୨୪ ରେ ହେବ କାହାର ବାଜିମାତ : ବିଜେଡି-ବିଜେପି କଡ଼ା ଟକ୍କର, ବହୁ ପଛରେ କଂଗ୍ରେସ

୨୦୨୪ ସାଧାରଣ ନିର୍ବାଚନ ଲାଗି ଅନୁଗୁଳ ବିଧାନସଭା କ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି । ୨୦୦୦ ମସିହାରୁ ବିଜେଡି ହାତରେ ରହିଥିଲାବେଳେ ୨୦୦୪ରୁ ଲଗାତାର ଭାବେ ରଜନୀକାନ୍ତ ସିଂହ ବିଧାୟକ ଭାବେ ଜିତି ଆସୁଛନ୍ତି । ୨୦୧୪ ଓ ୨୦୧୯ ନିର୍ବାଚନରେ ପ୍ରତାପ ପ୍ରଧାନ ତାଙ୍କୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ଅଳ୍ପକେ ପରାସ୍ତ ହୋଇଥିଲେ । ବିଜେଡି ଗଠନ ହେବା ପରଠାରୁ ଅନୁଗୁଳରେ କେବେ ହାରିନି । ୨୦୦୦ ନିର୍ବାଚନରେ ବିଜେଡିର ବରିଷ୍ଠ ନେତା ଅଦ୍ୱୈତ ପ୍ରସାଦ ସିଂହ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୪ରେ ତାଙ୍କ ବଦଳରେ ପୁଅ ରଜନୀକାନ୍ତ ସିଂହଙ୍କୁ ଦଳ ଟିକେଟ ଦେଇଥିଲା । ଆଉ ସେ ମଧ୍ୟ ନିର୍ବାଚିତ ହୋଇଥିଲେ, ଏହା ପରେ ଲଗାତାର ୪ ଥର ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

ଅନୁଗୁଳରେ ଆଗରୁ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେଉଥିଲାବେଳେ ଗତଥର ଏହି ଧାରା ବଦଳିଥିଲା । ବିଜେପି ସହ ଲଢ଼ିଥିଲା ବିଜେଡି । ୨୦୧୯ରେ ଅଳ୍ପ ଭୋଟ୍ ବ୍ୟବଧାନରେ ବିଜେପି ପରାସ୍ତ ହୋଇଥିବାରୁ ଏଥର ଜିତିବା ପାଇଁ ସବୁ ପ୍ରକାର ବଳ ଲଗାଇବ । ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳରୁ ଲୋକସଭାକୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ପରେ ବିଜେପି ଶିବିର ଉତ୍ସାହିତ ରହିଛି । ଏଥର ବି ରଜନୀକାନ୍ତ ସିଂହଙ୍କୁ ଦଳ ଟିକେଟ ଦେବା ଏକ ପ୍ରକାର ନିଶ୍ଚିତ । ପ୍ରାର୍ଥୀ ବଦଳାଇ ଦଳ ରିସ୍କ ନେବନି ବୋଲି ଏବେ ଆଲୋଚନା ଚାଲିଛି । ତଥାପି ଟିକେଟ ରେସ୍‌ରେ ରଜନୀକାନ୍ତଙ୍କ ପୁଅ ଅରୁଣାଭ ସିଂହ, ଜିଲ୍ଲା ଯୁବ ସଭାପତି ଦିନେଶ ପ୍ରଧାନ, ପୂର୍ବତନ ତାମ୍‌ଡା ଅଧ୍ୟକ୍ଷ ଶକ୍ତିପ୍ରସାଦ ପଟ୍ଟନାୟକଙ୍କ ନାଁ ଚର୍ଚ୍ଚାରେ ରହିଛି । ଅନ୍ୟପଟେ, ବିଜେପି ପୁଣି ଥରେ ପ୍ରତାପ ପ୍ରଧାନଙ୍କ ଉପରେ ଭରସା କରିବା ଏକ ରକମ ନିଶ୍ଚିତ । ତାଙ୍କ ହାତରେ ଦଳର ସଂଗଠନ ରହିଥିଲାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥନ ତାଙ୍କ ପଛରେ ରହିଛି ବୋଲି ଶୁଣାଯାଉଛି ।

ଏପଟେ ଏହି ଆସନ ଲାଗି କଂଗ୍ରେସର ପ୍ରାର୍ଥୀ ନେଇ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି । ଗତଥର ପ୍ରାର୍ଥୀ ହୋଇଥିବା ବିପ୍ଳବ ଜେନାଙ୍କୁ ଦଳ ଟିକେଟ ଦେବ କି ନାହିଁ ତାହା ଉପରେ ରହିଛି ନଜର । ଅନ୍ୟପଟେ କଂଗ୍ରେସ ସଭାପତି ଭାବେ ସଂଗ୍ରାମ ମିଶ୍ର ଦାୟିତ୍ୱ ନେବା ପରେ ଦଳର ସମୀକରଣ ବଦଳିଛି । ତେଣୁ ନିଜେ ସଂଗ୍ରାମଙ୍କୁ ଦଳ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଦେଖିବାକୁ ବାକି ରହିଲା ଏହି ଆସନରେ କିଏ କାହାକୁ ପ୍ରାର୍ଥୀ କରୁଛି