ରହସ୍ୟମୟୀ ମହିଳା କିଏ ? ତାଙ୍କୁ ନେଇ ସରକାର ଚୁପ କାହିଁକି ?

ଭୁବନେଶ୍ୱର:ପ୍ରଥମେ  ବିରୋଧୀ ଦଳ ନେତା ଜୟନାରାଣ, ତା ପରେ ସାଂସଦ ବସନ୍ତ ପଣ୍ଡଙ୍କ ପରେ ଏବେ ସାଂସଦ ଅପରାଜିତା ଷଡଙ୍ଗୀ ସମାନ ପ୍ରସଙ୍ଗ ନେଇ ରାଜ୍ୟ ସରାକରଙ୍କୁ ଘେରିଛନ୍ତି । ସେଇ ରହସ୍ୟମୟୀ ମହିଳାଙ୍କୁ ନେଇ ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା । କିଏ ସେହି ରହସ୍ୟମୟୀ ମହିଳା ? ତାଙ୍କ ପ୍ରସଙ୍ଗରେ କାହିଁକି ସରକାର ଏପରି ନୀରବତା ଅବଲମ୍ବନ କରୁଛନ୍ତି ?

ସାଂସଦ କହିଛନ୍ତି, ବିରୋଧୀଦଳ ନେତା ଶ୍ରୀ ଜୟ ନାରାୟଣ ମିଶ୍ର ଏବଂ ସାଂସଦ ବସନ୍ତ ପଣ୍ଡା ଏକ ନିର୍ଦ୍ଧିଷ୍ଟ ରହସ୍ୟମୟୀ ମହିଳାଙ୍କ ବିଷୟରେ କହିଥିଲେ ଯିଏ ମୁଖ୍ୟମନ୍ତ୍ରୀଙ୍କ ସହ ଭାଟିକାନ ଯାଇଛନ୍ତି  ।  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବାଧ ପ୍ରବେଶ କରୁଛନ୍ତି  । ହେଲେ କାହିଁକି ?  ଏହାର କୌଣସି ଉତ୍ତର ଦେବା ପରିବର୍ତେ ଦଳୀୟ ପ୍ରବକ୍ତାମାନେ ବିରୋଧୀ ଦଳ ନେତାମାନଙ୍କୁ ପାଗଳ ବୋଲି କହୁଛନ୍ତି ଏବଂ ଏହାର କୌଣସି ଉତ୍ତର କାହିଁକି ଦେଉ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ।

ଗଣମାଧ୍ୟମ  ରିପୋର୍ଟ ଅନୁସାରେ, ସେହି  ରହସ୍ୟମୟୀ ମହିଳା ଯଦି ଜଣେ ନର୍ସ ବା ଥେରାପିସ୍ଟି ଅଟନ୍ତି, ତେବେ  ଏହା ଅତ୍ୟନ୍ତ ସଂଗୀନ ଏବଂ ଚିନ୍ତାଜନକ ବିଷୟ  ।  ଓଡିଶା ପରି ଗୁରୁତ୍ୱପୂର୍ଣ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ଗୁପ୍ତ ଘରୋଇ ବ୍ୟବସ୍ଥା ଉପରେ ଏପରି ଛାଡ଼ିଦେବା ଉଚିତ କି ?  ଏହି ଗୁପ୍ତ ଚିକିତ୍ସା ନିର୍ଦ୍ଧିଷ୍ଟ ରହସ୍ୟମୟୀ ମହିଳାଙ୍କ ଦ୍ୱାରା କରାଯାଉଛି କି ? ଏହି ରହସ୍ୟମୟୀ ମହିଳାଙ୍କୁ ଚିକତ୍ସା ପାଇଁ କିଏ ଚୟନ କରିଛି ? ରହସ୍ୟମୟୀ ମହିଳା କେଉଁ ପ୍ରକାର ଚିକିତ୍ସା କରୁଛନ୍ତି ? ଏମିତି ପ୍ରଶ୍ନବାଣରେ ସରକାରଙ୍କ ଘାଇଲ କରିଛନ୍ତି ସାଂସଦ ଅପରାଜିତା ।

ନିଜ ସୋସିଆଲ ମିଡିଆରେ ଏପରି ପ୍ରଶ୍ନ ପଚାରିବା ସହ ସାଂସଦ  ୫ଟି ସଚିବଙ୍କୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି,  ବର୍ତମାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ନିକଟସ୍ଥ ଅଧିକାରୀମାନଙ୍କ ଶାସନ, ପ୍ରଶାସନ ଅତ୍ୟନ୍ତ କୌତୁହଳପ୍ରଦ, ରୋମାଞ୍ଚକ ଏବଂ ହାସ୍ୟାସ୍ପଦ ହୋଇସାରିଛି  । ମୁଖ୍ୟମନ୍ତ୍ରୀ ରୋମ ଯାଉଛନ୍ତି, ଟୋକିଓ ଯାଉଛନ୍ତି କିନ୍ତୁ ରାଜ୍ୟବାସୀଙ୍କ ସହ ମିଶିବା ପାଇଁ ନିଜର ବ୍ୟକ୍ତିଗତ ସଚିବଙ୍କୁ ଲଗାଇଛନ୍ତି, ଯାହା ସ୍ୱାଧୀନ ଭାରତ ଇତିହାସର ଗଣତନ୍ତ୍ର ଶାସନରେ ଏଭଳି ଦେଖାଯାଇନାହିଁ  । କୌଣସି ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ନିଜର ପ୍ରତିନିଧି ଭାବେ ଜଣେ ସରକାରୀ କର୍ମଚାରୀଙ୍କୁ ଜନସାଧାରଣ କାମର ଦାୟିତ୍ୱ ଦେବା ସ୍ୱାଧୀନ ଭାରତରେ ମୁଁ ଆଜି ପର୍ଯ୍ୟନ୍ତ ଦେଖିନାହିଁ  ।

ସେ ଆହୁରି କହିଛନ୍ତି, ଉଦ୍ଦେଶ୍ୟମୂଳକ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ନେତା ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ଠାରୁ ଦୂରରେ ରଖାଯାଇଛି କି ? ଶେଷଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସିଧା ସଳଖ ବ୍ୟକ୍ତିଗତ ଭାବେ ମୁଖ୍ୟ ଶାସନ ସଚିବ ଏବଂ ଉନୟନ ଆୟୁକ୍ତ କେବେ ଭେଟିଥିଲେ ? ରାଜ୍ୟର ଗୁଇନ୍ଦା ତଥ୍ୟ କିଏ ମୁଖ୍ୟମନ୍ତ୍ରୀଙ୍କୁ ଦେଉଛି ? ରାଜ୍ୟରେ କଣ ଘଟୁଛି ମୁଖ୍ୟମନ୍ତ୍ରୀ ଜାଣୁଛନ୍ତି ତ ? ରାଜ୍ୟ ବାସୀଙ୍କୁ ଏ ସମସ୍ତ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଆବଶ୍ୟକ  ।  କୌଣସି ପ୍ରଶ୍ନର ଉତ୍ତର ନଦେଇ ବାରମ୍ବାର ବିଧାନସଭା ମୁଲତବୀ କରିବା ଟାଳଟୁଳ ନୀତିରେ ପଳାୟନ କରିବା ଦୁର୍ବଳତାର ପରିଚୟ । ଏହା କେତେ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ପଚାରିଛନ୍ତି ଅପରାଜିତା ।

ସାଂସଦ କହିଛନ୍ତି,  ଯେତେବେଳେ ଜନତା ପଚାରୁଛନ୍ତି ୩୦ କିଲୋମିଟର ଯିବା ପାଇଁ ହେଲିକାଫ୍ଟର କଣ ଦରକାର ଏହାର କୌଣସି ଉତ୍ତର ଦିଆଯାଉନାହିଁ  । ଯେତେବେଳେ ଜନସାଧାରଣ ପଚାରୁଛନ୍ତି ଆମ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ସରକାରୀ କର୍ମଚାରୀଙ୍କ ପାଇଁ କାହିଁକି ଟେଣ୍ଟ ବାନ୍ଧିବେ ଏବଂ ଚେୟାର ପକାଇବେ, ଭିଡ ଏକାଠି କରିବେ ଏହାର ବି କୌଣସି ଉତ୍ତର ଦିଆଯାଉନାହିଁ  । ଯେତେବେଳେ ଜନସାଧାରଣ ପଚାରୁଛନ୍ତି ୨୪ ବର୍ଷର ସ୍ୱର୍ଣ୍ଣିମ ଶାସନ ପରେ ୫୬୦୦୦ ହଜାର ଅଭିଯୋଗ କାହିଁକି ଏହାର ମଧ୍ୟ କୌଣସି ଉତ୍ତର ଦିଆଯାଉନାହିଁ  ।