ଚଇତ ମଙ୍ଗଳା ପୂଜା କାହିଁକି କରାଯାଏ ଏବଂ ଏହାର କିପରି ନିୟମ ରହିଛି

ଚୈତ୍ର ମଙ୍ଗଳବାର ଓଷା ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ଦିନ ପାଳିତ ହୁଏ।ବିଶେଷ କରି ପୁରୀ ଜିଲ୍ଲାର କାକଟପୁର ମଙ୍ଗଳା ଏବଂ ବ୍ରହ୍ମପୁରର ତାରାତାରିଣୀ ପୀଠରେ ଏହିଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇଥାଏ। ମଙ୍ଗଳବାର ପ୍ରଥମ ପାଳିରେ ମା ମଙ୍ଗଳାଙ୍କ ନେତ୍ରୋତ୍ସବ ବିଧାନ ପାଳିତ ହେଉଥିବା ବେଳେ। ପୂଜକମାନେ ସୁସଜ୍ଜିତ ବିମାନରେ ଧ୍ବଜାର ବେଢ଼ା ପରିକ୍ରମା କରାଇବା ପରେ ମନ୍ଦିର ଚୂଡ଼ାରେ ଉକ୍ତ ଧ୍ବଜାକୁ ବାନ୍ଧିଥାନ୍ତି। ତାରାତାରିଣୀ ପୀଠରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳେ।

ଚୈତ୍ର ମାସର ପାଞ୍ଚ ପାଳି ମଙ୍ଗଳବାର ଓଷାକୁ ବ୍ରତଧାରୀମାନେ ନିଷ୍ଠାର ସହ ପାଳନ କରୁଥିବା ବେଳେ ଆଜି ରାଜ୍ୟର ଗାଁଗଣ୍ଡାରେ ପନ୍ଥେଇ ପୂଜା ଆରମ୍ଭ ହୋଇଛି। କିମ୍ବଦନ୍ତୀ ଅନୁସାରେ ଚଇତି ହାଡ଼ିଆଣୀ ଚୈତ୍ର ମାସର ପ୍ରତି ମଙ୍ଗଳବାର ଦିନ ଘରଦ୍ୱାର ଲିପାପୋଛା କରି ଝୋଟି ପକାଏ । ବିଭିନ୍ନ ପ୍ରକାର ଫଳ, ଫୁଲ, ଭୋଗରେ ମଙ୍ଗଳାଙ୍କୁ ପୂଜା କରେ । ଦିନେ ରାଜନବର ଓଳାଇବାକୁ ଯାଇଥିଲା । ସକାଳୁ ରାଜାଙ୍କ ମୁହଁକୁ ଦେଖି ଅଶୁଭ ହେବ ବୋଲି ଚଇତି ହାଡ଼ିଆଣି ଆଶଙ୍କା କରିଛି, କାରଣ ରାଜା ହେଉଛନ୍ତି ଅପୁତ୍ରିକ । ଆଉ ନିଜକୁ ସଂଯତ କରି ନପାରି ରାଜାଙ୍କୁ ଆଣ୍ଠୁକୁଡ଼ା କହିଦେଇଛି ।

ଫଳରେ ରାଜା ଏହିକଥାରେ ଭୀଷଣ ରାଗିଯାଇ ଚଇତି ହାଡ଼ିଆଣିର ସାତପୁଅକୁ ଢିଙ୍କିରେ କୁଟାଇ କାଳୁଆ ଗଣ୍ଡରେ ଭସାଇଦେବାକୁ ଆଦେଶ ଦେଇଛନ୍ତି । ପୁତ୍ରମାନଙ୍କୁ ହରାଇ ଥିଲେ ମଧ୍ୟ ଦୁଃଖରେ ଭାଙ୍ଗି ନପଡ଼ି ଚଇତି ମଙ୍ଗଳାଙ୍କୁ ପୂଜାକରିଛି । ଦୁବ ପ୍ରସାଦ ଦ୍ୱାରା ମା ମଙ୍ଗଳାଙ୍କୁ ସ୍ମରଣ କରି କାଳୁଆ ଗଣ୍ଡରେ ପକାଇଲା । ମା’ଙ୍କ କୃପାରୁ ସବୁପୁଅ ବଞ୍ଚିଉଠିଲେ, କିଏ ଘୁମୁରା ବଜାଇଲା ତ ଆଉକିଏ ଢୋଲ ବଜାଇଲା । ରାଜାଙ୍କୁ ଚଇତି ହାଡ଼ିଆଣୀ ଅନେକଥର ଆଣ୍ଠୁକୁଡ଼ା କହିଛି । ରାଜା କ୍ରୋଧିତ ହୋଇ ତାର ପୁଅମାନଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ପ୍ରତିଥର ଚଇତି ହାଡ଼ିଆଣି ଦୁବ ପ୍ରସାଦ ଛିଞ୍ଚି ସେମାନଙ୍କୁ ବଞ୍ଚାଇଛି । ଶେଷରେ ରାଜା ଚଇତି ହାଡ଼ିଆଣୀଠାରୁ ଚଇତି ମଙ୍ଗଳବାର ଓଷାର ମହିମା ଶୁଣିଛନ୍ତି । ତାଙ୍କର ଅନେଶତ ରାଣୀ ମଙ୍ଗଳା ଓଷା ବିଧି ଅନୁସାରେ କରିଛନ୍ତି ଓ ପୁତ୍ରବତୀ ହୋଇଛନ୍ତି ।

ତେଣୁ ଏହି ଚଇତି ମଙ୍ଗଳବାର ଓଷା ଓଡ଼ିଶାର ପୁରପଲ୍ଲୀରେ ମହିଳା ମାନେ ନିଷ୍ଠାର ସହିତ ଗାଁ ଦାଣ୍ଡରେ ପନ୍ଥେଇ ପୂଜା କରି ପରିବାର ମଙ୍ଗଳ କାମନା କରିବା ସହିତ ଅପୁତ୍ରିକ ମାନେ ସୁ ସନ୍ତାନ ଲାଭର ଆଶା ରଖିଥାନ୍ତି।