ଗମାଙ୍ଗଙ୍କୁ ସାରଥୀ କରି କଣ ପାଇବେ କେସିଆର

ତେଲେଙ୍ଗାନା ରାଷ୍ଟ୍ର ସମିତିରୁ ଭାରତ ରାଷ୍ଟ୍ର ସମିତି । ଟି.ଆର.ଏସ୍ କେବଳ ତେଲେଙ୍ଗାନା ରାଜ୍ୟ ମଧ୍ୟରେ ସୀମିତ । ଏହାର ପ୍ରଭାବ ଭାରତ ବର୍ଷରେ କୌଣସିଠାରେ ଦେଖାଯାଏ ନାହିଁ । କିମ୍ବା ଏହାକୁ ଜନସାଧାରଣ ଯଦି ଜାଣିଥିବେ ତାହା କ୍ୱଚିତ୍ । ଦିଲ୍ଲୀରେ ଅରବିନ୍ଦ କେଜେରିୱାଲଙ୍କ ନେତୃତ୍ୱରେ ଚାଲିଥିବା ଆପ୍ ସରକାର ଏନ୍‌ଡିଏ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିରୋଧ କରି ଆସୁଥିବା ବେଳେ ଆପ୍ ପଞ୍ଜାବରେ କଂଗ୍ରେସକୁ ହରାଇ ସେଠାରେ ସରକାର ଗଢି ପାରିଥିଲା ଏବଂ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିମାନୁଯାୟୀ କୌଣସି ରାଜନୈତିକ ଦଳ ଭୋଟ ହାରର ବୃଦ୍ଧି ହେବା ପରେ ଜାତୀୟ ଦଳର ସ୍ୱୀକୃତି ପାଇଥାଏ । ସେହି ନ୍ୟାୟରେ ତେଲେଙ୍ଗାନା ରାଷ୍ଟ୍ରସମିତି ତେଲେଙ୍ଗାନା ରାଜ୍ୟରେ କ୍ଷମତାରେ ଅଛି ଓ ଏହାର ସୁପ୍ରିମୋ କେ.ଚନ୍ଦ୍ରଶେଖର ରାଓ ଏନଡିଏକୁ ତୀବ୍ର ବିରୋଧ କରି ଆସୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତ ରାଷ୍ଟ୍ରସଂଘରେ ଯେଉଁ କେତୋଟି ରାଜ୍ୟ ବିଭିନ୍ନ ପ୍ରସଙ୍ଗରେ ବିରୋଧ କରିଆସୁଛନ୍ତି ସେମାନଙ୍କ ମଧ୍ୟରେ ଆପ ଓ ଟିଆରଏସ୍ ଅନ୍ୟତମ । ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ସମାଲୋଚନା କରି ଆସୁଛନ୍ତି । କିନ୍ତୁ ସେ କେବେ ବି ବ୍ୟକ୍ତିଗତ ଅସୂୟା ପ୍ରକାଶ କରିବା ଦେଖାଯାଏ ନାହିଁ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରିୱାଲ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସୌଜନ୍ୟତା ଦୃଷ୍ଟିରୁ ସମ୍ମାନ କରିଥାନ୍ତି । ମାତ୍ର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀ ରାଓ ପ୍ରଧାମନ୍ତ୍ରୀଙ୍କ ପ୍ରତି ବିଭିନ୍ନ ପ୍ରସଙ୍ଗରେ ଶାଳିନତା ବାହାରକୁ ଯାଇ ବ୍ୟବହାର ଦେଖାଇବାର ଦୃଷ୍ଟାନ୍ତ ରହିଛି ।

ଏଭଳି ପରିସ୍ଥିତିରେ ଟିଆରଏସ୍ ବିଆରଏସ୍ ହେବା ପରେ କେସିଆର ଭାବିଛନ୍ତି ଯେ, ଆପ୍ ଭଳି ସେ ନିଜର ପ୍ରତିଷ୍ଠିତ ଭାରତ ରାଷ୍ଟ୍ର ସମିତିକୁ ଦେଶର ବିଭିନ୍ନ ରାଜ୍ୟରେ ପ୍ରସାର କରାଇବେ । ଏହି ଆଭିମୁଖ୍ୟ ନେଇ ସେ ନିକଟରେ ଓଡିଶା ଉପରେ ନିଜର ରାଜନୈତିକ ପୃଷ୍ଠପୋଷକତା ଜାହିର ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ତେବେ ଓଡିଶାର କୋରାପୁଟ ଜିଲ୍ଲାରୁ ତେଲୁଗ ଭାଷାଭାଷିମାନଙ୍କୁ ଲକ୍ଷ୍ୟ ରଖି କେସିଆର ଯେଉଁ ରାଜନୈତିକ ଚାଲ୍ ଆରମ୍ଭ କରିଛନ୍ତି ସେଥିରେ ଗମାଙ୍ଗ୍ ପରିବାରକୁ ସାରଥୀ କରିଛନ୍ତି । ତେବେ ଗମାଙ୍ଗ ପରିବାର ରାଜ୍ୟ ରାଜନୀତିରେ କେତେ ପାରିବାର ତାହା ଓଡିଶାବାସୀ ଜାଣନ୍ତି । ରାଜନୈତିକ ଜୀବନରେ ସୌଭାଗ୍ୟ କ୍ରମେ ଚାଙ୍ଗୁ ବଜାଇ ଲୋକପ୍ରିୟତା ହାସଲ କରିଥିବା ଗିରିଧର ଗମାଙ୍ଗ ଅନୁନ୍ନତ କୋରାପୁଟ ଜିଲ୍ଲାରୁ ୬ ଥର ଲୋକସଭାକୁ ନିର୍ବାଚିତ ହୋଇପାରିଥିଲେ । ସରଳ ଆଦିବାସୀ ଗମାଙ୍ଗଙ୍କୁ ଜିତାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ଏବଂ ୨୦୦୦ ମସିହା ପୂର୍ବରୁ ବିରାଡି କପାଳକୁ ଶିକା ଛିଡିବା ଭଳି ଗମାଙ୍ଗଙ୍କ ମୁଣ୍ଡରେ ସୁନାକଳସ ଢାଳିବା ଭଳି କଂଗ୍ରେସର ଏକ ଅସମୟରେ ତାଙ୍କ ମୁଣ୍ଡରେ ମୁଖ୍ୟମନ୍ତ୍ରୀ ସିରପା ବାନ୍ଧି ଦିଆଯାଇଥିଲା । ୧୯୯୯ ମସିହାରେ ଶ୍ରୀ ଗମାଙ୍ଗ ସ୍ୱଳ୍ପ ସମୟ ପାଇଁ ହେଲେ ମଧ୍ୟ ଓଡିଶାର ମୁଖ୍ୟମନ୍ତ୍ରୀ ଆସନରେ ବସି ଯେଉଁ ଶାସନ ଦେଇଥିଲେ ତାହା ଓଡିଶାବାସୀଙ୍କ ଏବେ ସ୍ମରଣ ରହିଥିବ ।

ମହାବାତ୍ୟା ସମୟରେ ଖାସ୍ ଗମାଙ୍ଗଙ୍କ ଅନଭିଜ୍ଞ ଶାସନ ପରିଚାଳନାରୁ ପ୍ରାୟ ୧୧ ହଜାର ଲୋକ ମହାବାତ୍ୟାରେ ମୃତ୍ୟୁବରଣ କରିଥିଲେ ଏବଂ ଏହାପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଅପସରି ଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବରେ ଶାସନ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଗମାଙ୍ଗଙ୍କ ରାଜନୈତିକ ପ୍ରତିଷ୍ଠା ଓ ଲୋକପ୍ରିୟତା ଓଡିଶାରେ କେତେ ତାହା ସେ ନିଜେ ନତୌଲି ଭାରତୀୟ ଜନତା ପାର୍ଟି ଭଳି ଏକ ଜାତୀୟ ଦଳରୁ ଇସ୍ତାଫା ଦେଇ ବିଆରଏସ୍ ମୁହାଁ ହୋଇଛନ୍ତି । ତେବେ ଓଡିଶାରେ କେତେ ପ୍ରତିଶତ ତେଲୁଗୁ ଭାଷାଭାଷିି ଲୋକ ବିଆରଏସ୍‌କୁ ଗ୍ରହଣ କରିବେ ତାହା ତ ସମୟ କହିବ, ତେବେ ଗମାଙ୍ଗଙ୍କୁ ସାରଥୀ କରି କେସିଆର ଓଡିଶାରେ ନିଜର ରାଜନୈତିକ ଦଳକୁ କିଭଳି ଆଗକୁ ବଢାଇବ ତାହା ପ୍ରଶ୍ଚବାଚୀ ସୃଷ୍ଟି କରିଛି ।