ଚର୍ମବିଣ୍ଡି ରୋଗର ପ୍ରତିଷେଧକ ଟୀକା ନିମନ୍ତେ ଟୀକାକରଣ ଦେୟ ଛାଡ଼

ଭୁବନେଶ୍ୱର : ରାଜ୍ୟରେ ଗୋମହିଷାଦିଙ୍କୁ ଦିଆଯାଉଥିବା ଚର୍ମବିଣ୍ଡି ରୋଗର ପ୍ରତିଷେଧକ ଟୀକା ନିମନ୍ତେ ଦେୟ ଛାଡ଼ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଚର୍ମବିଣ୍ଡି ରୋଗର ଟୀକାକରଣ ଦେୟ ଛାଡ଼ କରାଯାଇ ଚିକିତ୍ସାକୁ ତ୍ୱରାନ୍ୱିତ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ରାଜ୍ୟରେ ଚର୍ମବିଣ୍ଡି ରୋଗକୁ ପ୍ରତିହତ କରିବା ପାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ବ୍ୟାପକ ଟୀକାକରଣ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ସମସ୍ତ ଗୋମହିଷାଦିଙ୍କର ଟୀକାକରଣ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି । ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ ଅଦ୍ୟାବଧି ୧୫ ଲକ୍ଷ ଡୋଜ ଟୀକା ରାଜ୍ୟର ବିଭିନ୍ନ ପ୍ରାଣୀଚିକିତ୍ସା କେନ୍ଦ୍ର ଓ ପ୍ରାଣୀଧନ କେନ୍ଦ୍ରକୁ ପଠାଯାଇଛି । ଖୁବ୍‌ଶୀଘ୍ର ଆଉ ୨୭ ଲକ୍ଷ ଡୋଜ ଟୀକା ପଠାଯିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ।
ସୂଚନାଯୋଗ୍ୟ ଯେ ରାଜ୍ୟର ୩୧୪ଟି ଭ୍ରାମ୍ୟମାଣ ୟୁନିଟ ୫୪୧ଟି ପ୍ରାଣୀଚିକିତ୍ସା କେନ୍ଦ୍ର ଏବଂ ୩୨୩୯ଟି ପ୍ରାଣୀସଂପଦ ସହାୟକ କେନ୍ଦ୍ର ମାଧ୍ୟମରେ ଚର୍ମବିଣ୍ଡି ଆକ୍ରାନ୍ତଙ୍କ ଚିକିତ୍ସା କରାଯାଇଛି । ଚର୍ମବିଣ୍ଡି ରୋଗ ବିଷୟରେ ବିଶେଷଜ୍ଞଙ୍କଠାରୁ ପରାମର୍ଶ ପାଇବା ପାଇଁ ଟୋଲ୍‌ ଫି୍ର ୧୫୫୩୩୩ କିମ୍ବା ୧୯୬୨ରେ ଡାଏଲ୍‌ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି ।