ଆମେ କଳାକାର, ସରକାର ଆମ ମଞ୍ଚ ଫେରାଇ ଦିଅ…

“ଆମେ କଳାକାର। ସରକାର ଆମ ମଞ୍ଚ ଆମକୁ ଫେରାଇ ଦିଅ…। ଜୀବନ ଜୀବିକା ସୁରକ୍ଷା ଆମକୁ ଫେରାଇ ଦିଅ…” ଆଜି ଏପରି ନାରା ଦେଇ କଳାକାରମାନେ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମଞ୍ଚ ଖୋଲିବାକୁ ରାଜ୍ୟ ସରକାରଙ୍କୁ ଗୁହାରୀ କରିଛନ୍ତି।
ନବନିର୍ମାଣ କୃଷକ ମୋର୍ଚ୍ଚାର ଆହ୍ୱାନ କ୍ରମେ ପୁଣି ଥରେ ଏକାଠି ହୋଇଛନ୍ତି ଯାତ୍ରା କଳାକାର। ସେପ୍ଟେମ୍ୱର ମାସ ଗାଇଡ୍‌ଲାଇନ୍‌ରେ ଯାତ୍ରା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ୫୦% ଦର୍ଶକଙ୍କୁ ଦେଇ ମଞ୍ଚରେ ଯାତ୍ରା ପାରିବେଷଣ ହୋଇପାରିବ ବୋଲି କହିଛନ୍ତି ,କିନ୍ତୁ ସେପଟେ ରାତି ୮ରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲଗାଇଦେଲେ ସରକାର। ତାହାହେଲେ ଯାତ୍ରା କେମିତି ହେବ ବୋଲି ପ୍ରଶ୍ନ କରିଛନ୍ତି କଳାକାର। ଏଥିରୁ ସରକାରଙ୍କ ଦୋ’ମୁଁହା ନୀତି ପଦାରେ ପଡ଼ିଛି ବୋଲି କଳାକାରମାନେ ଅଭିଯୋଗ କରିଛନ୍ତି।
କରୋନା କଳାରେ ଏହି କଳାକାର ଓ କର୍ମଚାରୀଙ୍କୁ ମାସିକ ୫ ହଜାର ଟଙ୍କା ଭତ୍ତା ଦେବାକୁ ଯାତ୍ରା କଳାକାର ସଂଘ ଦାବି କରିଛି। ପିଛିଲା ୬ ମାସରେ ସର୍ବନିମ୍ନ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେବାକୁ କଳାକାରମାନେ ଦାବି କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ୧୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ବଜେଟ କରିବାକୁ ଦାବି କରିଛି ନବ ନିର୍ମାଣ କୃଷକ ମୋର୍ଚ୍ଚା।
ଜଣେ ଯାତ୍ରା କଳାକାର କହିଛନ୍ତି-“ସରକାର ଯାତ୍ରା କରିବାକୁ ଅନୁମତି ଦେଲେ। ହେଲେ ନାଇଟ୍‌ କର୍ଫ୍ୟୁରେ ଯାତ୍ରା ହେବ କେମିତି? ସେକଥା ଆମକୁ ସରକାର ବୁଝାଇ ଦିଅନ୍ତୁ। ମଞ୍ଚ ଖୋଲିବାକୁ ଅନୁମତି ନମିଳିଲେ ସ୍ଥିତି ଭୟଙ୍କର ହେବ।”
ଯାତ୍ରା କଳାକାରମାନେ କେବଳ ଭୁବନେଶ୍ୱରରେ ପ୍ରତିବାଦ କରିନାହାନ୍ତି। ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ପ୍ରତିବାଦ କରିଛନ୍ତି। ରାତିରେ ଯାତ୍ରା କରିବାକୁ ଅନୁମତି ଦେବାକୁ ଦାବି କରିଛନ୍ତି।
କରୋନା ପାଇଁ ସମଗ୍ର ଦେଶରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ଦେଢ଼ ବର୍ଷ ପରେ ବହୁ ଯାତ୍ରା ଖୋଲିବାକୁ ଅନୁମତି ଦେଇଥିଲେ ସରକାର। ଯାତ୍ରା ଆରମ୍ଭ ହେଉ ହେଉ କରୋନାର ଦ୍ୱିତୀୟ ଲହର ଆରମ୍ଭ ହେଲା। ଯେଉଁଥିପାଇଁ ରାଜ୍ୟ ସରକାର ଆଉଥରେ କଟକଣା ଲଗାଲେ I

Comments (0)
Add Comment