ମା’ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ଗୁଳିକାଣ୍ଡ ଘଟଣା, ଜଣଙ୍କର ମୃତ୍ୟୁକୁ ନେଇ ୟୁପିରେ ହିଂସା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଦୁର୍ଗା ମୂର୍ତ୍ତି ବିସର୍ଜନକୁ ନେଇ ସୃଷ୍ଟି ହୋଇଥିବା ତୁମୁଳ କାଣ୍ଡ ଧୀରେ ଧୀରେ ସାଂପ୍ରଦାକ ହିଂସା ଆଡକୁ ଗତି କରୁଛି। ଗତକାଲି ଉତ୍ତର ପ୍ରଦେଶର ବାହାରାଇଚ ଜିଲ୍ଲାର ମହାଶିରେ ଦୁର୍ଗା ମୂର୍ତ୍ତି ବିସର୍ଜନ କରାଯାଉଥିଲା। ଏହି ସମୟରେ ଶୋଭାଯାତ୍ରାରେ ବାଜୁଥିବା ସଂଗୀତକୁ ନେଇ ଗୋଟିଏ ଗୋଷ୍ଠୀ ବିରୋଧ କରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଏବଂ ଗୋଟିଏ ଗୋଷ୍ଠୀର ଲୋକେ ପଥର ମାଡ କରିଥିଲେ। ଏପରିକି ଗୁଳି ମାଡ ମଧ୍ୟ କରାଯାଇଥିଲା। ଏଥିରେ ପାଞ୍ଚଜଣ ଆହତ ହେବା ସହିତ ଗୁଳି ମାଡରେ ରାମ ଗୋପାଳ ନାମକ ୨୨ ବର୍ଷର ଯୁବକ ମୃତ୍ୟୁ ବରଣ କରିଛନ୍ତି। ଏହାକୁ ନେଇ ଆଜି ସେଠାରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଧୀରେ ଧୀରେ ଏହି ଘଟଣା ଚାରିଆଡେ ବ୍ୟାପି ଯିବା ପରେ ସମସ୍ତେ ଏକଜୁଟ ହେବାରେ ଲାଗିଛନ୍ତି। ସେମାନେ ଉତ୍ତ୍ୟକ୍ତ ହୋଇ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ସୃଷ୍ଟି କରିବାରେ ଲାଗିଛନ୍ତି। ଘଟଣାସ୍ଥଳରେ ଗତକାଲିଠାରୁ ପୋଲିସ ମୁତୟନ ହୋଇଥିଲେ ମଧ୍ୟ ପରିସ୍ଥିତି ଶାନ୍ତ ପଡ଼ିନାହିଁ।