ଆସନ୍ତାକାଲି କାହିଁକି ବନ୍ଦ ରହିବ ଶ୍ରୀମନ୍ଦିର ?

ପୁରୀ:ଆସନ୍ତାକାଲି ଗୁରୁବାର ଦିନ ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ । କାଳିଆ ଠାକୁରଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହେବେ ସାଧାରଣ ଭକ୍ତ । କାରଣ କାଲି ହେବ ମହାପ୍ରଭୁଙ୍କ ବନକ ଲାଗି । ସେଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଏ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ବୁଧବାର ସୂଚନା ଦିଆଯାଇଛି ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ,  ଆସନ୍ତାକାଲି ଅର୍ଥାତ ୫ ତାରିଖ ଗୁରୁବାର ଆଶ୍ୱିନ କୃଷ୍ଣ ପକ୍ଷ ଷଷ୍ଠୀ ତିଥି । ଏହି ତିଥିରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକଲାଗି ନୀତି । ଏଣୁ ଦ୍ୱିତୀୟ ଭୋଗ ମଣ୍ଡପରେ ଭୋଗ ଶେଷ ହେବା ପରେ ଦତ୍ତ ମହାପାତ୍ର ସେବାୟତମାନେ ବନକଲାଗି ନୀତି ଆରମ୍ଭ କରିବେ ।

ଠାକୁରଙ୍କର ଏହି ନୀତିରେ ହିଙ୍ଗୁଳ, ହରିତାଳ, କସ୍ତୁରୀ, କେଶର ଏବଂ ଅନ୍ୟାନ୍ୟ ପ୍ରାକୃତିକ ଜିନିଷ ଲଗାଇ ଶ୍ରୀମୁଖ ଶୃଙ୍ଗାର କରାଯିବ । ଶ୍ରୀମୁଖ ଶୃଙ୍ଗାର ପରେ ନୂଆ ରୂପରେ ଚମକିବେ ତିନି ଠାକୁର । ଏଥିପାଇଁ ଅପରାହ୍ନ ପ୍ରାୟ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜଗା ଦର୍ଶନ ବନ୍ଦ ରହିବ ।