ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍

ଗୋପାଳପୁରର ବହିଷ୍କୃତ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଆଜି ସକାଳୁ ଅତର୍କିତ ଚଢ଼ାଉ କରିଛି ଭିଜିଲାନ୍ସ ଟିମ। ଏହା ସହିତ ତାଙ୍କ ୧୫ ଜଣ ସହଯୋଗୀ ଓ ସମର୍କୀୟଙ୍କ ଘର ଉପରେ ମଧ୍ୟ ଚଢାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ଏହି ଚଢ଼ାଉ। ବର୍ତ୍ତମାନ ୩ଟି ସ୍ଥାନରେ ଚଡାଉ ହୋଇଥିବା ବେଳେ ବହୁତ ଜଲଦି ଅନ୍ୟ ସହଯୋଗୀଙ୍କ ଘରେ ଚଡ଼ାଉ କରାଯିବ ବୋଲି ଜଣାପଡ଼ିଛି । ରେଡ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ପ୍ରଦୀପଙ୍କ ଘନିଷ୍ଠ ସହଯୋଗୀ ସର୍ବେଶ୍ୱର ରାଓଙ୍କ ଘରେ ମଧ୍ୟ ରେଡ୍ କରାଯାଇଥିବା ସୂଚନା ମିଳିଛି।

ଭିଜିଲାନ୍ସ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍ ରିଲିଜ୍‌ରେ କୁହାଯାଇଛି ଯେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନାଁରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ଆସିବା ପରେ ଏକ ଗୁପ୍ତ ଯାଞ୍ଚ କରାଯାଇଥିଲା। ଗୁପ୍ତ ଯାଞ୍ଚ ବେଳେ ବିଧାୟକ ଶ୍ରୀ ପାଣିଗ୍ରାହୀ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ନେଇ ତଥ୍ୟ ମିଳିବା ପରେ ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ୯.୧୨ ୨୦୨୦ରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା। ଏହା ପରେ ୧୧.୧୨.୨୦୨୦ରେ ଲୋକାୟୁକ୍ତ ତାଙ୍କ ବିରୋଧରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହା ପରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯାଇଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ୨୦୦୯ରୁ ୨୦୨୦ ମଧ୍ୟରେ ଶ୍ରୀ ପାଣିଗ୍ରାହୀ ୫ କୋଟି ୫ ଲକ୍ଷ ୪ ହଜାର ୬୫୬ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିଲେ। ଏହି ତଦନ୍ତ ରିପୋର୍ଟକୁ ଲୋକାୟୁକ୍ତଙ୍କୁ ପ୍ରଦାନ କରାଯାଇଥିଲା।
ଲୋକାୟୁକ୍ତ ଏହି ରିପୋର୍ଟକୁ ଭଲ ଭାବେ ଯାଞ୍ଚ କରିଥିଲେ। ତା’ସହିତ ବିଧାୟକ ଶ୍ରୀ ପାଣିଗ୍ରାହୀ ରଖିଥିବା ପକ୍ଷକୁ ପରଖି ଥିଲେ। ଏସବୁ ପରେ ଲୋକାୟୁକ୍ତ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ତଦନ୍ତକୁ ଆଗେଇ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ଏକ ସବିଶେଷ ତଦନ୍ତ ପାଇଁ ଭିଜିଲାନ୍ସ ପକ୍ଷରୁ ୪.୧୦.୨୦୨୧ରେ ମାମଲା ରୁଜୁ କରାଗଲା। ଏହି ମାମଲାରେ ଚଢ଼ାଉ କରିବା ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ଲୋକାୟୁକ୍ତ ଅନୁମତି ପ୍ରଦାନ କରିଥିଲେ। ଆଉ ସେହି ଅନୁସାରେ ଆଜି ବିଧାୟକ ଶ୍ରୀ ପାଣିଗ୍ରାହୀ, ତାଙ୍କ ସଂପର୍କୀୟ ଓ ସହଯୋଗୀଙ୍କ ଘରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ଜଣେ ଏସ୍‌ପି, ୨ ଜଣ ଅତିରିକ୍ତ ଏସ୍‌ପି ଓ ୧୭ ଜଣ ଡିଏସ୍‌ପିଙ୍କ ସହିତ ଅନ୍ୟମାନେ ସାମିଲ ହୋଇଛନ୍ତି।
ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବର ୩ ତାରିଖରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଭାବି ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ଟାଟା କମ୍ପାନୀରେ ଚାକିରି କରାଇ ଦେବାକୁ କହି ସେ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ତାଙ୍କ ନାଁରେ ୬ଟି ମାମଲା ଥିଲା। ଏହି ସବୁ ମାମଲାରେ ଜାମିନ ପାଇବା ପରେ ଗତ ଜୁନ୍‌ ୧୨ ତାରିଖରେ ସେ ଜେଲ୍‌ରୁ ମୁକୁଳି ଥିଲେ। ତେବେ ଆକାଶ ପାଠକ ଏଯାଏଁ ଜେଲ୍‌ରୁ ମୁକୁଳି ପାରି ନାହାନ୍ତି।

Comments (0)
Add Comment