡା ମାଡ଼ କରିଛନ୍ତି ଯୁବ କଂଗ୍ରେସ କର୍ମୀ। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୁଙ୍ଖଳା ପରିସ୍ଥିତିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ପ୍ରଦେଶ ଯୁବ କଂଗ୍ରେସ। ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ଆସି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ପହଞ୍ଚିଥିଲେ। ରାଜ୍ୟରେ ବଢୁଥିବା ଅପରାଧ ଏବଂ ଆଇନ ଶୁଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ସରକାର ବିଫଳ ହୋଇଥିବା ଅଭିଯୋଗ କରି ସେମାନେ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ଏହି ସମୟରେ କିଛି କର୍ମୀ ସୁରକ୍ଷା ବଳୟ ଭାଙ୍ଗିବାକୁ ଚେଷ୍ଟା କରିବା ସହ ବାସଭବନ ଉପରକୁ ଅଣ୍ଡା ମାଡ଼ କରିଥିଲେ। ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ଯାଇ ପୋଲିସ ନାକେଦମ୍ ହୋଇଥିଲା। ଉଭୟ ପୋଲିସ ଓ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଟଣାଓଟରା ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ବହୁ ଯୁବ କଂଗ୍ରେସ ନେତା ଓ କର୍ମୀଙ୍କୁ ଗିରଫ କରିଛି।