ଗାଁରେ ମିଳିବ ସହରୀ ସୁବିଧା

ଭୁବନେଶ୍ୱର: ଗାଁରେ ମଧ୍ୟ ଏବେ ମିଳିବ ସହରୀ ସୁବିଧା। ପଞ୍ଚାୟତଗୁଡ଼ିକୁ ଅଧିକ ସୁବିଧାସମ୍ପନ୍ନ ଓ ଆକର୍ଷଣୀୟ କରିବା ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। ‘ଗ୍ରାମ ସମ୍ପଦ କାର୍ଯ୍ୟକ୍ରମ’ ଜରିଆରେ ପଞ୍ଚାୟତସ୍ତରରେ ଆଦର୍ଶ ଖେଳ ପଡ଼ିଆ, କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ, ପୋଖରୀ, ପାର୍କ, ପାଠାଗାର ଓ ସ୍ମଶାନ ଭଳି ବିଭିନ୍ନ ଭିତ୍ତିଭୂମିର ବିକାଶ କରାଯିବ। ଏଥିପାଇଁ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ପ୍ରକାଶ ପାଇଛି। ପଞ୍ଚାୟତରେ କେଉଁ ପ୍ରକଳ୍ପର ଆବଶ୍ୟକତା ରହିଛି, ତାହା ଗ୍ରାମସଭା ମାଧ୍ୟମରେ ନିର୍ଦ୍ଧାରଣ କରାଯିବ। ଲୋକଙ୍କ ଆବଶ୍ୟକତା ଓ ପ୍ରସ୍ତାବ ଆଧାରରେ ପଞ୍ଚାୟତିରାଜ ବିଭାଗ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହାତକୁ ନେବ। ଏହାଦ୍ୱାରା ଗ୍ରାମାଞ୍ଚଳରେ ମନୋରଞ୍ଜନ, କ୍ରୀଡ଼ା, ସାମାଜିକ କାର୍ଯ୍ୟ ଓ ସାର୍ବଜନୀନ ସୁବିଧା ଆହୁରି ସୁଦୃଢ଼ ହୋଇପାରିବ। ପଞ୍ଚାୟତସ୍ତରରେ ଆଦର୍ଶ ଖେଳ ପଡ଼ିଆ ସହ ଯୁବକମାନଙ୍କ ପାଇଁ ଜିମ୍‌ର ବ୍ୟବସ୍ଥା ମଧ୍ୟ ରହିବ, ଯାହା ଗ୍ରାମାଞ୍ଚଳ ଯୁବପିଢ଼ିଙ୍କ ପାଇଁ ଅତ୍ୟନ୍ତ ସହାୟକ ହେବ। ଏହାବାହାରେ, ୪୯ ଲକ୍ଷ ଟଙ୍କା ବ୍ୟୟରେ ପ୍ରାୟ ୭୦.୩୨ ଫୁଟ୍‌ ବିଶିଷ୍ଟ ଅଞ୍ଚଳରେ ଆଦର୍ଶ କଲ୍ୟାଣ ମଣ୍ଡପ ଏବଂ ୧୦ ଲକ୍ଷ ଟଙ୍କା ବ୍ୟୟରେ ଛାତ୍ରଛାତ୍ରୀ ଓ ପାଠକଙ୍କ ପାଇଁ ଆଦର୍ଶ ପାଠାଗାର ନିର୍ମାଣ କରାଯିବ।