ବିଦେଶୀ ଡ୍ରୋନ୍‌ ଉପରେ ୧୦୦% ଆମଦାନୀ ଶୁଳ୍କ ଲଗାଇଲା ଆମେରିକା

ନୂଆଦିଲ୍ଲୀ: ଡ୍ରୋନ୍‌ କ୍ଷେତ୍ରରେ ଚୀନ୍‌ ଉପରେ ନିର୍ଭରଶୀଳତା କମାଇବା ଏବଂ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆମେରିକା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବିଦେଶରୁ ଆମଦାନୀ ହେଉଥିବା ନିର୍ଦ୍ଦିଷ୍ଟ ଡ୍ରୋନ୍‌ ଓ ଏହାର ସାମଗ୍ରୀ ଉପରେ ୧୦୦ ପ୍ରତିଶତ ଯାଏଁ ଆମଦାନୀ ଶୁଳ୍କ ଲାଗୁ କରାଯାଇଛି, ଯାହା ଗୁରୁବାରଠାରୁ ଆଧିକାରିକ ଭାବେ କାର୍ଯ୍ୟକାରୀ ହୋଇଛି। ବିଦେଶୀ ଡ୍ରୋନ୍‌ ଏବଂ ଏହାର ଯନ୍ତ୍ରାଂଶ ଉପରେ ଅତ୍ୟଧିକ ନିର୍ଭରଶୀଳତା ଦେଶର ଜାତୀୟ ସୁରକ୍ଷା ପାଇଁ ବଡ଼ ବିପଦ ସୃଷ୍ଟି କରୁଥିବା ଦର୍ଶାଇ ଆମେରିକା ନିଜର ଘରୋଇ ଉତ୍ପାଦନ ଓ ସପ୍ଲାଇ ଚେନ୍‌କୁ ମଜବୁତ୍‌ କରିବାକୁ ଚାହୁଁଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ଅଗଷ୍ଟ ମାସରେ ଏହି ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିଥିଲେ। ନୂତନ ନିୟମ ଅନୁଯାୟୀ, ୨୫ କିଲୋଗ୍ରାମରୁ ଅଧିକ ଓଜନ ବିଶିଷ୍ଟ ଡ୍ରୋନ୍‌, ଥର୍ମାଲ ଇମେଜିଂ ସୁବିଧା ଥିବା ଡ୍ରୋନ୍‌ ଏବଂ ଡ୍ରୋନ୍‌ ଡକିଂ ଷ୍ଟେସନ୍‌ ଉପରେ ଏହି ୧୦୦% କୋଡ଼ା ଶୁଳ୍କ ଲାଗୁ ହେବ। ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ବିଶ୍ୱ ଡ୍ରୋନ୍‌ ବଜାରରେ ଚୀନ୍‌ର ଏକଚାଟିଆ ପ୍ରଭାବ ରହିଛି। ଚୀନ୍‌ର ପ୍ରମୁଖ ଡ୍ରୋନ୍ ନିର୍ମାତା କମ୍ପାନୀ ଡିଜେଆଇ ବିଶ୍ୱ ବଜାରର ଦୁଇ-ତୃତୀୟାଂଶରୁ ଅଧିକ ଅଂଶ ନିଜ ଦଖଲରେ ରଖିଛି। ଆମେରିକାର ଏହି କଠୋର ପଦକ୍ଷେପ ଚୀନ୍‌ର ଡ୍ରୋନ୍‌ ଶିଳ୍ପ ଓ ବ୍ୟବସାୟ ଉପରେ ଶକ୍ତ ଆଘାତ ପହଞ୍ଚାଇବ ବୋଲି ଆଶା କରାଯାଉଛି।