୯୪ତମ ‘ମନ୍ କି ବାତ୍’ ସଂସ୍କରଣରେ ପିଏମଙ୍କ ବାର୍ତ୍ତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍

ଭୁବନେଶ୍ୱର,ଅକ୍ଟୋବର ୩୦ – ମନ୍ କି ବାତର ୯୪ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୌର ଉର୍ଜା ମାଧ୍ୟମରେ ଅନେକ ଜନଜାତି ମହିଳାଙ୍କୁ ରୋଜଗାର ଦେଉଥିବା ଓଡ଼ିଶାର କେନ୍ଦୁଝର ଜିଲ୍ଲା କରଡାପାଳର ଜନଜାତି ଝିଅ କୁନି ଦେଉରୀଙ୍କ ବିଷୟରେ ଆଲୋକପାତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି ଯେ ଆଜି ଭାରତ ନିଜର ପାରମ୍ପରିକ କୌଶଳକୁ ଆଧୁନିକ ବିଜ୍ଞାନ ସହ ଯୋଡୁଅଛି । ଜନଜାତି ମହିଳାଙ୍କୁ ସୌର ଚାଳିତ ରେଲିଂ ମେସିନରେ ସିଲ୍‌କ କାଟିବାର ତାଲିମ ଦେଇ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଦେଉଥିବା କୁନି ନାରୀ ସଶକ୍ତିକରଣର ଅନନ୍ୟ ଉଦାହରଣ । ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସୌର ଉର୍ଜାର ଉପଯୋଗ ଏବଂ ଓଡ଼ିଶାର ଜନଜାତି ଝିଅର ଉଦାହରଣ ମାଧ୍ୟମରେ ମହିଳା ସଶକ୍ତିକରଣର ଏହି ବାର୍ତ୍ତା ଯୁବ ସମାଜକୁ ନିଶ୍ଚୟ ପ୍ରରିତ କରିବ ।

ସେହିପରି ଦେଶରେ ନବସୃଜନ ଓ ଗବେଷଣାର ନୂଆ ଧାରା ତିଆରି କରି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଂଶସିତ ହୋଇଥିବା ଆଇଆଇଟି ଭୁବନେଶ୍ୱରକୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମନ କି ବାତରେ ଆଇଆଇଟି ଭୁବନେଶ୍ୱରର ଏକ ଟିମ୍ ଦ୍ୱାରା ନବଜାତ ଶିଶୁଙ୍କ ପାଇଁ ବିକଶିତ ଟେକ୍ନୋଲୋଜିକୁ ପ୍ରଂଶସା କରି ଆଇଆଇଟି ଛାତ୍ରଛାତ୍ରୀଙ୍କ ମନୋବଳକୁ ବଢ଼ାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ‘ଜୟ ଅନୁସନ୍ଧାନ’ ନାରାରେ ଆଇଆଇଟି ଭୁବନେଶ୍ୱର ନବଜାତ ଶିଶୁଙ୍କ ପାଇଁ ପୋର୍ଟେବଲ୍ ଭେଣ୍ଟିଲେଟର ବିକଶିତ କରିଛି । ବ୍ୟାଟେରୀ ଚାଳିତ ପୋର୍ଟେବଲ୍ ଭେଣ୍ଟିଲେଟରକୁ ଦୁର୍ଗମ ଅଞ୍ଚଳରେ ସହଜରେ ବ୍ୟବହାର କରାଯାଇପାରିବ । ସମୟ ପୂର୍ବରୁ ଜନ୍ମ ହେଉଥିବା ନବଜାତ ଶିଶୁଙ୍କୁ ବଞ୍ଚାଇବାରେ ଏହି ଟେକ୍ନୋଲୋଜି ସହାୟକ ହେବ । ସମସ୍ତ ଆଇଆଇଟି ଅନୁଷ୍ଠାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଓ ପ୍ରେରଣାଦାୟୀ ବାର୍ତ୍ତା ଏହି ଦଶନ୍ଧିକୁ ଭାରତର ଟେକେଡ୍ ବନାଇବାରେ ମାର୍ଗ ପ୍ରଶସ୍ତ କରିବ । ସମସ୍ତ ଆଇଆଇଟି ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନ ସଂସ୍ଥା ଗୁଡ଼ିକ ଏଭଳି ଅଭିନବ ପ୍ରୟୋଗ ଏବଂ ଅନୁସନ୍ଧାନକୁ ଗତି ପ୍ରଦାନ କରି ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତିର ଲକ୍ଷ୍ୟକୁ ପୂରଣ କରିବା ତଥା ଏକ ବିକଶିତ ଭାରତ ପାଇଁ ସଂକଳ୍ପବଦ୍ଧ ।  

ସୋଲାର ସେକ୍ଟର ଠାରୁ ସ୍ପେଶ ସେକ୍ଟର ପର୍ଯ୍ୟନ୍ତ ଆମର ଯୁବବର୍ଗଙ୍କ ଉପଲବ୍ଧି ଦେଶବାସୀବାସୀଙ୍କୁ ଗର୍ବ କରିବାର ଅବସର ଦେବ । ଦେଶର ଯୁବସାଥୀମାନେ ୨୦୪୭ରେ ଭାରତକୁ ସବୁଠୁ ଅଗ୍ରଣୀ ଦେଶ କରିବେ । ଛାତ୍ରଶକ୍ତି ଏବଂ ଦେଶ ନିର୍ମାଣରେ ଯୁବଶକ୍ତିଙ୍କ ସହଭାଗିତା ଏବଂ ପ୍ରୟାସ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି