ମୋଦିଙ୍କ ଇସାରାରେ କିଏ ସେ ସୁପର ମୁଖ୍ୟମନ୍ତ୍ରୀ?

ବରଗଡ଼: କନ୍ଧମାଳ ଓ ବଲାଙ୍ଗୀର ପରେ ଏବେ ବରଗଡ଼ରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ସେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି । ଉକ୍ତ ସଭାରୁ ସିଧାସଳଖ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶାରୁ ଗରିବୀ ହଟାଇବାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦି କହିଛନ୍ତି ଯେ, ୨୫ ବର୍ଷ ସମୟ ଭିତରେ ଜଣେ ବାଳକ ଯୌବନ ପ୍ରାପ୍ତ କରିପାରୁଛି, ହେଲେ ବିଜେଡି ସରକାର କିନ୍ତୁ ଏହି ୨୫ ବର୍ଷ ଭିତରେ ଓଡିଶାରୁ ଗରିବୀ ହଟାଇ ପାରିଲେନାହିଁ । ପର୍ଯ୍ୟାପ୍ତ ପରିମାଣରେ ପ୍ରାକୃତିକ ସଂପଦ ଭରିରହିଥବା ଓଡିଶା କ’ଣ ପାଇଁ ଗରିବ ଶ୍ରେଣୀରେ ରହିଛି । କାହିଁକି ଓଡିଶା ଲୋକେ ଗରିବ ବୋଲି ବାହାର ରାଜ୍ୟରେ ପରିଚିତ ହେଉଛନ୍ତି । ଯାହାକୁ ନେଇ ବିଜେଡି ଉପରେ ରାଜ୍ୟବାସୀଙ୍କ ପ୍ରବଳ ଆକ୍ରୋଶ ଅଛି । ଲୋକେ କହୁଛନ୍ତି ଆଉ କେତେଦିନ ଏସବୁ ସହିବା ।

ମୋଦି ନାଁ ନନେଇ ପାଣ୍ଡିଆନ ଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ୍‌ ହୋଇଗଲେଣି । ଯିଏ ନା ଓଡିଶାକୁ ଜାଣିଛି ନା ଓଡିଶାବାସଙ୍କୁ ନା ସଂସ୍କୃତିକୁ ନା ଓଡିଶାର ପାଣିପବନକୁ ଜାଣିଛି । ଏଭଳି ଲୋକ ହାତକୁ ଓଡ଼ିଶା ଯିବା ଉଚିତ୍ କି ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରଶ୍ନ କରିଛନ୍ତି । ଓଡ଼ିଶାକୁ ବରବାଦ କରିଥିବା ବିଜେଡିକୁ ହଟାଇବା ଦରକାର ବୋଲି ମୋଦି କହିଛନ୍ତି ।

ମୋଦି ଆହୁରି କହିଛନ୍ତି ଯେ, ବିଜେଡି ସରକାର ଆପଣମାନଙ୍କୁ ଅନ୍ଧାର ଭିତରେ ରଖିଛି । ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୧୬ ଶହ ଟଙ୍କାରେ ମିଳୁଛି । ଚାଷୀଙ୍କ ବାକି ପଇସା ବିଜେଡି ଦଲାଲଙ୍କ ଖାତାକୁ ଚାଲିଯାଉଛି । ବିଜେପି ଆସିଲେ ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ୪୮ ଘଣ୍ଟାରେ ମିଳିବ ବୋଲି ଦୃଢ଼ତାର ସହ କହିଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦି ପୁଣି କହିଛନ୍ତି, ମୁଁ ଏଠାକୁ ବିଜେପି ପାଇଁ ଭୋଟ୍ ମାଗିବାକୁ ଆସିନାହିଁ । ବରଂ ଓଡ଼ିଶାକୁ ବଞ୍ଚାଇବାକୁ ଆସିଛି । କାରଣ ଓଡିଶା ବରବାଦ ହେଉଛି । ଓଡ଼ିଶାକୁ ରକ୍ଷା କରିବାର ଦାୟିତ୍ବ ଆପଣମାନଙ୍କର ।

ସେହିପରି ମୋଦି କଂଗ୍ରେସ କୁ ଟାର୍ଗେଟ କରି କହିଛନ୍ତି, କିଛି ଦିନ ତଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଯୋଧ୍ୟା ଯାଇ ରାମଲଲାଙ୍କୁ ଦର୍ଶନ କରିଥିଲେ । ରାଷ୍ଟ୍ରପତି ଫେରିବା ପରଦିନ କଂଗ୍ରେସ ପ୍ରେସମିଟ୍‌ କରି ଓଡ଼ିଶା ଝିଅ ରାଷ୍ଟ୍ରପତିଙ୍କୁ ଅପମାନିତ କରିଥିଲା । ଏହାସହ ଗଙ୍ଗାଜଳରେ ରାମ ମନ୍ଦିରକୁ ଧୋଇବାକୁ କହିଥିଲା କଂଗ୍ରେସ । ଏପରି କହି କଂଗ୍ରେସ ଯେ, ଖାଲି ରାଷ୍ଟ୍ରପତିଙ୍କୁ ଅପମାନିତ କରିଛି ତା ନୁହଁ ସମଗ୍ର ଆଦିବାସୀ ସମାଜକୁ ମଧ୍ୟ ଅପମାନିତ କରିଛି । ତେଣୁ ଆପଣମାନଙ୍କୁ ମୋର ଅନୁରୋଧ କଂଗ୍ରେସକୁ ଜବାବ ଦିଅନ୍ତୁ, ତାଙ୍କ ଅମାନତ ହରାଇ ଦିଅନ୍ତୁ ବୋଲି ମୋଦି କହିଛନ୍ତି ।