ରାଜଧାନୀରେ ପରିବା ଦର ଆକାଶ ଛୁଆଁ : ପିଆଜ ଦର ଏକାଥରକେ ୨୦ ଟଙ୍କା ବୃଦ୍ଧି

କାର୍ତ୍ତିକ ମାସ ଆରମ୍ଭ ନ ହେଉଣୁ ରାଜଧାନୀରେ ପରିବା ଦ୍ଵାର ଆକାଶ ଛୁଆଁ ହେଲାଣି ଇ ରନ୍ଧନ ଗ୍ୟାସ,ତୈଳ ଦର ବୃଦ୍ଧି ପରେ ଏବେ ପୁଣି ଖାଉଟିଙ୍କ ପରିବା ଡ଼ାଲାରେ ହେଇଛି ମହଙ୍ଗା ମାଡ଼ I ସେହିପରି ପିଆଜ ଦର କିଲୋପ୍ରତି ୩୦ ଟଙ୍କାରୁ ଏକାଥରକେ ୨୦ ଟଙ୍କା ବୃଦ୍ଧି ପାଇ କିଲୋ ୫୦ ଟଙ୍କା ରେ ପହଂଚିଛି । ଅଚାନକ ଭାବେ ଏଭଳି ଦର ବୃଦ୍ଧି ଆଜି ସମସ୍ତଙ୍କ ହୋସ୍‌ ଉଡ଼ାଇ ଦେଇଛି । ପରିବା ଦର ଆକାଶଛୁଆଁ ହୋଇଥିବା ବେଳେ ହଠାତ୍ ପିଆଜ ବଜାରରେ ଲାଗିଥିବା ନିଆଁ ଗରିବ ଖାଉଟିଙ୍କ ଉପରେ ଭାରି ପଡିଛି । ମହାରାଷ୍ଟ୍ର, ବେଙ୍ଗାଲୁରୁ ଓ ଆନ୍ଧ୍ରପ୍ରଦେଶରେ ଲଗାଣ ବର୍ଷା କାରଣରୁ ପିଆଜ ଦର ବଢ଼ିଛି ବୋଲି ବ୍ୟବସାୟୀ ମହଲରୁ ସଫେଇ ଦିଆଯାଉଥିଲେ ହେଁ ଏହା ପଛରେ ବଡ଼ବଡ଼ ପାଇକାରୀ ବେପାରୀଙ୍କ ଲାଭଖୋର୍‌ ମନବୃତ୍ତି ହିଁ ଦାୟୀ ବୋଲି ଜଣାପଡ଼ିଛି । ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍‌ କଟକଣା କୋହଳ ହେବା ମଉକାର ଉପୋଯୋଗ କରି ବଡ଼ବଡ଼ ପାଇକାରୀ ବେପାରୀମାନେ ଖାଉଟିଙ୍କୁ ଶୋଷଣ କରିବା ଆରମ୍ଭ କରିଛନ୍ତି ବୋଲି ବଜାର ବିଶେଷଜ୍ଞମାନେ ଅଭିଯୋଗ କରିଛନ୍ତି ।
କିଲୋ ପ୍ରତି ଦର
ପିଆଜ:୫୦ (କିଲୋ ପ୍ରତି)
ଟମାଟୋ:୬୦ ( କିଲୋ ପ୍ରତି)
ଭେଣ୍ଡି-୬୦(କିଲୋପ୍ରତି)
ବିନ୍ସ-୧୨୦ (କିଲୋପ୍ରତି)
ଝୁଡଙ୍ଗ-୮୦(କିଲୋପ୍ରତି)
ବାଇଗଣ-୫୦ରୁ ୬୦ ଟଙ୍କା
ପୋଟଳ-୮୦(କିଲୋପ୍ରତି)
ପେଟ୍ରୋଲ-୧୦୮ ଟଙ୍କା (ଲିଟର ପ୍ରତି)
ଡିଜେଲ-୧୦୦ ଟଙ୍କା(ଲିଟର ପ୍ରତି)
ଗ୍ୟାସ-୯୨୬ ( ସିଲିଣ୍ଡର ପ୍ରତି)
ସୂଚନାନୁସାରେ ଏବେ ପିଆଜର ପାଇକାରୀ ଦର ୩୫ ଟଙ୍କାରୁ ୩୭ ଟଙ୍କା ରହିଛି। ତେଣୁ ଖୁଚୁରା ବଜାର ମୂଲ୍ୟ କିଲୋ ପିଛା ଅତିବେଶିରେ ୪୨ ଟଙ୍କା ହେବା କଥା। ରାଜଧାନୀର କିଛି ହାଟରେ ମଧ୍ୟ ଏହି ଦର ରହିଛି। ୧ ନମ୍ବର ହାଟରେ ପିଆଜ ୪୨ରୁ ୪୫ ଟଙ୍କାରେ ବିକ୍ରି ହେଉଛି। ତେବେ ରାଜଧାନୀ ଉପକଣ୍ଠ ଓ ଗଳିକନ୍ଦି ବଜାରରେ ଆଜି ପିଆଜ କିଲୋ ୫୦ ଟଙ୍କା ହୋଇଯାଇଛି । ଡମଣା ହାଟ, ଭିଏସ୍‌ଏସ୍‌ନଗର ହାଟ ଭଳି ବହୁ ସ୍ଥାନରେ ମଧ୍ୟ ପିଆଜ ଦର ୫୦ ଟଙ୍କା ହୋଇଥିବା ଜଣାପଡ଼ିଛି। କୁବେରପୁରୀର କିଛି ବ୍ୟବସାୟୀଙ୍କ ସୂଚନାନୁସାରେ ଗତ ପ୍ରାୟ ସପ୍ତାହେ ହେଲା କ୍ରମାଗତ ଭାବେ ପିଆଜ ଦର ବଢ଼ୁଛି। ସପ୍ତାହକ ପୂର୍ବରୁ ପାଇକାରୀ ବଜାରରେ ପିଆଜ ଦର କ୍ବିଣ୍ଟାଲ ପିଛା ୨ ହଜାରରୁ ଅଢ଼େଇ ହଜାର ଟଙ୍କା ଥିଲା ।
ତେଣୁ ଖୁଚୁରା ବଜାରରେ କିଲୋ ପିଛା ୨୫ ଟଙ୍କାରୁ ୩୦ ଟଙ୍କା‌ରେ ପିଆଜ ମିଳୁଥିଲା। ମାତ୍ର ଗତ ସପ୍ତାହରେ ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ଲଗାଣ ବର୍ଷା କାରଣରୁ ପିଆଜ ବଜାର ପ୍ରଭାବିତ ହେଲା । ଫଳରେ ଧୀରେଧୀରେ ଦର ବଢ଼ି ଚାଲିଲା । ଦୁଇ ଦିନ ପୂର୍ବେ ବି ପାଇକାରୀ ଦର ୨୭ ଟଙ୍କା ଥିଲା। ତେଣୁ ଖୁଚୁରା ବଜାରରେ ପିଆଜ ୩୦/୩୨ ଟଙ୍କାରେ ମିଳୁଥିଲା। କିନ୍ତୁ ଗତକାଲି ପାଇକାରୀ ବଜାରରେ ତାତି ସୃଷ୍ଟି ହୋଇଛି । ହଠାତ୍ କ୍ବିଣ୍ଟାଲ ପିଛା ପାଖାପାଖି ୮/୧୦ ଟଙ୍କା ବଢ଼ିଯାଇଛି। ତେଣୁ ପାଇକାରୀ ଦର ୩୭ ଟଙ୍କାରେ ପହଞ୍ଚି ଥିବାରୁ ଖୁଚୁରା ବଜାରରେ ପିଆଜ ଦର ୫୦କୁ ଛୁଇଁଛି ।

Comments (0)
Add Comment