ୱାସିଂଟନ:ଶନିବାର ସନ୍ଧ୍ୟାରେ ଜଣେ ସଶସ୍ତ୍ର ବନ୍ଧୁକଧାରୀ ଆମେରିକାର ରାଷ୍ଟ୍ରପତି ଭବନ ‘ହ୍ୱାଇଟ୍ ହାଉସ୍’ ବାହାରେ ଗୁଳିମାଡ଼ କରିବା ପରେ ସେଠରେ ପ୍ରବଳ ଆତଙ୍କ ସୃଷ୍ଟି ହୋଇଥିଲା । ଗୁଳିକାଣ୍ଡ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ ଭିତରେ ହିଁ ଉପସ୍ଥିତ ଥିଲେ। ତେବେ ଆମେରିକା ସୀମା ସୁରକ୍ଷା ବାହିନୀ ସିକ୍ରେଟ୍ ସର୍ଭିସ୍ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସନ୍ଦିଗ୍ଧ ଆକ୍ରମଣକାରୀକୁ ନିହତ କରିଛି। ସଶସ୍ତ୍ର ବନ୍ଧୁକଧାରୀ ଜଣକ ହ୍ୱାଇଟ୍ ହାଉସର ପଶ୍ଚିମ ପାର୍ଶ୍ୱ ଗେଟ୍ ଆଡ଼କୁ ଆଗେଇଥିଲା। ସନ୍ଧ୍ୟା ୬:୧୦ ମିନିଟ୍ ସମୟରେ ତାକୁ ‘୧୭ଥ୍ ଷ୍ଟ୍ରିଟ୍ ନର୍ଥୱେଷ୍ଟ’ରେ ସନ୍ଦେହଜନକ ଭାବେ ବୁଲାବୁଲି କରୁଥିବାର ସିକ୍ରେଟ୍ ସର୍ଭିସ୍ ପ୍ରଥମେ ଦେଖିବାକୁ ପାଇଥିଲେ lବନ୍ଧୁକଧାରୀ ଜଣକ ହଠାତ୍ ଏକ ହ୍ୟାଣ୍ଡଗନ୍ ବାହାର କରି ହ୍ୱାଇଟ୍ ହାଉସ୍ ପରିସର ନିକଟରେ ପ୍ରାୟ ୩ ଥର ଗୁଳି ଚଳାଇଥିଲା। ଘଟଣାସ୍ଥଳରେ ଥିବା ନ୍ୟୁଜ୍ ପ୍ରତିନିଧି ଜୁଲି ସିର୍କିନ୍ଙ୍କ ଅନୁଯାୟୀ, ସେହି ସମୟରେ ପ୍ରାୟ ୨୦ ରୁ ୩୦ ରାଉଣ୍ଡ ଗୁଳି ଶବ୍ଦ ଶୁଣାଯାଇଥିଲା, ଯାହା ଚାରିଆଡ଼େ ଆତଙ୍କ ଖେଳାଇ ଦେଇଥିଲା।ସୁରକ୍ଷାକର୍ମୀମାନେ ବିନା ବିଳମ୍ବରେ ମାତ୍ର କିଛି ସେକେଣ୍ଡ ଭିତରେ ଜବାବୀ ଗୁଳିମାଡ଼ କରିଥିଲେ ଏବଂ ଆକ୍ରମଣକାରୀ ସୁରକ୍ଷିତ ସୀମା ପାର ହେବା ପୂର୍ବରୁ ତାକୁ ଗୁଳି କରି ଖସାଇ ଦେଇଥିଲେ। ଗୁଳି ସରିବା ମାତ୍ରେ ସୁରକ୍ଷାକର୍ମୀମାନେ ହ୍ୱାଇଟ୍ ହାଉସ୍ ପରିସରରେ ଥିବା ସମସ୍ତ ସାମ୍ବାଦିକଙ୍କୁ ଉତ୍ତର ଲନରେ ଏକତ୍ରିତ କରି ପ୍ରେସ୍ ବ୍ରିଫିଂ ରୁମ୍ ଭିତରକୁ ସୁରକ୍ଷିତ ଭାବେ ନେଇଯାଇଥିଲେ।ଆକ୍ରମଣ ଖବର ପ୍ରସାରିତ ହେବା ପରେ ଟ୍ରମ୍ପଙ୍କ ସମର୍ଥକମାନେ ସୋସିଆଲ ମିଡିଆରେ ତାଙ୍କର ସୁରକ୍ଷିତ ଥିବା ନେଇ ଆଶ୍ୱସ୍ତି ପ୍ରକାଶ କରିବା ସହ ପ୍ରାର୍ଥନା କରିଛନ୍ତି।