ଦଇବ ଯେତେବେଳେ ଦୁଃଖ ଦିଏ….ଏକା ସହିତ ଡକା ଡକି ହୋଇ ଚାଲିଗଲେ,ପରିବାରରୁ ୩ ଜଣ

ଭଦ୍ରକ : କଥାରେ କହନ୍ତି ଦୁଃଖ ଯେତେବେଳେ ଆସେ ସାଙ୍ଗସାଥି ନେଇ ଆସେ I ଏହା ପ୍ରକୃତରେ ସତ୍ୟ I ନିୟତିର ନିଷ୍ଠୁର ପରିହାସ ଆଗରେ ମନୁଷ୍ୟ ବା କି ଛାର I ଘରେ ବିପତ୍ନୀକ ବୁଢା ବାପା ଥାଉ ଥାଉ ଆଖି ଆଗରେ ଚାଲିଗଲେ ଦୁଇ ପୁଅ ଓ ବୋହୂ I ବାପାଙ୍କ ଆଖିରୁ ବୋହି ଚାଲିଛି ଅମାନିଆ ଲୁହ I

ଘଟନାନୁସାରେ ,ଭଦ୍ରକ ଜିଲ୍ଲା ତିହିଡି ଗୁଆମାଳ ପଞ୍ଚାୟତର ଗୋପବନ୍ଧୁ ପାଣିଗ୍ରାହୀ ସପରିବାରେ ବସବାସ କରୁଥିଲେ । ସଂସାର ରଥ ଠିକ ଠାକ ଚାଲିଥିବାବେଳେ ଗୋପବନ୍ଧୁଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଥିଲା I ବର୍ତମାନ ଗୋପବନ୍ଧୁ ବୟସର ସାୟାହ୍ନରେ ପହଁଚିଥିବା,ତାଙ୍କର ୪ ପୁଅ,ବୋହୂ ନାତି ନାତୁଣୀରେ ଘର ପୁରି ଉଠିଥିଲା I ତେବେ ହଠାତ ବଡ଼ ଦୁଇ ପୁଅ ହେଲେ ରୋଗାକ୍ରାନ୍ତ I କିଡ୍ନୀ ରୋଗରେ ଚିକିତ୍ସାଧୀନ ଥାଇ ବଡ଼ ପୁଅ ଦୁର୍ଗା ପ୍ରସାଦ ଗତ ୨୭ ତାରିଖ ଦିନ ଅପରାହ୍ନ ୪ ଟାରେ ପ୍ରାଣ ହରାଇ ଥିଲେ I ତାଙ୍କ ମୃତ୍ୟୁକୁ କେଇ ଘଣ୍ଟା ନ ବିତୁଣୁ ଦ୍ୱିତୀୟ ଭାଇ ହରପ୍ରସାଦ ରାତି ସାଢ଼େ ୨ଟାରେ ଆରପାରିକୁ ଚାଲି ଯାଇଥିଲେ। ସତେ ଯେମିତି ବଡ଼ ଭାଇ,ସାନ ଭାଇ ଡକା ଡକି ହୋଇ ଚାଲିଗଲେ I ଆଖି ଆଗରେ ଦୁଇ ପୁଅଙ୍କ ମୃତ୍ୟୁ ପରେ ୯୨ ବର୍ଷୀୟ ଗୋପବନ୍ଧୁ ଭାଙ୍ଗି ପଡ଼ିଥିଲେ ।

ଏହି ଦୁଖଦଃ ଘଟଣା ପରେ ଦ୍ୱାଦଶ ଦିନ ପୁଣି ଘଟିଥିଲା ଆଉ ଏକ ଅଘଟଣ I ପରିବାର ଉପରକୁ ମାଡି ଆସିଥିଲା ଆଉ ଏକ ବିପତ୍ତି I ଦୁଇ ଭାଇଙ୍କ ଦ୍ୱାଦଶକ୍ରିୟା ଚାଲୁଥିଲା I ବନ୍ଧୁ ପରିଜନ ଙ୍କ ନିମନ୍ତେ ଭୋଜିର ଆୟୋଜନ ବ୍ୟବସ୍ଥା ହୋଇ ସାରିଥିଲା I ଭୋଜି ବଢିବା ନିମନ୍ତେ ଘରର ମଝିଆଁ ବୋହୂ ଭାରତୀ ଖାଦ୍ୟ ନେଇ ଘର ସାମ୍ନା ରାସ୍ତା ପାର ହେଉଥିବାବେଳେ ହଠାତ ଏକ ଅଜଣା ଗାଡି ଧକ୍କାରେ ତଳେ ପଡି ଯାଇ ଗୁରୁତର ହୋଇଥିଲେ I ଭାରତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତଦେହକୁ ସ୍ୱର୍ଗଦ୍ୱାରରେ ସଂସ୍କାର କରାଯାଇଥିଲା।

ଆଖି ଆଗରେ ନିଜ ହାତରେ ଗଢ଼ିଥିବା ପରିବାରର ଏପରି ଅବସ୍ଥା ଦେଖି ବାକଶୂନ୍ୟ ହୋଇ ପଡିଛନ୍ତି ବୃଦ୍ଧବପା ଗୋପବନ୍ଧୁ I