ଏକ୍ସପେରିମେଣ୍ଟ ନକରି ଭୋଟ ଦିଅନ୍ତୁ

ଭୁବନେଶ୍ୱର: ମିଜୋରାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମିଜୋରାମରେ ମିଜୋ ନ୍ୟାସନାଲ ଫ୍ରାଣ୍ଟ ଶାସନରେ ଥିବାବେଳେ ବିରୋଧୀ ଦଳରେ ଜୋରାମ ପିପୁଲସ ମୁଭମେଣ୍ଟ ବା ଜେଡପିଏମ ରହିଛି।

ତେଣୁ ଉଭୟ ଶାସକ ଓ ବିରୋଧୀ ଦଳକୁ ଭୋଟ ନ ଦେବାକୁ ନିବେଦନ କରିଛନ୍ତି ସୋନିଆ ଗାନ୍ଧୀ। ଉଭୟଙ୍କ ମଧ୍ୟରୁ ଯାହାକୁ ବି ଭୋଟ ଦେଲେ ଏହା ବିଜେପିକୁ ରାଜ୍ୟ ମଧ୍ୟରେ ପ୍ରବେଶ କରାଇବା ଭଳି ହେବ ବୋଲି ସେ କହିଛନ୍ତି।ମିଜୋରାମ ଭୋଟରଙ୍କ ଉଦେଶ୍ୟରେ ଜାରି କରାଯାଇଥିବା ଏକ ଭିଡିଓରେ ଏହି ନିବେଦନ କରାଯାଇଛି। ବିଜେପି କିଭଳି ମଣିପୁରରେ ବିଭେଦ ସୃଷ୍ଟି କରୁଛି ବୋଲି ସୋନିଆ କହିବା ସହ ଏହି ବିଜେପି ଶାସିତ ରାଜ୍ୟ କିଭଳି ଦୀର୍ଘ ମାସ ଧରି ହିଂସାରେ ଜର୍ଜରିତ ହେଉଛି ସେ କଥା କହିଛନ୍ତି।ପ୍ରଧାନମନ୍ତ୍ରୀ ମୋଦି ଏହି ହିଂସା ପ୍ରଭାବିତ ରାଜ୍ୟକୁ ଗସ୍ତ ନ କରିବା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ସୋନିଆ। ଏମଏନଏଫ ଓ ଜେଡପିଏମ ନିଜକୁ ସ୍ୱାଧୀନ ବୋଲି କହୁଛନ୍ତି କିନ୍ତୁ ଏହା କଣ ସତ କି ବୋଲି ସୋନିଆ ଗାନ୍ଧୀ ପ୍ରଶ୍ନ କରିଛନ୍ତି।

ସେମାନେ ବିଜେପି ପାଇଁ ମିଜୋରାମ ପ୍ରବେଶର ବାଟ ବୋଲି ସେ କହିଛନ୍ତି। ୪୦ ସଦସ୍ୟ ବିଶିଷ୍ଟ ମିଜୋରାମରେ ଚଳିତ ମାସ ସାତ ତାରିଖରେ ମତଦାନ ହେବ। ତେଣୁ ସୋନିଆଙ୍କ ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।କଂଗ୍ରେସ କିନ୍ତୁ କେବେବି ବିଜେପି ସହ ସାଲିସ କରେ ନାହିଁ ଓ ଏହା ଏକମାତ୍ର ଦଳ ଯାହାକି ମିଜୋରାମ ବିକାଶର ଗ୍ୟାରେଣ୍ଟି ଦେଇପାରିବେ। ତେଣୁ ଏବେ ଏକ୍ସପେରିମେଂଟର ସମୟ ନୁହେଁ, କଂଗ୍ରେସକୁ ଭୋଟ ଦିଅନ୍ତୁ ବୋଲି ସୋନିଆ ଗାନ୍ଧୀ ଆହ୍ୱାନ ଦେଇଛନ୍ତି।ଏପରିକି ମିଜୋରାମ ସମେତ ପୂର୍ବଭାରତରେ ବିଜେପି ଓ ଆରଏସଏସ ପକ୍ଷରୁ ଗଣତନ୍ତ୍ର ବିପଦରେ ରହିଛି ବୋଲି ସୋନିଆ କହିଛନ୍ତି। ତେଣୁ ମିଜୋରାମ ମତଦାନକୁ ଆଉ ମାତ୍ର ୬ ଦିନ ଥିବାବେଳେ ସୋନିଆଙ୍କ ଏହି ଆହ୍ୱାନ ମିଜୋରାମରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।କିଛି ଦିନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ମିଜୋରାମ ଗସ୍ତ କରି ଦଳ ସପକ୍ଷରେ ବଡ଼ ମାହୋଲ ତିଆରି କରିଥିଲେ। ଏପରିକି ଶାସକ ଏମଏନଏଫ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ଠାରୁ ଦୂରତା ଅବଲମ୍ବନ କରୁଛି। ତେଣୁ ଏବେ ସୋନିଆ ଗାନ୍ଧୀଙ୍କ ଏଭଳି ଆହ୍ୱାନ ଦେଶବ୍ୟାପି ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ପାଲଟିଛି।