ନଦୀରେ କୁମ୍ଭୀର ଆକ୍ରମଣର ଶିକାର ହୋଇ ମହିଳା ମୃତ

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖରିନାସି ଗ୍ରାମରେ ଆଜି ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ମହାନଦୀର ଶାଖା ‘ଗଳିଆ’ ନଦୀରେ କୁମ୍ଭୀର ଆକ୍ରମଣ ଶିକାର ହୋଇ ଜଣେ ୫୬ ବର୍ଷୀୟା ମହିଳା ପ୍ରାଣ ହରାଇଛନ୍ତି। ମୃତ ମହିଳା ଜଣକ ଖରିନାସି ଗ୍ରାମର ସ୍ୱର୍ଗତ ସମର ଦାସଙ୍କ ପତ୍ନୀ ହେମଲତା ଓରଫ ବିନ୍ଦୁ। ମିଳିଥିବା ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୮ଟା ସମୟରେ ହେମଲତା ଗାଁ ନିକଟରେ ଥିବା ଚାଷ ଜମିକୁ ଯାଇଥିଲେ। ସେଠାରେ ଶୌଚ ହେବା ପାଇଁ ଗଳିଆ ନଦୀ ପାଖକୁ ଯାଇଥିବା ବେଳେ ପାଣିରେ ଲୁଚି ରହିଥିବା ଏକ କୁମ୍ଭୀର ହଠାତ୍ ତାଙ୍କ ଉପରକୁ ଆକ୍ରମଣ କରି ଗଭୀର ପାଣିକୁ ଟାଣି ନେଇଥିଲା। ସ୍ଥାନୀୟ ଲୋକମାନେ କାଫି ଖୋଜାଖୋଜି କରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ପ୍ରଥମେ ତାଙ୍କୁ ରାମନଗର ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୁମ୍ଭୀରଟି ତାଙ୍କ ବାମ ଗୋଡ଼ ଆଣ୍ଠୁ ତଳକୁ କାମୁଡ଼ି ଖତଗଦା କରିଦେଇଥିବା ଦେଖାଯାଇଛି।