କିମ୍‌ସରେ ଆର୍ଥ୍ରୋସ୍କୋପିକ୍ ଅସ୍ତ୍ରୋପଚାର କର୍ମଶାଳା

କ୍ରୀଡ଼ାବିତ୍‌ଙ୍କ ଆଘାତ ଜନିତ ଚିକିତ୍ସାରେ ଆଣିବ ବୈପ୍ଳବିକ ପରିବର୍ତ୍ତନ

ଭୁବନେଶ୍ୱର,୨୮ା୧୧: କ୍ରୀଡ଼ା ସମ୍ବନ୍ଧୀୟ ଆଘାତର ପ୍ରଭାବଶାଳୀ ଓ ଶୀଘ୍ର ଆରୋଗ୍ୟ ସୁନିଶ୍ଚିତ କରିବା ନେଇ କିମ୍‌ସ-ଭୁବନେଶ୍ୱର ପରିସରରେ ଦୁଇଦିନିଆ ଆର୍ଥ୍ରୋସ୍କୋପିକ୍ ଅସ୍ତ୍ରୋପଚାର କାଡେଭରିକ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହା କ୍ରୀଡ଼ାବିତ୍‌ଙ୍କ ଆଘାତ ଜନିତ ଚିକିତ୍ସାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ । ଆର୍ଥ୍ରୋସ୍କୋପିକ ପ୍ରକ୍ରିୟାରେ ଶରୀରରେ କମ୍ କ୍ଷତ ଦ୍ୱାରା ରୋଗୀର ଚିକିତ୍ସା କରାଯାଇ ପାରିବ । ଏହା ଚିକିତ୍ସା ସାଧାରଣତଃ ଆଣ୍ଠୁ, ଗଣ୍ଠି, କାନ୍ଧ, ନିତମ୍ବ, କଚଟି ଏବଂ କହୁଣୀରେ ଆଘାତ ଲାଗିଥିଲେ କରାଯାଇଥାଏ । ଏହି ଚିକିତ୍ସା ପ୍ରଣାଳୀ କ୍ରୀଡ଼ାବିତ୍‌ମାନଙ୍କ ଆର୍ଥ୍ରୋସ୍କୋପିକ୍ ଅସ୍ତ୍ରୋପଚାର  ପାଇଁ ଗେମ୍ ଚେଞ୍ଜର ହୋଇପାରିବ । କ୍ରୀଡ଼ା ସମ୍ବନ୍ଧୀୟ କ୍ୟାଡେଭାରିକ୍ ଅସ୍ତ୍ରୋପଚାର, କାନ୍ଧ ଆଘାତ ଏବଂ ଏହାର ବ୍ୟାପକ ଚିକିତ୍ସା ପାଇଁ ଏହି କର୍ମଶାଳା ଆରମ୍ଭ କରାଯାଇଥିଲା ବୋଲି ଅସ୍ଥିଶଲ୍ୟ ବିଭାଗ ବିଭାଗୀୟ ମୁଖ୍ୟ ଡ.ଦେବାଶିଷ ମିଶ୍ର କହିଛନ୍ତି । କ୍ରୀଡ଼ାବିତ୍‍ଙ୍କ ଆଘାତ ଚିକିତ୍ସା ପାଇଁ ଖେଳାଳିଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା । ଏଠାରେ ସେମାନଙ୍କ ଚିକିତ୍ସା କିପରି ସହଜରେ ଉପଲବ୍ଧ ହୋଇପାରିବେ ତା ଉପରେ ଗୁରୁତ୍ୱ ଦେଉଛୁ ବୋଲି ଡ.ମିଶ୍ର କହିଛନ୍ତି ।

ଓଡ଼ିଶା ଆର୍ଥ୍ରୋସ୍କୋପିକ୍ ସୋସାଇଟିର ଚତୁର୍ଥ ବାର୍ଷିକ ସମ୍ମିଳନୀରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା । ଓଡ଼ିଶା ଅର୍ଥୋପେଡିକ୍ସ ଆସୋସିଏସନ (ଓଓଏ) ଆନୁକୂଲ୍ୟରେ ଓଡ଼ିଶା ଆର୍ଥ୍ରୋସ୍କୋପିକ୍ ସୋସାଇଟି (ଓଏଏସ୍‌) ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଶେଷଜ୍ଞମାନେ ଅସ୍ତ୍ରୋପଚାରର ସିଧା ପ୍ରସାରଣ କରାଇ ଅତ୍ୟାଧୁନିକ ପ୍ରକ୍ରିୟା ଏବଂ କୌଶଳ ବିଷୟରେ ଜ୍ଞାନ ପ୍ରଦାନ କରିଥିôଲେ । ଚେନ୍ନାଇର ଡା. ସେନ୍ଥିଲ ଭେଲନ ଆର, ନୂଆଦିଲ୍ଲୀର ଡା. ଆଶିଷ ଆଚାର୍ଯ୍ୟ ଓ କୋଲକାତାର ଡା. ସ୍ୱର୍ଣ୍ଣେନ୍ଦୁ ସାମନ୍ତ ଅନ୍ୟ ଯୁବ ଡାକ୍ତରମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।
ରାଜ୍ୟ ସରକାର କ୍ରୀଡ଼ାକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ କ୍ରୀଡ଼ା ପ୍ରଶିକ୍ଷଣକୁ ପ୍ରାଥମିକତା ଦେବା ଏବଂ କ୍ରୀଡ଼ା ସମ୍ବନ୍ଧୀୟ ଆଘାତର ମୁକାବିଲା ଦିଗରେ କିମ୍‌ସ ଅନେକ ଚିକିତ୍ସା ପଦ୍ଧତିକୁ ଅନ୍ତର୍ଭୁକ୍ତ କରିବ ବୋଲି ଡା. ମିଶ୍ର କହିଛନ୍ତି । ଭାରତର ଦ୍ରୁତ ଧାବକ ତଥା କିଟ୍‍ ଛାତ୍ର ଅମୀୟ ମଲ୍ଲିକ ଏହି ସମ୍ମିଳନୀରେ ଯୋଗଦେଇ ଆଘାତ ହେବା ପରେ ଉନ୍ନତ ଚିକିତ୍ସା ତାଙ୍କୁ କିପରି ଟ୍ରାକ୍‌କୁ ଫେରିବାରେ ସାହାଯ୍ୟ କରିଥିଲା ଏବଂ ଜାତୀୟ ରେକର୍ଡ ସୃଷ୍ଟି କରିବାରେ ସାହାଯ୍ୟ କରିଥିଲା ତା ଉପରେ କହିଥିଲେ । ୨୦୧୨ରେ ମୁଁ ଏକ ବିରଳ ଆଘାତ କାରଣରୁ ଅଲିମ୍ପିକ୍ସରୁ ବଞ୍ଚିତ ହୋଇଥିଲି । ଟ୍ରାକ୍‌କୁ  ଫେରିବା ଅସମ୍ଭବ ଥିଲା । ମୁଁ ଅସ୍ତ୍ରୋପଚାର ପାଇଁ ଯାଇଥିଲି, କିନ୍ତୁ ଏକ ସମସ୍ୟା ଥିଲା । ମୁଁ ଶଯ୍ୟାଶାୟୀ ଥିଲି । କିନ୍ତୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏବଂ ମୋ ପରିବାର ମୋତେ ଚିକିତ୍ସା ପ୍ରକ୍ରିୟାରେ ସହଯୋଗ କରିଥିଲେ । ୨୦୧୬ରେ ମୁଁ ପୁଣି ଥରେ ଟ୍ରାକରେ ପହଞ୍ଚି ଜାତୀୟ ରେକର୍ଡ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲି ବୋଲି କହିଥିଲେ । ନଭେମ୍ବର ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଯୋଗ ଦେଇଥିଲେ । ଉଦଘାଟନୀ ଉତ୍ସବରେ ଅଚ୍ୟୁତ ସାମନ୍ତ, ବିଶିଷ୍ଟ ମେରୁଦଣ୍ଡ ସର୍ଜନ ଡା. ଶଙ୍କର ଆଚାର୍ଯ୍ୟ ଓ କିମ୍‍ସ ଅସ୍ଥିଶଲ୍ୟ ବିଭାଗର ବରିଷ୍ଠ ଡାକ୍ତର ଡା. ତନ୍ମୟ ମହାନ୍ତି ପ୍ରମୁଖଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ସମ୍ମିଳନୀରେ ଓଏଏସ୍ ସଭାପତି ଡା. ଆର୍ ଏନ୍ ମହାନ୍ତି, ସମ୍ପାଦକ ଡା. ଆଶୁତୋଷ ମହାପାତ୍ର, ଓଏଏ  ସଭାପତି ଡା. କେ ଶଙ୍କର ରାଓ, ଓଏଏ ସମ୍ପାଦକ ଡା. ବସନ୍ତ କୁମାର ବେହେରା, ମୁମ୍ବାଇର ଡା. ଶ୍ରେୟସ ଗଜର ଓ କୋଏମ୍ବତୁର ଡା. ଏସ୍ ଆର୍ ସୁନ୍ଦରରାଜନ, ଡା. ପି.ସିି ଦେ, ଡା. ରଞ୍ଜିତ ପାଣିଗ୍ରାହୀ, ଡା.ବିଷ୍ଣୁ ପାତ୍ର ଏବଂ ଡା. ସାର୍ଥକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।