କିଟ୍‍ ଦ୍ୱାରା ବିକଶିତ ବନ୍ୟପ୍ରାଣୀ ମନିଟରିଂ ଡିଭାଇସ୍‍ ଡିଜାଇନକୁ ମିଳିଲା ପେଟେଣ୍ଟ

ଭୁବନେଶ୍ୱର, ୨୭ ।୫: ପ୍ରଯୁକ୍ତିବିଦ୍ୟା-ଚାଳିତ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି, “ଇଣ୍ଟେଲିଜେଣ୍ଟ ସେନ୍ସର ଡିଭାଇସ୍ ଫର୍‍ ଅଟୋମେଟେଡ୍ ୱାଇଲ୍ଡଲାଇଫ୍ ମନିଟରିଂ’ ଶୀର୍ଷକ ଏକ ଅଭିନବ ଉପକରଣକୁ ଡିଜାଇନ୍ ପେଟେଣ୍ଟ ପ୍ରଦାନ କରାଯାଇଛି। ଏହା କିଟ ବିଶ୍ୱବିଦ୍ୟାଳୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଥିବା ବେଳେ ଗବେଷଣା-ଆଧାରିତ ପରିବେଶ ସୁରକ୍ଷା ପଦକ୍ଷେପରେ ଏହାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ।

କିଟ୍‍ ଲ୍ୟାବ୍‍ରେ ବିକଶିତ ଏହି ପ୍ରଯୁକ୍ତିର ଉଦ୍ଦେଶ୍ୟ ହେଉଛି ସେନ୍ସର-ଆଧାରିତ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବନ୍ୟପ୍ରାଣୀ ତଦାରଖ ଏବଂ ଜୈବ ବିବିଧତା ସଂରକ୍ଷଣ ପ୍ରଣାଳୀକୁ ସୁଦୃଢ଼ କରିବା। ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବିଶ୍ୱନାଥ ନୀଳାନ୍ନଭରଙ୍କ ମାର୍ଗଦର୍ଶନରେ ପରିଚାଳିତ ଏହି ପ୍ରକଳ୍ପରେ କିଟ୍‍ ସହକାରୀ ରେଜିଷ୍ଟ୍ରାର ପ୍ରଫେସର ମନୋଜ ଉକାମନାଲ ଏହି ଉପକରଣର କାର୍ଯ୍ୟାନ୍ୱୟନ ତଦାରଖ କରିଥିଲେ।

ଏହି ନବସର୍ଜନା ପରିବେଶଗତ ଚ୍ୟାଲେଞ୍ଜ ପାଇଁ ଆନ୍ତଃବିଭାଗୀୟ ଗବେଷଣା ଏବଂ ବ୍ୟବହାରିକ ପ୍ରଯୁକ୍ତିବିଦ୍ୟା ସମାଧାନ ଉପରେ କିଟ୍‍ ଗୁରୁତ୍ୱକୁ ଦେଇଆସୁଛି। କେବଳ ଏହି ଡିଭାଇସର ଉଦ୍‍ଭାବନରେ ନୁହେଁ ବରଂ ପ୍ରକଳ୍ପ ପାଇଁ ଶୈକ୍ଷିକ ଏବଂ ବୌଦ୍ଧିକ ସଂପତ୍ତି ସହାୟତା ପ୍ରଦାନ କରିବାରେ ମଧ୍ୟ କିଟ୍ କାର୍ଯ୍ୟ କରି ଆସୁଛି। କିଟ ଲ ସ୍କୁଲର ସହଯୋଗୀ ପ୍ରଫେସର ଡ ଇପ୍ସିତା ଦାସ ଓ ଡ ତୁଲିଶ୍ରୀ ପ୍ରଧାନ ପେଟେଣ୍ଟ ପଞ୍ଜିକରଣ ପ୍ରକ୍ରିୟା ଏବଂ ଶିକ୍ଷାଗତ ସମନ୍ୱୟକୁ ସହଜ କରିବାରେ ସକ୍ରିୟ ସହାୟତା ପ୍ରଦାନ କରିଥିଲେ।

ଏହି ପ୍ରକଳ୍ପର ଧାରଣା ଓ ରୂପରେଖା ବ୍ରହ୍ମପୁରର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରୁଥିବା ‘ଇନୋଭେସନ ସେଲ୍‌’ରେ କରାଯାଇଥିଲା। ଏହା ବନ କର୍ତ୍ତୃପକ୍ଷ ଓ ଶିକ୍ଷାଗତ ଗବେଷକଙ୍କ ମଧ୍ୟରେ ସହଯୋଗର ସଫଳ ଫଳାଫଳ ବୋଲି କୁହାଯାଉଛି। ଏହି ପଦକ୍ଷେପ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞତା ଏବଂ କ୍ଷେତ୍ର-ସ୍ତରୀୟ ସଂରକ୍ଷଣ ଆବଶ୍ୟକତା ମଧ୍ୟରେ ଏକ ଉଲ୍ଲେଖନୀୟ ସମନ୍ୱୟ ହାସଲ କରେ। ଏହାର ଲକ୍ଷ୍ୟ ବନ୍ୟପ୍ରାଣୀ ନିରୀକ୍ଷଣ ପାଇଁ ଏକ ସ୍ମାର୍ଟ ଓ କମ୍ ଅନୁପ୍ରବେଶକାରୀ ବ୍ୟବସ୍ଥା ବିକଶିତ କରିବା।

ପ୍ରାକୃତିକ ବାସସ୍ଥାନରେ ମାନବ ହସ୍ତକ୍ଷେପକୁ ହ୍ରାସ କରିବା ସହିତ ଜୈବ ବିବିଧତା ପର୍ଯ୍ୟବେକ୍ଷଣ ଏବଂ ବନ୍ୟପ୍ରାଣୀ ତଦାରଖର ଗୁଣବତ୍ତା ବୃଦ୍ଧି କରିବା ପାଇଁ ଏହି ଉପକରଣ ଡିଜାଇନ୍ କରାଯାଇଛି ବୋଲି ଏହି ପ୍ରକଳ୍ପରେ କାମ କରୁଥିବା ବିଶେଷଜ୍ଞ ପ୍ରକାଶ କରିଛନ୍ତି। ଏହି ପ୍ରଯୁକ୍ତିବିଦ୍ୟା ଅଧିକ ବୁଦ୍ଧିମାନ, କମ୍ ଅନୁପ୍ରବେଶକାରୀ ଏବଂ କ୍ଷେତ୍ରସ୍ତରୀୟ ଜୈବ ବିବିଧତା ତଦାରଖ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ସେମାନେ କହିଛନ୍ତି।