କିସରେ କୁଭି ଜନଜାତି ଭାଷା ଉପରେ କର୍ମଶାଳା

ଭୁବନେଶ୍ୱର,୧୫ ।୧୦: ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ରାଜ୍ୟରେ ଦିନେ ବହୁଳ ଭାବେ କୁହାଯାଉଥିବା କୁଭି ଭାଷାର ପ୍ରଚଳନ କମିଯାଉଥିବାରୁ ଏହାକୁ ଏକ ବିଲୁପ୍ତ ପ୍ରାୟ ଭାଷା ବୋଲି ୟୁନେସ୍କୋ ପକ୍ଷରୁ ସୂଚୀବଦ୍ଧ କରାଯାଇଛି । ଏହି ଭାଷାର ପ୍ରସାର ପାଇଁ କିସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘କୁଭି କ୍ୟରାକ୍ଟର ସେଟ୍‍’ ଶୀର୍ଷକ ଏକ କର୍ମଶାଳା ଆୟୋଜିତ କରାଯାଇଛି । ଏଥିରେ କୁଭି ଭାଷାବିତ୍‍ ପ୍ରଫେସର ରମେଶ କୁମାର, ଶ୍ରୀ କୁମାର, ପରମାନନ୍ଦ ପଟେଲ୍‍ ପ୍ରମୁଖଙ୍କ ସମେତ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଭାଷାବିତ ଯୋଗଦେଇ ଏହି କୁଭି ଭାଷାର ପ୍ରସାର ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦିପକ କୁମାର ବେହେରା କହିଲେ କିସରେ ଡଙ୍ଗରିଆ କନ୍ଧଙ୍କ ଭାଷା କୁଭିକୁ ମଧ୍ୟ ଅନ୍ୟ ଭାଷା ଭଳି ସମାନ ଗୁରୁତ୍ୱ ଦିଆଯାଉଛି ଓ ଏହି ଭାଷା କହୁଥିବା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ମାତୃଭାଷାରେ ପ୍ରାଥମିକ ଶିକ୍ଷା ପ୍ରଦାନ କରାଯାଉଛି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ପାଇଁ ଲେନୋଭେ ଓ ମୋଟୋରୋଲା କମ୍ପାନୀ ସହଯୋଗର ହାତ ବଢ଼ାଇଥିବାରୁ କିସ୍‍ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଚଳିତବର୍ଷଠାରୁ କିସ୍‍ ବିଶ୍ୱବିଦ୍ୟାଳୟ କୁଭି ଭାଷା ଆହୁରି ଗୁରତ୍ୱ ଦିଆଯିବ ବୋଲି ସେ କହିଥିଲେ । ବିଲୁପ୍ତ ହେବାକୁ ବସିଥିବା ବିଭିନ୍ନ ଜନଜାତି କଥିତ ଭାଷାକୁ ଭବିଷ୍ୟତ ପିଢ଼ି ପାଇଁ ବଞ୍ଚାଇ ରଖିବା ସହ ଜନଜାତି ପିଲାଙ୍କ ମଧ୍ୟରେ ଏହି ସବୁ ଭାଷା ପ୍ରତି ଆଗ୍ରହ ସୃଷ୍ଟି ଉଦ୍ଦେଶ୍ୟରେ କିସ୍‍ ବିପଦରେ ଥିବା ବିଭିନ୍ନ ଜନଜାତି ଭାଷାର ପ୍ରସାର ନିମନ୍ତେ କାର୍ଯ୍ୟ କରିଆସୁଛି।