ଆଜି ଉତ୍କଳ ଦିବସ। ୧୯୩୬ ମସିହା ଏପ୍ରିଲ ୧, ଆଜିର ଦିନରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶା। ପ୍ରଥମ ଭାଷା ଭିତ୍ତିରେ ଗଠନ ହୋଇଥିବା ପ୍ରଥମ ରାଜ୍ୟକୁ ୮୬ ବର୍ଷ ପୂର୍ଣ୍ଣ ହୋଇ ଆଜି ଆଜି ଓଡିଶା ୮୭ ବର୍ଷରେ ପାଦ ଥାପିଛି I ଗୌରବମୟ ଇତିହାସର ସ୍ମୃତିଚାରଣ କରୁଛି ରାଜ୍ୟ ।
ଆଜି ଓଡିଶାର ବରପୁତ୍ରଙ୍କୁ ଶ୍ରଦ୍ଧାଂଜଳି ଜଣାଉଛି ସାରାରାଜ୍ୟ । ପ୍ରାୟ ପାଞ୍ଚ ଶହ ବର୍ଷ ସୀମାହୀନ, ଜାତିହୀନ ଓ ଭାଷାହୀନ ଅବସ୍ଥାରେ ଖଣ୍ତ-ବିଖଣ୍ତିତ ହୋଇ ରହିବା ପରେ, ଏହି ଦିନରେ ଓଡ଼ିଶା ଏକତ୍ର ହୋଇଥିଲା। ଏକଦା ନିଜର କଳା-ସ˚ସ୍କୃତି, ଭାଷା-ସାହିତ୍ୟ, ବାଣିଜ୍ୟ-ବ୍ୟବସାୟ ଓ ସାମାଜିକ-ସାମରିକ ପରମ୍ପରା ପାଇଁ ଏହି ରାଜ୍ୟ ବିଶେଷ ଭାବେ ପରିଚିତ ଥିଲା । କ୍ରମେ ଏକାଧିକ କାରଣରୁ ପ୍ରଥମେ ଏହାର ସ୍ବାଧୀନତା ଏବ˚ ପରେ ସାମାଜିକ ନିରାପତ୍ତା, ଭାଷା ଓ ସ˚ସ୍କୃତି ଆଦି ସବୁ କିଛି ବିପନ୍ନ ହୋଇଥିଲା । ଏହାର ଭୌଗୋଳିକ ସୀମା ସଙ୍କୋଚନ ପରେ, ଅଣଓଡ଼ିଆମାନେ, ତତ୍ କାଳୀନ ବ୍ରିଟିସ୍ ସରକାରକୁ ପ୍ରଭାବିତ କରି, ଏହାକୁ ଖଣ୍ତ ଖଣ୍ତ କରି ବାଣ୍ଟିନେବାକୁ ମସୁଧା କରିଥିଲେ । ଏପରିକି କେତେକ ବଙ୍ଗୀୟ ପ୍ରକାଶ୍ୟରେ,’ଓଡ଼ିଆ ଏକ ଟା ଭାଷା ନୋଂୟ’ ବୋଲି ମନ୍ତବ୍ୟ ଦେଇଥିଲେ I ଏଣୁ ଏହାକୁ ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ନ ଦେଇ, ବାଂଲା ଭାଷାଭାଷୀ ଅଞ୍ଚଳରେ ମିଶାଇଦେବା ପାଇଁ ମତ ଦେଇଥିଲେ ।ଠିକ ସେତିକିବେଳେ ଓଡ଼ିଶାର ବରପୁତ୍ର ଫକୀରମୋହନ ସେନାପତିଙ୍କ ସମେତ ପଣ୍ତିତ ନୀଳକଣ୍ଠ ଦାଶ, କବିବର ରାଧାନାଥ ରାୟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ସ୍ବଭାବ କବି ଗଙ୍ଗାଧର ମେହେର, ବିଚିତ୍ରାନନ୍ଦ ଦାସ, କର୍ମବୀର ଗୌରୀଶଙ୍କର ରାୟ ଓ ହରିହର ମର୍ଦରାଜ ଦେବ ଆଦିଙ୍କ ନେତୃତ୍ବରେ ପ୍ରତିବାଦର ସ୍ବର ତୀବ୍ର କରିଥିଲେ। ବହୁ ସଂଘର୍ଷ ପରେ ଓଡ଼ିଆ ଭାଷା ମଧ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇଛି। ଓଡ଼ିଆ ଲୋକେ ନିଜର ପ୍ରତିଭା, ଦକ୍ଷତା, ସାହସ ଦେଶ ତଥା ବିଦେଶରେ ପ୍ରମାଣିତ କରିଛନ୍ତି।
ପବିତ୍ର ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଆରେ ଟ୍ୱିଟ୍ କରି ଉତ୍କଳ ଦିବସ ଶୁଭେଚ୍ଛା ଜଣାଇଥିବା ବେଳେ ରାଷ୍ଟ୍ରପତି ହିନ୍ଦି ଭାଷାରେ ଟ୍ୱିଟ୍ କରିଥିଲେ ।
ଉତ୍କଳ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଶୁଭେଚ୍ଛା ବାର୍ତ୍ତା
ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ରାଜ୍ୟବାସୀଙ୍କୁ ଶୁଭେଛା ଜଣାଇଛନ୍ତି । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକଙ୍କୁ ଏହି ଅବସରରେ ଶ୍ରଦ୍ଧାଂଜଳୀ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଆ ଜାତିର ସ୍ୱାଭିମାନଙ୍କୁ ବଜାୟ ରଖିବା ସହ ଓଡ଼ିଶାର ସମୃଦ୍ଧି ପାଇଁ ମିଳିତ ଉଦ୍ୟମକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଓଡ଼ିଶା ଦିବସ ଉପଲକ୍ଷେ ଭିଡିଓ ବାର୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
୮୭ ତମ ଉତ୍କଳ ଦିବସ ଉପଲକ୍ଷେ ଓଡ଼ିଶାବାସୀ ଙ୍କୁ ଭିଡିଓ ବାର୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ I ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନର ମହାନ ପୁରୋଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଭାଷା ଭିତିରେ ଓଡ଼ିଶାକୁ ପ୍ରଥମ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଦେବାରେ ଅନେକ ମହାପୁରୁଷଙ୍କର ତ୍ୟାଗ, ଉତ୍ସାହ ଓ ପ୍ରଚେଷ୍ଟା ଅବିସ୍ମରଣୀୟ । ଏହା ସହ ଗୌରବମୟ ଓଡ଼ିଶା ଇତିହାସରେ ବୀର ସଂଗ୍ରାମୀଙ୍କ ଅବଦାନକୁ ମନେପକାଇଛନ୍ତି । ରାଜ୍ୟର ବିକାଶ ପାଇଁ ପଣ୍ଡିତ ଗୋପବନ୍ଧୁ ଦାସଙ୍କର ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠାର ବିଚାରକୁ ଆପଣାଇବା ଜରୁରୀ । ଓଡ଼ିଆ ଜାତିକୁ ଶକ୍ତିଶାଳୀ, ସମୃଦ୍ଧ ଓ ଭବ୍ୟ କରିବା ପାଇଁ ସଂକଳ୍ପ ନେବାକୁ ପଡ଼ିବ । ଏହା ସହ ଓଡ଼ିଆ ଭାଷାକୁ ଐତିହ୍ୟ ଭଳି ସୁରକ୍ଷିତ ରଖିବା ପାଇଁ ସଂକଳ୍ପ ନେବାକୁ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଛନ୍ତି ।
ଅନ୍ୟପକ୍ଷରେ ଉତ୍କଳ ଦିବସ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ଲାଇଟ୍ ହାଉସ ନିକଟସ୍ଥ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ବନ୍ଦେ ଉତ୍କଳ ଜନନୀ ଥିମ୍କୁ ଆଧାର କରି ଓଡିଶାର ପ୍ରତିଷ୍ଠା ଦିବସରେ ଓଡିଶାର କଳା, ସଂସ୍କୃତି ଓ ବୀରତ୍ୱର ଗାଥାକୁ ବାଲୁକା କଳା ମାଧ୍ୟମରେ ବଖାଣିଛନ୍ତି । ବାଲୁକା କଳାରେ କୋଣାର୍କ ମନ୍ଦିରକୁ ସ୍ଥାନ ଦେବା ସହ ଓଡିଶାର ପ୍ରସିଦ୍ଧ ଓଡିଶୀ ନୃତ୍ୟକୁ ଅତି ସୁନ୍ଦର ଭାବରେ ଦର୍ଶାଇଛନ୍ତି । ୮ ଫୁଟ୍ ଉଚ୍ଚତା ଓ ୨୦ ଫୁଟ୍ ଓସାର ବିଶିଷ୍ଟ ଏହି ବାଲୁକା କଳାରେ ୨୦ ଟନ୍ ବାଲି ଲାଗିଛି । ଏହାକୁ ନିର୍ମାଣ କରିବାକୁ ମାନସଙ୍କୁ ୧୨ ଘଣ୍ଟା ସମୟ ଲାଗିଥିଲା ।
ସେହିପରି ଆଜି ରାଜଧାନୀ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ରଙ୍ଗ ବେରଙ୍ଗ ମୁରୁଜକୁ ବ୍ୟବହାର କରି ଜନସଚେତନତା ଉଦ୍ଦେଶ୍ୟରେ ତିଆରିଛନ୍ତି । ଏକ ସୁନ୍ଦର ସ୍ୱଚ୍ଛ ଓ ସବୁଜିମାମୟ ଓଡ଼ିଶାର ଚିତ୍ର । ଦେଇଛନ୍ତି ସ୍ୱଚ୍ଛତା ଓ ସବୁଜିମାର ବାର୍ତ୍ତା । ସ୍ୱଚ୍ଛ ଓ ସବୁଜିମାଭରା ଓଡ଼ିଶା ନିର୍ମାଣ ପାଇଁ ପ୍ରତିଟି ଓଡ଼ିଆ ଏହି ପୂଣ୍ୟ ଦିବସଟିରେ ସଂକଳ୍ପ ନେବା ପାଇଁ ଶ୍ରୀ ସାହୁ ନିବେଦନ କରିଛନ୍ତି । ସୁଶାନ୍ତ କୁହନ୍ତି ପ୍ରକୃତି ତାର ପ୍ରାକୃତିକ ସମ୍ପଦକୁ ପ୍ରଦାନ କରିବାରେ ଓଡ଼ିଶାକୁ ଅବହେଳା କରିନାହିଁ । ଏହାର ସୁରକ୍ଷା ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ ଚିନ୍ତା ଓ ଚେତନାରେ ପରିବର୍ତ୍ତନ ଆସିବା ନିତାନ୍ତ ଜରୁରୀ । ତେବେ ଯାଇ ଆମେ ଏକ ସ୍ୱଚ୍ଛ ଓ ସବୁଜ ଓଡ଼ିଶାର ସୂର୍ଯ୍ୟୋଦୟକୁ ଦେଖି ।ରିବା ବୋଲି ସୁଶାନ୍ତ ଆଶାପ୍ରକଟ କରିଛନ୍ତି ।
ରାଜ୍ୟର ଆଜି ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ପାଳନ କରାଯାଉଛି। ଓଡ଼ିଶା ଗଠନର ବରପୁତ୍ରଙ୍କୁ ମନେ ପକାଉଛନ୍ତି ଓଡ଼ିଶାବାସୀ। ଭୁବନେଶ୍ୱରର ବିଭିନ୍ନ ଅଫିସ୍ ଓ ଛକ ଆଜି ପାଇଁ ଆଲୋକରେ ସଜା ଯାଇଛି। ରାଜଧାନୀ ଯେପରି ଆଜି ନୂତନ ବଧୂ ବେଶରେ ସଜେଇ ହୋଇଛି।