ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ କର୍ମଚାରୀ ବିଳମ୍ବରେ ପହଞ୍ଚିବାକୁ ନେଇ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ସେମାନଙ୍କୁ ଆକ୍ରମଣ କରିଛନ୍ତି। ବହଳଦା ଗ୍ରାମରେ ଘଟିଥିବା ଏହି ଆକ୍ରମଣରେ ଫରେଷ୍ଟରଙ୍କ ସମେତ ୬ ଜଣ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ଉଦଳା ବନାଞ୍ଚଳ ଅଧୀନ ବହଳଦା ଗ୍ରାମ। ଅଞ୍ଚଳରେ ହାତୀ ଆତଙ୍କ ଖେଳାଇଥିବା ବେଳେ ବନ ବିଭାଗକୁ ଖବର ଦିଆଯାଇଥିଲା। ମାତ୍ର ବନ କର୍ମଚାରୀମାନେ ଘଟଣାସ୍ଥଳକୁ ଆସିବାରେ ବିଳମ୍ବ କରିବାରୁ ଲୋକଙ୍କ ଧୈର୍ଯ୍ୟଚ୍ୟୁତି ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ବନ ବିଭାଗ ଗାଡ଼ିକୁ ଅଟକାଇବା ସହ କର୍ମଚାରୀମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।