ବିନା ବିଜୁଳିରେ ୱାସିଂ ମେସିନ୍

ଯଦି ଆପଣକୁ ବିନା ବିଜୁଳିରେ କପଡ଼ା ଧୋଉଥିବା ମେସିନ୍ ମିଳିବ, ତା’ହେଲେ କେମିତି ହେବ । ଏବେ ଏପରି ମେସିନ୍ ତିଆରି ହୋଇଛି ଯାହା ବିନା ବିଜୁଳିରେ ଆପଣଙ୍କ କପଡ଼ାକୁ ଭଲ ଭାବେ ଧୋଇପାରିବ । ଆପଣ ଚାହିଲେ ଏହାକୁ ଯେକୌଣସି ସ୍ଥାନକୁ ନେଇ ଯାଇପାରିବେ । ଏହି ପୋର୍ଟାବୁଲ୍ ୱାସିଂ ମେସିନ୍‌ଟି ପେଡ଼ାଲ୍‌ରେ ଚାଲିବ । ଏହାସହିତ ୩ରୁ ୫ମିନିଟ୍‌ରେ ଆପଣଙ୍କ କପଡ଼ାକୁ ଧୋଇକି ସୁଖାଇପାରିବ । ଏଥିରେ ଲାଗିଥିବା ପେଡ଼ାଲ୍‌କୁ ଗୋଡ଼ରେ ସାଇକେଲ୍ ଭଳି ଚଲାଇବାକୁ ପଡ଼ିଥାଏ । ଏଥିରେ ବିଜୁଳିର କୌଣସି ଆବଶ୍ୟକତା ନଥିବାରୁ ବିଜୁଳି ବିଲ୍‌ରେ ମଧ୍ୟ ଆପଣ ସଞ୍ଚୟ କରିପାରିବେ । ଗୋଡ଼ରେ ଚାଲୁଥିବା ଫୁଟ୍ ପାୱାର୍ଡ୍ ମିନି ୱାସିଂ ମେସିନ୍‌କୁ ୟୀରେଗୋ ନାମକ ଟୋରଣ୍ଟୋ ଓଣ୍ଟାରିଓର ଏକ ଷ୍ଟାର୍ଟଅପ୍ କମ୍ପାନୀ ତିଆରି କରିଛି । କମ୍ପାନୀଟି ଏହି ମେସିନ୍‌କୁ ଡ୍ରମୀ ବୋଲି ନାମକରଣ କରିଛି । ତିନି ବର୍ଷର ପରୀକ୍ଷଣ ପରେ କମ୍ପାନୀଟି ଏହି ମେସିନ୍‌ଟିକୁ ତିଆରି କରିଛି । ଏହି ମେସିନ୍ ଗୋଟିଏ ଥରକେ ୨.୨୫ କିଲୋଗ୍ରାମ ଓଜନ ପର୍ଯ୍ୟନ୍ତ କପଡ଼ା ଧୋଇପାରିବ । ସବୁଠୁ ବିଶେଷ କଥା ହେଉଛି ଏହି ୱାସିଂ ମେସିନ୍‌ରେ ୬ରୁ ୧୨ ଲିଟର ପର୍ଯ୍ୟନ୍ତ ପାଣି ପୂରାଇ ହେବ । ଏହାସହ ଏଥିରେ କେବଳ ଏକ ଚିମୁଟା ଡିଟର୍‌ଜେଣ୍ଟ ପାଉଡର ପକାଇବା ପରେ ଆପଣଙ୍କ କପଡ଼ା ଭଲରେ ସଫା ହୋଇଯିବ । ଏଥିପାଇଁ ଆପଣଙ୍କୁ କେବଳ ୩ରୁ ୫ ମିନିଟ୍ ପର୍ଯ୍ୟନ୍ତ ପେଡ଼ାଲ ମାରିବାକୁ ପଡ଼ିବ । ମାତ୍ର ୩୦ ସେକେଣ୍ଡ୍‌ରେ ମେସିନ୍‌ଟି କପଡ଼ାକୁ ଧୋଇକି ଶୁଖାଇଦେବ । ଏହି ୱାସିଂ ମେସିନ୍‌ରେ ଏକ ବିଶେଷ ଧରଣର ହ୍ୟାଣ୍ଡେଲ୍ ଲଗାଯାଇଛି । ହ୍ୟାଣ୍ଡେଲ୍ ସାହାଯ୍ୟରେ କପଡ଼ାକୁ ଏହା ମଝିରେ ପକାଯାଇଥାଏ । ହ୍ୟାଣ୍ଡେଲ୍‌ଟି ମେସିନ୍‌କୁ ଲକ୍ କରିବାରେ ସହାୟକ ହୋଇଥାଏ । ଏହିପରି ଭାବରେ ସୁରକ୍ଷିତ ଭାବେ କପଡ଼ା ଧୋଇ ହୋଇଯାଏ । ଲୁଗାଧୁଆ ପାଣି ବାହାରିବା ପାଇଁ ଅଲଗା ପାଇପ୍ ଲାଗିଥାଏ ।