ସହର ଅପେକ୍ଷା ଗାଁ ରେ ମହିଳା ମାନେ ପିଅନ୍ତି ଅଧିକ ମଦ

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫) ରିପୋର୍ଟ ଅନୁସାରେ ରାଜ୍ୟର ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ବଢୁଛି ମଦ୍ୟପଙ୍କ ସଂଖ୍ୟା। ତେବେ ସବୁଠାରୁ ଉଦ୍‌ବେଗଜନକ କଥା ହେଉଛି, ଗ୍ରାମାଞ୍ଚଳରେ ପୁରୁଷଙ୍କ ଅପେକ୍ଷା ମଦ ପ୍ରତି ଅଧିକ ସଂଖ୍ୟାରେ ଆସକ୍ତ ହେଉଛନ୍ତି ମହିଳା।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପ୍ରକାଶିତ କରିଛି ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫) ରିପୋର୍ଟ। ଏଥିରେ ଉଲ୍ଲେଖ ରହିଛି- ଓଡ଼ିଶାର ସହରାଞ୍ଚଳରେ ୧୫ ବର୍ଷରୁ ଊର୍ଦ୍ଧ୍ୱ ୨୨.୭ ପ୍ରତିଶତ ପୁରୁଷ ମଦ୍ୟପାନ କରୁଥିବା ବେଳେ ଗ୍ରାମାଞ୍ଚଳରେ ୩୦.୨ ପ୍ରତିଶତ ରହିଛି। ସେହିପରି ସହରାଞ୍ଚଳରେ ମଦ୍ୟପାନ କରୁଥିବା ୧୫ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ସଂଖ୍ୟା ୧.୪ ପ୍ରତିଶତ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଏହା ୪.୯ ପ୍ରତିଶତ ରହିଛି। ସର୍ଭେ ରିପୋର୍ଟ ଅନୁସାରେ ଓଡ଼ିଶାର ମଦ୍ୟପାନ କରୁଥିବା ଲୋକଙ୍କ ମଧ୍ୟରୁ ଏବେ ୪.୯ ପ୍ରତିଶତ ହେଉଛନ୍ତି ମହିଳା। ଏପଟେ ଓଡ଼ିଶା ଭଳି ଅନୁନ୍ନତ ଓ ପଛୁଆ ରାଜ୍ୟର ଗ୍ରାମୀଣ ମହିଳା, ସହରାଞ୍ଚଳ ମହିଳାଙ୍କୁ ପଛରେ ପକାଇ ଦେବା ପରେ ରାଜ୍ୟକୁ ସଂପୂର୍ଣ୍ଣ ମଦମୁକ୍ତ କରିବାକୁ ବର୍ଷ ବର୍ଷ ଧରି ମଦ ମୁକ୍ତି ସଂଗ୍ରାମ ଚଳାଇଥିବା ସଂଗଠନର ହୋସ୍‌ ଉଡ଼ିଯାଇଛି। ତେବେ ଏଥିପାଇଁ ସେମାନେ ସିଧା ସରକାରଙ୍କୁ ଦାୟୀ କରିଛନ୍ତି।
ସେପଟେ ମଦ ମୁକ୍ତ ଓଡ଼ିଶା ପାଇଁ ଆନ୍ଦୋଳନ କରୁଥିବା ହାଇକୋର୍ଟର ଜଣେ ବରିଷ୍ଠ ଆଇନ୍‌ଜୀବୀ ଦାଏର କରିଥିଲେ ଜନସ୍ୱାର୍ଥ ମାମଲା। ଏହି ମାମଲାରେ ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠରେ ମଦ ବିରୋଧରେ କଠୋର ବଦଳରେ ନରମ ମନୋଭାବ ପୋଷଣ କରିଥିବା ଦେଖିବାକୁ ମିଳିଛି। ୧୯୫୬ ମସିହାରେ ମଦକୁ ସଂପୂର୍ଣ୍ଣ ନିଷେଧ କରିବା ପାଇଁ ରାଜ୍ୟ ସରକାର ଆଣିଥିବା ଓଡ଼ିଶା ପ୍ରୋହିବିସନ୍‌ ଆକ୍ଟ ୧୯୫୬ରେ ଏର୍ଯ୍ୟନ୍ତ ରୁଲ୍‌ ଫ୍ରେମ୍‌ କରିନଥିବାରୁ ହାଇକୋର୍ଟରେ ଦାଖଲ ହୋଇଥିଲା ଜନସ୍ୱାର୍ଥ ମାମଲା। ହେଲେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନୀତି ଓ ନିଷ୍ପତ୍ତିରେ କୌଣସି ତ୍ରୁଟି ନଥିଲେ କିମ୍ବା ବ୍ୟକ୍ତିର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉ ନଥିଲେ, ଏଥିରେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ସରକାର ସତ୍ୟପାଠରେ ଦର୍ଶାଇଛନ୍ତି।

Comments (0)
Add Comment