୨୦୪୭ ସୁଦ୍ଧା ଆମେ ଏକ ସ୍ୱର୍ଣ୍ଣିମ ଭାରତ ଗଠନ କରିବା: ରାଷ୍ଟ୍ରପତି

ଆଜିଠାରୁ ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଛି । ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଏହା ହେଉଛି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌। ତେବେ ଆଜି ଅଧିବେଶନର ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଭିଭାଷଣ ଆରମ୍ଭରେ ରାଷ୍ଟ୍ରପତି କହିଥିଲେ, ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରି ସାରିଛି । ଏବେ ସ୍ୱାଧୀନତାର ଅମୃତ କାଳ । ଆଗାମୀ ୨୫ ବର୍ଷ ଆମ ଦେଶ ପାଇଁ ବହୁତ ଗୁରତ୍ୱପୂର୍ଣ୍ଣ । ଏହି ସମୟ ଦେଶ ବିକାଶର ସମୟ । ନୂଆ ଭାରତ ଗଠନର ସମୟ ।

ତେବେ ଆଜି ରାଷ୍ଟ୍ରପତି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଆସନ୍ତା ୨୦୪୭ ସୁଦ୍ଧା ଆମକୁ ଏକ ସ୍ୱର୍ଣ୍ଣିମ ଭାରତ ଗଠନ କରିବାର ଅଛି । ବର୍ତ୍ତମାନ ସମୟରେ ପ୍ରତ୍ୟେକ ଭାରତୀୟଙ୍କ ଆତ୍ମବିଶ୍ୱାସ ଶୀର୍ଷରେ ପହଞ୍ଚିଛି । ଭାରତରେ ଏବେ ଏକ ସ୍ଥିର ଓ ନିର୍ଣ୍ଣାୟକ ସରକାର ଚାଲିଛି । ସର୍ଜିକାଲ ଷ୍ଟ୍ରାଇକ ଆତଙ୍କବାଦୀଙ୍କୁ କଡ଼ା ପ୍ରହାର ସଦୃଶ ହୋଇଛି । ୨୦୪୭ ସୁଦ୍ଧା ଦେଶକୁ ଗରିବ ମୁକ୍ତ କରାଯିବ ।

ଏମିତି ଏକ ଭାରତ ଗଠନ ହେଉ ଯେଉଁଠି ଗରିବୀ ନଥାଉ, ମଧ୍ୟମ ବର୍ଗ ମଧ୍ୟ ବୈଭବଶାଳୀ ହୁଅନ୍ତୁ । ଯୁବଶକ୍ତି ଓ ନାରୀଶକ୍ତି ଦେଶକୁ ଦିଶା ଦେଖାଇବା ଦିଗରେ ସବୁଠୁ ଆଗରେ ଛିଡା ହୁଅନ୍ତୁ । ଆମକୁ ୨୦୪୭ ସୁଦ୍ଧା ଏମିତି ଏକ ଭାରତ ଗଠନ କରିବାକୁ ହେବ ଯାହା ଅତୀତର ଗୌରବ ସହ ଜଡିତ ଥିବ ଏବଂ ଯେଉଁଠି ଆଧୁନିକତାର ସମସ୍ତ ସ୍ୱର୍ଣ୍ଣିମ ଅଧ୍ୟାୟ ରହିଥିବ । ଆମକୁ ଆତ୍ମନିର୍ଭର ଭାରତ ଗଠନ କରିବାକୁ ହେବ ।