ଭୁବନେଶ୍ବର:କଂଗ୍ରେସରୁ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ବହିଷ୍କାର କରାଯିବା ପରେ ଦଳ ଭିତରେ ହଲ୍ଚଲ୍ ସୃଷ୍ଟି ହୋଇଛି । ମୋକିମଙ୍କ ବିରୋଧରେ ଯାହା ପଦକ୍ଷେପ ନିଆଯାଇଛି, ତାହା ଅତି କଠୋର ବୋଲି ଅନେକ ବରିଷ୍ଠ ନେତା କହୁଛନ୍ତି । ସେ ଦଳ ପାଇଁ ସଂପତ୍ତି ଥିଲେ ବୋଲି ଅନେକ ନେତା ମତ ଦେଉଛନ୍ତି । ମୋକିମଙ୍କୁ ନେଇ ଏସବୁ ପ୍ରତିକ୍ରିୟା ଓ ବିବୃତି ମଧ୍ୟରେ ସେ ନୂଆ ଏକ ଦଳ ଗଠନ କରିବା ନେଇ ତାଙ୍କ ନିକଟତମ ମହଲରୁ ଯେଉଁ ଖବର ଶୁଣିବାକୁ ମିଳୁଛି ତାହା ରାଜନୈତିକ ଚର୍ଚ୍ଚାକୁ ଦ୍ୱିଗୁଣିତ କରିଛି । ଅନ୍ୟପଟେ ମୋକିମଙ୍କୁ ବହିଷ୍କାର ପରେ କଟକ ନଗର କଂଗ୍ରେସ ସଂଗଠକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗତକାଲି ପୁରୀଘାଟ ଅଞ୍ଚଳରେ ବାରବାଟୀ କଟକ ବିଧାନସଭା କ୍ଷେତ୍ରର କଂଗ୍ରେସ ତୁଙ୍ଗ ନେତାଙ୍କ ସମେତ ନଗର କଂଗ୍ରେସର୧ ନମ୍ବର ୱାର୍ଡରୁ ୫୯ ନମ୍ବର ୱାର୍ଡ ଯାଏ ବିଭିନ୍ନ ୱାର୍ଡର ଦଳୀୟ ଛାମୁଆ ନେତା,ସଂଗଠକ ଓ ଆଗଧାଡ଼ିର କର୍ମୀ ଏକାଠି ହୋଇଥିଲେ । ମୋକିମ୍ କିମ୍ବା ତାଙ୍କ ଝିଅ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍ ବୈଠକରେ ଉପସ୍ଥିତ ନଥିଲେ ମଧ୍ୟ କଟକ କଂଗ୍ରେସର କିଛି ତୁଙ୍ଗ ନେତା ଉପସ୍ଥିତ ଥିଲେ । ମୋକିମଙ୍କ ଅନୁଗତମାନେ ସମୂହ ଇସ୍ତଫା ଦେବା ନେଇ ଆଲୋଚନା ଚାଲିଥିବା ସମ୍ପର୍କରେ ଗତକାଲି କିଛି ନେତା ଆଭାସ ଦେଉଥିଲେ ହେଁ କେହି ଇସ୍ତଫା ଦେଇ ନଥିଲେ । ତେବେ ଏନେଇ ଖୁବ୍ଶୀଘ୍ର ଝଲକ୍ ଦେଖିବାକୁ ମିଳିବ ବୋଲି କୁହାଯାଉଛି । ଗତକାଲିଠାରୁ ମୋକିମଙ୍କ ଶିବିର ଏକପ୍ରକାର ନିରବ ରହିଛି । ଏହାଝଡ଼ ପୂର୍ବର ନିରବତା ବୋଲି ଦଳର କିଛିନେତା କଳ୍ପନା କରୁଛନ୍ତି । କଟକରେ କଂଗ୍ରେସ ପାଇଁ ସଫଳତା ଆଣିବାରେ ମୋକିମଙ୍କ ଅବଦାନଙ୍କୁ ଭୁଲିପାରିବୁ ନାହିଁ ବୋଲି ଆଜି ବୈଠକରେ ବହୁ ନେତା କହିଥିଲେ । ଦଳର ସମ୍ମାନ ରଖିଥିବା ନେତାଙ୍କୁ ରାତାରାତି ଯଦି ବହିଷ୍କାର କରାଯିବ ତାହେଲେ ଆମ୍ଭମାନଙ୍କର ମୂଲ୍ୟ କ’ଣ ବୋଲି ଅନେକପ୍ରଶ୍ନ କରିଥିଲେ । ବହିଷ୍କାରକୁ ଆମେ ସହଜରେ ଗ୍ରହଣ କରିପାରୁନାହୁଁ,ତେଣୁ ମୋକିମ୍ ବାବୁଙ୍କ ସହ ଆମେ ଅଛୁ ବୋଲି ୫୯ଟି ଯାକ ୱାର୍ଡରୁ ଆସିଥିବା ନେତାଓ କର୍ମୀ ରୋକ୍ଠୋକ୍ ଶୁଣାଇଥିଲେ ।ଏ ପର୍ଯ୍ୟନ୍ତ ମୋକିମ୍ ବାବୁଙ୍କ ସହ ଆମର ଆଲୋଚନା ହୋଇନାହିଁ । ଆଲୋଚନା ପରେ ଖୁବ୍ ଶୀଘ୍ର ଆମେ କିଛି ପଦକ୍ଷେପ ନେବୁ ବୋଲି ନଗର କଂଗ୍ରେସ ସଂଗଠନର ଅନେକ ନେତା ଗଣମାଧ୍ୟମକୁ ବୈଠକ ପରେ ପ୍ରତିକ୍ରିୟା ଦେଇ କହିଛନ୍ତି ।ରାଜ୍ୟ କଂଗ୍ରେସରେ ସଂଖ୍ୟାଲଘୁ ଛାମୁଆ ନେତା ଭାବେ ମୋକିମ୍ ବହୁଚର୍ଚ୍ଚିତ ଚେହେରା ଥିଲେ । ୨୦୧୯ ରୁ ୨୦୨୪ ଯାଏ ସେ କଂଗ୍ରେସର ଏକମାତ୍ର ସଂଖ୍ୟାଲଘୁ ବିଧାୟକ ଭାବେ ଜିତିଥିଲେ । ଏବେ ଝିଅ ସୋଫିଆ ବିଧାୟିକା । କଟକନଗର କଂଗ୍ରେସ ଓ ଜିଲ୍ଲା ସମେତ ସାରାରାଜ୍ୟରେ ଅନେକ ସଂଖ୍ୟାଲଘୁ ନେତାମୋକିମଙ୍କ ସପକ୍ଷରେ ରହିଛନ୍ତି । ଭୋଟ ରାଜନୀତିରେ କଂଗ୍ରେସ ପାଇଁ ସଂଖ୍ୟା ଲଘୁ ଭୋଟ ବଡ଼ ପୁଞ୍ଜି ହୋଇଥିବା ବେଳେ ମୋକିମ୍ ଙ୍କୁ ବହିଷ୍କାର କରିବା ଦଳ ପାଇଁକ୍ଷତି ପହଞ୍ଚାଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି । ତେବେ ମୋକିମ୍ ନୂଆ ଦଳ ଗଠନ କରିବାନେଇ ଯେଉଁ ଚର୍ଚ୍ଚା ହେଉଛି ସେଥିରେ ସତ୍ୟତା କେତେ ରହିଛି ସେ ନେଇ କେହି ସ୍ଥିର ନିଶ୍ଚିତ ନୁହନ୍ତି ।ରାଜନୈତିକ ସମୀକ୍ଷକଙ୍କ କହିବାନୁସାରେ, ଶୂନ୍ୟରୁ କେଉଁଠି ଚର୍ଚ୍ଚାହୁଏନି । ନେତାଙ୍କଠୁ କିଛି ଆଭାସ ନପାଇଲେ କର୍ମୀ କାହିଁକି ମିଛଟାରେ ଦଳଗଠନ କଥା ଚର୍ଚ୍ଚା କରିବେ? କଂଗ୍ରେସରୁ ତାଙ୍କୁ ବହିଷ୍କାର କରାଯାଇଥିଲେ ମଧ୍ୟ କଂଗ୍ରେସର ନୀତି ଆଦର୍ଶକୁ ଆୟୁଧ କରିସେ ରାଜନୀତି କ୍ୟାରିୟର୍ ଆରମ୍ଭ କରିଛନ୍ତି ଓ କଂଗ୍ରେସକୁ ଭୁଲି ପାରିବେ ନାହିଁ ବୋଲି ଗତକାଲି ସାମ୍ବାଦିକମାନଙ୍କୁ କହିଥିଲେ ।ଏଣୁ ମୋକିମଙ୍କ ନୂଆ ଦଳ ଗଠନକୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ଯଦିସତ ହୁଏ ତେବେ ‘ଓଡ଼ିଶା, କଂଗ୍ରେସ,ଲୋକ ଓ ଜନ’ ଭଳି ଶବ୍ଦକୁ ଯୋଡ଼ି ସେ କୌଣସି ରାଜନୈତିକ ଦଳ ବା ମୋର୍ଚ୍ଚାକରିପାରନ୍ତି ବୋଲି ତାଙ୍କ ନିକଟତମ ସୂତ୍ରରୁ ଶୁଣିବାକୁ ମିଳୁଛି । ଏ ସଂପର୍କରେ ମୋକିମଙ୍କ ପ୍ରତିକ୍ରିୟା ମିଳି ପାରିନଥିବାବେଳେ ତାଙ୍କ ଅନୁଗତ,ସମର୍ଥକମାନେ କେହି ମୁହଁ ଖୋଲୁନାହାନ୍ତି ।