ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ନଭେମ୍ବର ୧୮ତାରିଖରୁ ଆରମ୍ଭ ହେବ। ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ୩୧ଟି କାର୍ଯ୍ୟଦିବସ ରହିଛି। ଅଧିବେଶନର ପ୍ରଥମଦିନରେ ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ବିଧାନସଭା ସଚିବାଳୟ ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁସାରେ, ସପ୍ତଦଶ ଓଡ଼ିଶା ବିଧାନସଭାର ଅଷ୍ଟମ ଅଧିବେଶନ ଆସନ୍ତା ନଭେମ୍ବର ୧୮ ତାରିଖ ବୁଧବାରଠାରୁ ୪୪ ଦିନ ଅର୍ଥାତ୍ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବଧି ମଧ୍ୟରେ ମୋଟ ୩୧ଟି କାର୍ଯ୍ୟଦିବସ ରହିଛି। ବିଜ୍ଞପ୍ତି ଅନୁସାରେ, ଅଧିବେଶନର ପ୍ରଥମ ଦିନ ଅର୍ଥାତ୍ ନଭେମ୍ବର ୧୮ତାରିଖରେ ୨୦୨୬-୨୦୨୭ ଆର୍ôଥକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ଖର୍ଚ୍ଚ ବିବରଣୀ(ବଜେଟ) ଉପସ୍ଥାପନ କରାଯିବ। ଏହାପରେ ନଭେମ୍ବର ୨୫,୨୬ ଓ ୨୭ ତାରିଖ ତିନି ଦିନ ଧରି ଅତିରିକ୍ତ ଖର୍ଚ୍ଚ ବିବରଣୀ ଦାବି ଉପରେ ଆଲୋଚନା ହେବ। ନଭେମ୍ବର ୩୦ତାରିଖ ସୋମବାର ଦିନ ଏହି ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ବ୍ୟୟ ମଞ୍ଜୁରୀ ଆଗତ କରାଯାଇ ପାରିତ ହେବାକୁ ସ୍ଥିରୀକୃତ ହୋଇଛି। ଅଧିବେଶନରେ ମୋଟ୍ ୩୧ଟି କାର୍ଯ୍ୟଦିବସ ମଧ୍ୟରୁ ୨୫ଟି ସରକାରୀ କାର୍ଯ୍ୟ ଦିବସ ଓ ବଜେଟ୍ ସମ୍ବନ୍ଧୀୟ ଆଲୋଚନା ପାଇଁ ରଖାଯାଇଥିବାବେଳେ ୬ଟି ବେସରକାରୀ ସଭ୍ୟଙ୍କ କାର୍ଯ୍ୟ ଦିବସ(ବିଲ୍ ଓ ସଂକଳ୍ପ) ନିମନ୍ତେ ଧାର୍ଯ୍ୟ କରାଯାଇଛି। ନଭେମ୍ବର ୨୦, ଡିସେମ୍ବର ୪, ୧୧, ୧୮, ୨୯ ଓ ୩୧ ତାରିଖକୁ ବେସରକାରୀ କାର୍ଯ୍ୟଦିବସ ଭାବେ ଧାର୍ଯ୍ୟ ହୋଇଛି।