ଆକାଶରୁ ପୋକ ବର୍ଷା !

ଆକାଶରୁ ପୋକ ବର୍ଷା ! ଛତା ଧରି ଚାଲିଲେ ଲୋକେ । କାରରେ ମାଳ ମାଳ ପୋକ! ଚୀନର ରାଜଧାନୀ ବେଜିଂରେ ଏଭଳି ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଆକାଶରୁ ହେଉଛି ପୋକ ବର୍ଷା । ଯାହାର ଦୃଶ୍ୟ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ଆକାଶରୁ ଖସି ଆସୁଥିବା କୀଟପତଙ୍ଗର କିଛି ଭିଡିଓ ଓ ଫଟୋ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ରାସ୍ତାରେ ପାର୍କିଂ ହୋଇଥିବା କାରଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ପୋକ ଦ୍ୱାରା ଘୋଡ଼େଇ ହୋଇଥିବା ବେଳେ ରାସ୍ତାରେ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳୁଛି । ଏମିତିକି ପଥଚାରୀମାନେ ପୋକ ବର୍ଷାରୁ ନିଜକୁ ରକ୍ଷା କରିବା ପାଇଁ ଛତା ଧରିଥିବାର ଦେଖାଯାଇଥିଲା । ଏହା ଏକ ସତ ଘଟଣା ବୋଲି ଅନେକ ବିଶ୍ୱାସ କରୁଛନ୍ତି । ବେଜିଂରେ ପ୍ରତି ବସନ୍ତ ଋତୁରେ ଏପରି କୀଟପତଙ୍ଗ ବର୍ଷା ହୁଏ ବୋଲି ମଧ୍ୟ କୁହାଯାଉଛି ।

କେତେକ ଏହାକୁ ଏହି ସମୟରେ ଦେଖା ଯାଉଥିବା ସଂବାଳୁଆ ବୋଲି କହୁଛନ୍ତି । ପ୍ରବଳ ପବନ ଯୋଗୁଁ ଏହି ପୋକଗୁଡ଼ିକ ଅନ୍ୟ କେଉଁ ପାଶ୍ୱବର୍ତ୍ତୀ ଅଂଚଳରୁ ବେଜିଂ ଆଡ଼କୁ ଉଡ଼ି ଆସିଛନ୍ତି ବୋଲି ଅନେକ ଅନୁମାନ କରୁଛନ୍ତି । କୌଣସି ଝଡ଼ ହେବା ପରେ ଏପରି କୀଟପତଙ୍ଗ ଅନ୍ୟ ଅଂଚଳରୁ ପବନରେ ଉଡି ଆସି ସହରର ଆକାଶରୁ ବର୍ଷା ହେବା ସାଧାରଣ କଥା ବୋଲି ସ୍ଥାନୀୟ ଏକ ବିଜ୍ଞାନ ପତ୍ରିକା ସୂଚନା ଦେଇଛି । ସେପଟେ ବିଦେଶରେ ବସବାସ କରୁଥିବା ଚୀନର ନାଗରିକମାନେ ଏହାକୁ ମିଛ ବୋଲି କହିଛନ୍ତି ।

ସେମାନଙ୍କ କହିବା ଅନୁସାରେ, ଏହା ପ୍ରକୃତରେ ପୋକ ବର୍ଷା ନୁହେଁ ବରଂ ଚୀନରେ ବହୁଳ ଭାବେ ଦେଖାଯାଉଥିବା ପୋପଲାର ଫୁଲର କଢ ହୋଇପାରେ । ଏହା ମଞ୍ଜିରେ ଭରପୂର ଏବଂ ଯେତେବେଳେ ଏହାର କଢ ପଡିଥାଏ । ଆଉ କେତେକ କହୁଛନ୍ତି ଯେ ଏହା ଆସପେନ ନାମକ ଗଛର ମଞ୍ଜି । ବସନ୍ତ ଋତୁରେ ଏହି ଗଛର ମଞ୍ଜି ଖସିପଡ଼ିଥାଏ, ଯାହା ପୋକ ପରି ଦେଖାଯାଇଥାଏ । ତେବେ ଏହି ଅଜବ ଘଟଣା ପଛର ପ୍ରକୃତ କାରଣ ସାମ୍ନାକୁ ଆସିନାହିଁ । ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ ଏ ବାବଦରେ କୌଣସି ତଥ୍ୟ ପ୍ରକାଶ କରିନଥିବାରୁ ଏହାକୁ ନେଇ ଲୋକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।