କାହିଁକି ନିଲାମ ହେଲା ଏୟାର ଇଣ୍ଡିଆ

ଏୟାର ଇଣ୍ଡିଆ ର ମାଲିକାନା ସ୍ୱତ୍ତ୍ୱ ନିଜ ହାତକୁ ନେଇଛି ଟାଟା ଗ୍ରୁପ । ଋଣ ବଝ ଭିତରେ ବୁଡି ରହିଥିବା ଏୟାର ଇଣ୍ଡିଆ କୁ ୧୮ ହଜାର କୋଟି ଟଙ୍କାରେ ନିଲାମୀକୁ ଜିତି ନେଇଛି ଟାଟା ସନ୍ସ । ତେବେ ଏହା ପ୍ରଥମ ଥର ନୁହେଁ, ଏହାପୂର୍ବରୁ ମଧ୍ୟ ଏୟାର ଇଣ୍ଡିଆର ନିଲାମ ପାଇଁ ଚେଷ୍ଟା କରିଥିଲେ କେନ୍ଦ୍ର ସରକାର । ହେଲେ ଋଣ ବୋଝରେ ବୁଡି ରହିଥିବା ଏହି ଏୟାର ଲାଇନ୍ସକୁ କିଣିବାକୁ ସେପରି କୌଣସି କମ୍ପାନୀ ଆଗ୍ରହ ଦେଖାଇନଥିଲେ । ଯେଉଁ କାରଣରୁ ଆଜି ପର୍ଯ୍ୟନ୍ତ ଏହାର ନିଲାମୀ ହୋଇପାରିନଥିଲା । ହେଲେ ଶେଷରେ ଟାଟା ସନ୍ସ ଏହି ନିଲାମ ପ୍ରକ୍ରିୟା ଜିତି ନେଇଛି ।
କେନ୍ଦ୍ର ସରକାର ଙ୍କ ଅଧୀନ ରେ ଥିବା ଏୟାର ଇଣ୍ଡିଆର ଋଣ ବୋଝ ବଢ଼ିଲା କେମିତି । ନିଲାମ ହେବା ପୂର୍ବରୁ ଏୟାର ଇଣ୍ଡିଆ ଉପରେ ମୋଟ ୬୧ ହଜାର ୫୬୨ କୋଟି ଟଙ୍କା ଋଣ ଥିଲା । ଆଉ ନିଲାମ ଶେଷ ହେବା ପରେ ଏବେ ଏୟାର ଇଣ୍ଡିଆ ଉପରେ ଏବେ ବି ୪୬ ହଜାର ୨୬୨ କୋଟି ଟଙ୍କା ଋଣ ବାକି ରହିଛି ।
କିନ୍ତୁ ୧୦ ବର୍ଷ ତଳେ ଏୟାର ଇଣ୍ଡିଆ ଉପରେ ଗୋଟିଏ ଟଙ୍କା ବି ଋଣ ନଥିଲା । ହେଲେ ଏହାପରେ ପରେ ଋଣ ବୋଝରେ ବୁଡି ଯାଇଥିଲା ଏୟାର ଇଣ୍ଡିଆ । ୧୯୫୪ ମସିହାରେ ବିମାନ କମ୍ପାନୀର ରାଷ୍ଟ୍ରୀୟକରଣ କରାଯାଇଥିଲା । ସେତେବେଳେ ସରକାର ଘରୋଇ ସେବା ପାଇଁ ଇଣ୍ଡିଆନ ଏୟାରଲାଇନ୍ସ ଓ ବିଦେଶ ଯାତ୍ରା ପାଇଁ ଏୟାର ଇଣ୍ଡିଆର ଆରମ୍ଭ କରିଥିଲେ । ହେଲେ ୨୦୦୦ ମସିହା ପର୍ଯ୍ୟନ୍ତ ଏହି ବିମାନ ସେବା ଲାଭରେ ଥିଲା, ହେଲେ ୨୦୦୧ ମସିହାରେ ପ୍ରଥମ କରି କମ୍ପାନୀରେ ୫୭ କୋଟି ଟଙ୍କା କ୍ଷତି ହୋଇଥିଲା । ଆଉ ସେବେଠୁ ଏହି ଋଣ ବୋଝ ବଢିଚାଲିଥିଲା ।
୨୦୦୭ ମସିହାରେ ଏୟାର ଇଣ୍ଡିଆରେ ଇଣ୍ଡିଆନ୍ ଏୟାରଲାଇନ୍ସର ବିଲୟ କରି ଦିଆଯାଇଥିଲା । ସେତେବେଳେ ଏହି ଦୁଇ ଏୟାର ଲାଇନ୍ସ ଉପରେ ମୋଟ ୭୭୧ କୋଟି ଟଙ୍କା ଋଣବୋଝ ରହିଥିଲା । ଇଣ୍ଡିଆନ୍ସ ଏୟାରଲାଇନ୍ସ ଉପରେ ସେତେବେଳେ ୨୩୦ କୋଟି ଟଙ୍କା ଋଣ ଥିଲାବେଳେ, ଏୟାର ଇଣ୍ଡିଆ ଉପରେ ୫୪୧ କୋଟି ଟଙ୍କା ଋଣ ଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ପରେ ଏହି ଋଣକୁ ଶୁଝିବାକୁ କମ୍ପାନୀକୁ ଲୋନ୍ ନେବାକୁ ପଡିଥିଲା । ଆଉ କମ୍ପାନୀ ଧୀରେଧୀରେ ବୁଡିବାକୁ ଲାଗିଥିଲା । ଏକ ରିପୋର୍ଟ ମୁତାବକ, ୨୦୦୭-୦୮ ବେଳକୁ ଏହି ଋଣର ପରିମାଣ ୨୨୨୬ କୋଟି, ୨୦୦୮-୦୯ ବେଳକୁ ୭୨୦୦ କୋଟି, ୨୦୦୯-୧୦ ବେଳକୁ ୧୨ ହଜାର କୋଟି ଟଙ୍କା ହୋଇଯାଇଥିଲା ।
ତେବେ କମ୍ପାନୀ ଋଣ ବୋଝରେ ବୁଡିବାର ଏକମାତ୍ର ବଡ କାରଣ ଥିଲା ୨୦୦୫ ମସିହାର ଏକ ଘଟଣା । ସେହି ବର୍ଷ କମ୍ପାନୀ ୧୧୧ଟି ନୂଆ ବିମାନ କିଣିଥିଲା । ଯେଉଁଥିପାଇଁ ମୋଟ ୭୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ହେଲେ ଏହି ବଡ କିଣାବିକା ପରେ କମ୍ପାନୀ ଦେବାଳିଆ ହୋଇଯାଇଥିଲା । ଏହି ବିମାନକୁ ସଠିକ୍ ଢଙ୍ଗରେ ଉଡାଇ ନପାରିବା ସହିତ କମ୍ପାନୀ ଋଣବୋଝରେ ବୁଡିଥିଲା । ସେହିପରି ଅନ୍ୟ ଘରୋଇ କମ୍ପାନୀର ବିମାନ ଦିନକୁ ୧୪ ଘଣ୍ଟା ଆକାଶରେ ଯାତ୍ରା କରୁଥିଲେ, ହେଲେ ଏୟାର ଇଣ୍ଡିଆର ବିମାନ ଗୋଟିଏ ଦିନରେ କେବଳ ୧୦ ଘଣ୍ଟା ଯାତ୍ରା କରୁଥିଲେ । ଏହି କାରଣରୁ କମ୍ପାନୀର କ୍ଷତି ବଢିବାକୁ ଲାଗିଥିଲା । ତା ସହିତ ଏୟାର ଇଣ୍ଡିଆ ଏପରି ସ୍ଥାନକୁ ଯାତ୍ରା ଆରମ୍ଭ କରିଥିଲା, ଯେଉଁଠିକୁ ଅଧିକ ଲୋକ ଯାତ୍ରା କରିନଥାନ୍ତି । ତେଣୁ ବିମାନ ଉଡିବାକୁ ଯେତିକି ଟଙ୍କା ଖର୍ଚ୍ଚ ହେଉଥିଲା, ସେତିକି ପରିମାଣରେ ଆୟ ହୋଇ ପାରୁନଥିଲା ।

Comments (0)
Add Comment