ସୋଆ ଏସ୍‌ପିଏସ୍‌ରେ ବିଶ୍ୱ ଫାର୍ମାସିଷ୍ଟିସ ଦିବସ ପାଳିତ

ଭୁବନେଶ୍ୱର, ସେପ୍ଟେମ୍ବର ୨୬ : ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ (ଏସ୍‌ପିଏସ୍‌) ପକ୍ଷରୁ ଶୁକ୍ରବାର ବିଶ୍ୱ ଫାର୍ମାସିଷ୍ଟସ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି ।
ଏହି ଅବସରରେ ଏସ୍‌ପିଏସ୍‌ର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା । ଜନସାଧାରଣଙ୍କ ମଧ୍ୟରେ ଔଷଧ ପ୍ରତିରୋଧକତା ବା ଆଂଟିମାଇକ୍ରୋବିଆଲ୍ ରେଜିଷ୍ଟାନ୍ସ (ଏଏମ୍‌ଆର) ସଂପର୍କରେ ସଚେତନତା ସୃଷ୍ଟି କରିବା ସହ ଆଂଟିବାୟୋଟିକ୍‌ର ଅପବ୍ୟବହାର ଓ ଅନୁଚିତ ବ୍ୟବହାରକୁ ରୋକିବା ଏହି ରାଲିର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
ଏହି ରାଲିକୁ ଛାତ୍ର ସମନ୍ୱୟକ ଶ୍ରୀ ଦିବ୍ୟଦର୍ଶନ ଧଳ ଏବଂ ସୁଶ୍ରୀ ସ୍ମୃତିଶ୍ରୀ ବଡଜେନା ପରିଚାଳନା କରିଥିଲେ । ରାଲି ପରେ ଏକ ଶପଥ ଗ୍ରହଣ ସମାରୋହ ମଧ୍ୟ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ଫାର୍ମାସିଷ୍ଟ ମାନଙ୍କ ଭୂମିକା ଓ ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମରେ ସିଡିଏସ୍‌ସିଓର ଡ୍ରଗ୍ ଇନ୍ସପେକ୍ଟର ଶ୍ରୀ ମଙ୍ଗଳ ଜ୍ୟୋତି ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରୋଗୀଙ୍କ ସୁରକ୍ଷା, ଔଷଧର ଯୁକ୍ତିଯୁକ୍ତ ବ୍ୟବହାର, ସ୍ୱାସ୍ଥ୍ୟସେବା ଏବଂ ସମାଜ ପ୍ରତି ଫାର୍ମାସିଷ୍ଟ ମାନଙ୍କର ଅବଦାନ ଉପରେ ଗୁରୁତ୍ୱାରୋପ କରିଥିଲେ ।
କାର୍ଯ୍ୟକ୍ରମଟି ସ୍କୁଲ୍ ଅଫ୍ ଫାର୍ମାସିର ଡିନ୍ ପ୍ରଫେସର ଦେବଜ୍ୟୋତି ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ମାନବ ସମାଜର କଲ୍ୟାଣ ନିମନ୍ତେ ଫାର୍ମାସି ପେସାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିବା ନେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ବିଶ୍ୱ ଫାର୍ମାସିଷ୍ଟସ ସପ୍ତାହ ପାଳନ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ସମାରୋହକୁ ଆସୋସିଏଟ୍ ପ୍ରଫେସର ଡକ୍ଟର ପ୍ରିୟବ୍ରତ ପଟ୍ଟନାୟକ ଏବଂ ଆସିଷ୍ଟାଂଟ ପ୍ରଫେସର ଡକ୍ଟର ରୁଦ୍ର ନାରାୟଣ ସାହୁ ପରିଚାଳନା କରିଥିଲେ ।
ଶେଷରେ ଡକ୍ଟର ଶକ୍ତିକେତନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ଶପଥ ଗ୍ରହଣ ସମାରୋହରେ ଏସ୍‌ପିଏସ୍‌ର ସମସ୍ତ ଅଧ୍ୟାପକ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଫାର୍ମାସି ପେସାର ସାମାଜିକ ଦାୟିତ୍ୱ ଓ ଜନସ୍ୱାସ୍ଥ୍ୟ ପ୍ରତି ଏହାର ପ୍ରତିବଦ୍ଧତାକୁ ପୁନଃ ପ୍ରତିଫଳିତ କରିଥିଲା ।