କଂଗ୍ରେସ ପ୍ରଶ୍ନ ବାଣରେ ଘାଇଲା ହେଲେ ରାଜ୍ୟ ସରକାର

ଭୁବନେଶ୍ୱର: କଂଗ୍ରେସ ବର୍ଷିଲା ବିଜେଡି ଉପରେ | ପ୍ରଶ୍ନ ବାଣରେ ଘାଇଲା କଲା ନବୀନ ସରକାରଙ୍କୁ  । ୨୪  ବର୍ଷର ଶାସନ କାଳରେ ବିଜେଡି କରିଛି କଣ ? ଏମିତି ପ୍ରଶ୍ନ ପରେ ପ୍ରଶ୍ନ ବାଣ ବିନ୍ଧି ଚାଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ  । ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଥିଲେ ଯେ କଂଗ୍ରେସ ଓଡିଶା ପାଇଁ କଣ କରିଥିଲା ଓ ବିଜେଡି ବିଗତ ୨୩/୨୪ ବର୍ଷ ଭିତରେ କଣ କରିଛି ବୋଲି ଜନସାଧାରଣଙ୍କୁ ସୁଚାଇବାକୁ ଚାହିଁଛନ୍ତି  । ହୀରାକୁଦ ବନ୍ଧ ଠାରୁ ଆରମ୍ଭ କରି ରେଙ୍ଗାଲି, ଅପରକୋଲାବ ଓ ଇନ୍ଦ୍ରାବତି ପର୍ଯ୍ୟନ୍ତ ଓଡ଼ିଶାର ଜଳ ସେଚନ ବ୍ୟବସ୍ଥା ଯାହା ସବୁ   କରାଯାଇଛି, ସେସବୁ କଂଗ୍ରେସ ଶାସନ ସମୟରେ ହୋଇଛି  । ତେବେ ବିଜେଡି କଣ କରିଛି ? ଶାସନର ଏତେ ବର୍ଷ ଭିତରେ ବିଜେଡି ସରକାର ମହାନଦୀରେ ଏକ ଆନିକଟ ମଧ୍ୟ କରି ପାରିନାହାନ୍ତି  । ଅଥଚ ପ୍ରତି ବ୍ଲକର ୩୫ ପ୍ରତିଶତ ଜମିକୁ ଜଳସେଚନ କରିବାର ପ୍ରତିଶ୍ରୁତି ଦେଉଛନ୍ତି । ଏହା କେତେ ସତ ଏଥିରୁ ସ୍ପଷ୍ଟ ଜଣାପଡୁଛି ।

କଂଗ୍ରେସ ସମୟରେ ନିମାପଡା ଠାରୁ ଆରମ୍ଭ କରି ରାଜ୍ୟର ପ୍ରତ୍ୟକ ତଳିଆ ଅଞ୍ଚଳ ମାନଙ୍କରେ ଯେଉଁ କେନାଲ ଖୋଳାଯାଇଥିଲା ସେସବୁର ସ୍ଥିତି ବିଷୟରେ ପ୍ରଶ୍ନ କରିବା ସହିତ ଡ଼ାଳୁଅ ଚାଷ, ଜଳବିଦ୍ୟୁତ ପ୍ରକଳ୍ପ, ଓପିଜିସି ସଂସ୍ଥା, ଓଡ଼ିଶାରେ ଶିଳ୍ପର ବିକାଶ, ବେକାରୀ ସମସ୍ୟା ଉପରେ ଅନେକ କିଛି ପ୍ରଶ୍ନ କରିଥିଲେ  କଂଗ୍ରେସ ନେତା ବିଜୟ ପଟ୍ଟନାୟକ  । ଓଡ଼ିଶାରେ ଜଳ ବିଦ୍ୟୁତ ଓ ତାପଜ ବିଦ୍ୟୁତ ଉତ୍ପାଦନରେ ଯାହା କିଛି କରାଯାଇଛି ତାହା କଂଗ୍ରେସ ଶାସନ ସମୟରେ ହୋଇଛି। ଦୀର୍ଘ ଦିନର ବିଜେଡ଼ି ଶାସନରେ ଓଡ଼ିଶାରେ ନିଜସ୍ଵ ବିଦ୍ୟୁତ ଉତ୍ପାଦନ ପାଇଁ ସରକାର କଣ କରିଛନ୍ତି ତାହାର ଉତ୍ତର ବିଜେଡ଼ି ସରକାର ଦେବ କି ବୋଲି ପ୍ରଶ୍ନ କରିଥିଲେ ଶ୍ରୀ ପଟ୍ଟନାୟକ ।

ତାଙ୍କ ଉକ୍ତି ଭିତରେ ସେ ଜାନକୀ ପଟ୍ଟନାୟକଙ୍କୁ ମନେ ପକାଇ କହିଥିଲେ,  ଜାନକୀ ବାବୁଙ୍କ ସମୟରେ ‘ହଜାରେ ଦିନରେ ହଜାରେ ଶିଳ୍ପ’ ଭଳି ଯୋଜନାକୁ ସଫଳ ରୂପାୟନ କରି ଓଡ଼ିଶାର ଯୁବପିଢିଙ୍କୁ ରୋଜଗାର ଯୋଗାଇ ପାରିଥିଲେ ।  ବର୍ତ୍ତମାନର ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀ ଶିଳ୍ପାୟନ ନାରେ ବିଭିନ୍ନ ଦେଶ ବୁଲୁଛନ୍ତି । ହେଲେ ବିଜେଡି ସରକାରରେ ଓଡିଶାରେ ଶିଳ୍ପର ବିକାଶ ହୋଉନାହିଁ। ଯେଉଁ କାରଣରୁ ଓଡ଼ିଶାରେ ବେରୋଜଗାର ସଂଖ୍ୟା ବଢ଼ିଚାଲିଛି ବୋଲି ଅଭିଯୋଗ ଆଣିଥିଲେ ବିଜୟ ପଟ୍ଟନାୟକ

ବିଜେଡ଼ିକୁ ପରିହାସ କରି କହିଥିଲେ ଯେ, ବିଜେଡି କେବଳ କିଛି ଲଲିପପ୍ ଦେଇ ଛୋଟ ଛୁଆଙ୍କୁ ଭଣ୍ଡାଇବା ଭଳି ସାଧାରଣ ଜନତାଙ୍କୁ ଠକୁଛନ୍ତି  । ଓଡ଼ିଶାର ପ୍ରତ୍ୟକ ମୁଣ୍ଡପିଛା ୠଣ ୨୩, ୦୦୦କୁ ଟପିଲାଣି, ତେବେ ବିଜେଡି କେବଳ ମିଛ ପ୍ରହସନ କରିବା ଛଡ଼ା କରୁଛି କଣ ? ସେହିପରି ବିଜେପିକୁ କଟାକ୍ଷ କରି କହିଥିଲେ, ବିଜେପି କଥା ନକହିଲେ ଭଲ ।  କାରଣ ଏକକୁ ଆରକ କେହି କାହାକୁ କମ୍ ନୁହନ୍ତି | କେନ୍ଦ୍ର ସରକାର ଭାରତର ପ୍ରତ୍ୟକ ପରିବାରର ମୁଣ୍ଡପିଛା ୧ ଲକ୍ଷରୁ ଅଧିକ ୠଣ କରିଛନ୍ତି | ଏବେ ପ୍ରଶ୍ନ କରିବାର ସମୟ ଆସିଛି  । ତେଣୁ ଆଗାମୀ ୧୮ ତାରିଖ ଠାରୁ କେବଳ କଂଗ୍ରେସ ନୁହେଁ ଓଡ଼ିଶାର ପ୍ରତ୍ୟକ ଜନସାଧାରଣ ସମସ୍ତେ ଏକତ୍ରିତ ହୋଇ ସରକାରଙ୍କୁ ପ୍ରଶ୍ନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

ODISHAPOLITICS