ବିଜେପି ଉପରେ ବର୍ଷିଲେ ଠାକରେ

ସରଗରମ ହେଉଛି ମହାରାଷ୍ଟ୍ର ରାଜନିତୀ । ତୀବ୍ର ହେଉଛି ରାଜନୈତିକ ବୟାନ ବାଜି । । ପୁଣି ମୁହାଁମୁହିଁ ହେଲେ ସିନ୍ଦେ ଓ ଠାକରେ । ଦଳୀୟ ଚିହ୍ନ ହାତରୁ ଚାଲିଗଲା ପରେ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି । ଶିବସେନାର ନାମ ଓ ଚିହ୍ନ ସିନ୍ଦେ ଗୋଷ୍ଠୀଙ୍କ ନିକଟକୁ ଚାଲିଯିବା ପରେ ଅମିତ୍ ଶାହା ଏକ ସଭାରେ ‘କ୍ଷୀର କ୍ଷୀର ଆଉ ପାଣି ପାଣି ହୋଇଗଲା’ ବୋଲି କହିଥିଲେ । ଏହାର ଜବାବ୍ ଦେବାକୁ ଯାଇ ମିଷ୍ଟର ଇଣ୍ଡିଆର ଫିଲ୍ମର ଅମ୍ରେଶ ପୁରୀଙ୍କ ଚରିତ୍ରକୁ ଉଦ୍ଧାର କରି ଅମିତ ଶାହାଙ୍କ ଉଦ୍ଦେଶ୍ୟରରେ ‘ମୁଗାମ୍ବୋ ଖୁସ ହୁଆ’ ବୋଲି କଟାକ୍ଷ କରିଛନ୍ତି ଉଦ୍ଧବ ।

ସେହିପରି ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିନ୍ତି । ସେ କହିଛନ୍ତି ଯେ, ୧୯୯୩ରେ ମୁମ୍ବାଇରେ ସିରିଏଲ ବ୍ଲାଷ୍ଟରେ ମୁମ୍ବାଇକୁ ଶିବସେନା ହିଁ ବଞ୍ଚେଇ ଥିଲା । ଏବେ ଯେଉଁମାନେ ହିନ୍ଦୁତ୍ୱ କଥା କହୁଛନ୍ତି ସେତେବେଳେ ସେମାନେ କେଉଁଠି ଥିଲେ । ସେମାନଙ୍କ ଠିକଣା ଜଣା ନଥିଲା । ଏବେ ସେମାନେ ୫୬ ଇଞ୍ଚର ଛାତି ଦେଖାଉଛନ୍ତି । ମୁମ୍ବାଇ ବ୍ଲାଷ୍ଟରେ ବେଳେ ୫୬ ଇଞ୍ଚର ଛାତି କେଉଁଠି ଥିଲା । ଠାକ୍‌ରେ କହିଛନ୍ତି, ଗତ ୭୫ ବର୍ଷ ମଧ୍ୟରେ ଏଭଳି ଝଟ୍‌କା କେବେ କୌଣସି ଦଳକୁ ଲାଗିନ । ନିର୍ବାଚନ କମିସନଙ୍କ ନିଷ୍ପତ୍ତିକୁ ସେ ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି କହିଛନ୍ତି । ଠାକ୍‌ରେ କହିଛନ୍ତି, ମହାରାଷ୍ଟ୍ରକୁ ଆସିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାଲାସାହେବ ଠାକ୍‌ରେଙ୍କ ମାସ୍କ ପିନ୍ଧିବା ଆବଶ୍ୟକ ପଡ଼ିଲା ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସେ କଡ଼ା ସମାଲୋଚନା କରିଛନ୍ତି । ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାକୁ ସିଧାସଳଖ ଚ୍ୟାଲେଂଜ କରି ଠାକରେ କହିଛନ୍ତି, ଚୋରମାନଙ୍କୁ ପବିତ୍ର ‘ଧନୁ ଏବଂ ତୀର’ ଚିହ୍ନ ମିଳିଛି । ସେମାନେ ମଶାଲ ଚିହ୍ନକୁ ବି ନେଇଯିବାକୁ ଷଡ଼ଯନ୍ତ୍ର କରୁଛନ୍ତି । ତେବେ ମୁଁ ସେମାନଙ୍କୁ ଚ୍ୟାଲେଞ୍ଜ କରୁଛି, ଯଦି ସେମାନେ ମଣିଷ ତେବେ ସେମାନେ ଚୋରି କରିନେଇଥିବା ଧନୁ ଏବଂ ତୀର ଚିହ୍ନ ସହ ଆମ ସାମ୍ନାକୁ ଆସନ୍ତୁ ।