ଭୁବନେଶ୍ୱର: ଗତ କିଛିଦିନ ତଳେ ସୁପ୍ରିମକୋର୍ଟ ବୈଧ ବୀମା ନଥିବା ଗାଡ଼ିଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏହି ଆଦେଶ ଆସିବା ପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓଡ଼ିଶାରେ ଏହିଭଳି ଗାଡ଼ିଗୁଡ଼ିକୁ ଜବତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହିକ୍ରମରେ ଇ-ଡିଟେକ୍ସନ ମାଧ୍ୟମରେ ରାଜ୍ୟର ସମସ୍ତ ଟୋଲଗେଟ୍ ଦେଇ ଯାତାୟାତ କରୁଥିବା ଯାନବାହନର ବୈଧ ବୀମା,ଫିଟନେସ,ପ୍ରଦୂଷଣ ପ୍ରମାଣପତ୍ର ଇତ୍ୟାଦି କାଗଜପତ୍ର ସ୍ବୟଂକ୍ରିୟ ପଦ୍ଧତିରେ ଯାଞ୍ଚ କରାଯିବ। ଯେଉଁ ଗାଡ଼ିଗୁଡ଼ିକର ବୈଧ କାଗଜପତ୍ର ନଥିବ,ସେଗୁଡ଼ିକ ବିରୋଧରେ ସଙ୍ଗେସଙ୍ଗେ ଇ-ଚାଲାଣ ଜାରି କରାଯିବ ଏବଂ ଅଭ୍ୟାସଗତ ନିୟମ ଉଲଂଘନକାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ସ୍ବରୂପ ପଞ୍ଜୀକରଣ ପ୍ରମାଣପତ୍ର ରଦ୍ଦ କରିବା ଓ ଗାଡ଼ି ଜବତ ପାଇଁ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ରାଜ୍ୟରେ ମୋଟ୍ ୧ କୋଟି ୧ ଲକ୍ଷ ୪୧ ହଜାର ୯୫୧ ଟି ଗାଡ଼ି ଗଡ଼ୁଛି। ହେଲେ ମାତ୍ର ୩୫ ଲକ୍ଷ ୬୮ ହଜାର ୩୧୮ ଟି ଗାଡ଼ିର ବୈଧ ବୀମା ରହିଥିବା ବେଳେ ୬୫ ଲକ୍ଷ ୭୩ ହଜାର ୬୩୩ଟି ଗାଡ଼ିର ବୀମା ନାହିଁ। କୌଣସି ଦୁର୍ଘଟଣା ଘଟିଲେ ଉଚିତ୍ କ୍ଷତିପୂରଣ ସୁନିଶ୍ଚିତ କରିବା ପାଇଁ ବୈଧ ବୀମା ଅତ୍ୟନ୍ତ ଜରୁରୀ ହୋଇଥାଏ। ତେଣୁ ଏଭଳି ନିୟମ ଉଲଂଘନକାରୀ ନିଜ ସହ ଅନ୍ୟମାନଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ସ୍ତରରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ସହ ଚଢ଼ଉ ଅଭିଯାନ ଜୋରଦାର କରିବାକୁ କୁହାଯାଇଛି।