ହୀରାକୁଦକୁ ଅନ୍ତରାଷ୍ଟ୍ରୀୟ ମାନଚିତ୍ରରେ ନୂଆରୂପରେ ପରିଚିତ କରାଇବ – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର, ଜାନୁଆରୀ ୨୫ – ସମ୍ବଲପୁରର ବିଶ୍ୱପ୍ରସିଦ୍ଧ ହୀରାକୁଦକୁ ଅନ୍ତରାଷ୍ଟ୍ରୀୟ ପର୍ଯ୍ୟଟନ ମାନଚିତ୍ରରେ ଏକ ନୂଆ ପରିଚୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ଆସନ୍ତା ଫେବୃୟାରୀ ୧୫, ୨୦୨୬ରେ ‘ହୀରାକୁଦ ଆନ୍ତର୍ଜାତୀୟ ହାଫ୍ ମାରାଥନ୍’ ଆୟୋଜିତ ହେବାକୁ ଯାଉଛି । ଏହି କ୍ରମରେ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ମାରାଥନର ଆନୁଷ୍ଠାନିକ ଲୋଗୋ ଏବଂ ଜର୍ସି ଉନ୍ମୋଚନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ଏହି ମାରାଥନ କେବଳ ଏକ ଦୌଡ଼ ନୁହେଁ, ବରଂ ଏହା ହୀରାକୁଦକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏକ ମାଧ୍ୟମ । ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ) ଦ୍ୱାରା ଏହି ମାରାଥନ ଆୟୋଜିତ ହେଉଥିବା ବେଳେ ଓଡ଼ିଶା ସରକାର ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ସମ୍ବଲପୁରର ପର୍ଯ୍ୟଟନ କ୍ଷେତ୍ରକୁ ଗତିଶୀଳ କରିବା ସହ ‘ସୁସ୍ଥ ସମ୍ବଲପୁର ଓ ସୁସ୍ଥ ଓଡ଼ିଶା’ ଗଠନ ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଗଣଦୌଡର ଲକ୍ଷ୍ୟ ରହିଛି । କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ସବୁ ବର୍ଗର ନାଗରିକଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ପଞ୍ଜିକରଣ କରିବାକୁ ଆହ୍ୱାନ ଦେଇଛନ୍ତି । ହୀରାକୁଦର ପର୍ଯ୍ୟଟନ ବଢ଼ାଇବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ଶ୍ରୀ ସୂରଜ ସୂର୍ଯ୍ୟବଂଶୀ ପ୍ରମୁଖ ଉପସ୍ଥିତ ଥିଲେ ।