ହାଇୱା ଧକ୍କାରେ ମହିଳା ଗୁରୁତର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଧଉଳି ଲିଙ୍ଗିପୁର ଟ୍ରାଫିକ୍ ଛକରେ ଏକ ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କୁ ଏକ ହାଇୱା ଧକ୍କା ଦେବା ପରେ ତାଙ୍କ ଡାହାଣ ଗୋଡ଼ ଉପରେ ଚଢ଼ିଯାଇଥିବା ଅଭିଯୋଗ ହୋଇଛି। ଦୁର୍ଘଟଣାରେ ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ଖବର ଅନୁଯାୟୀ, ମହିଳା ଜଣକ ସ୍କୁଟି ଯୋଗେ ଲିଙ୍ଗିପୁର ଛକ ଦେଇ ଯାଉଥିବା ବେଳେ ଏକ ହାଇୱା ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଧକ୍କାରେ ମହିଳା ଜଣକ ରାସ୍ତା ଉପରେ ପଡ଼ିଯିବା ପରେ ହାଇୱା ତାଙ୍କ ଡାହାଣ ଗୋଡ଼ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ଥିବା ଟ୍ରାଫିକ୍ କର୍ମଚାରୀ ଓ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ। ଧଉଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମହିଳାଙ୍କୁ ଥାନା ଗାଡ଼ିରେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ପୋଲିସ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରିଛି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ବୁଝାସୁଝା କରି ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା ।