ବାରଙ୍ଗରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ  

ଭୁବନେଶ୍ୱର: କଟକ ଜିଲ୍ଲାର ବାରଙ୍ଗ ସ୍ଥିତ ଦାଢ଼ାପାଟଣା ଠାରେ ଆୟୋଜିତ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ସାମିଲ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ସମେତ ଦେଶର ସବୁ ପଞ୍ଚାୟତ ଓ ସହରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି ବୋଲି କହିଛନ୍ତି । ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର,ପିଏମ ଉଜ୍ଜ୍ୱଳା ଯୋଜନାରେ ଲୋକଙ୍କୁ ମାଗଣା ରୋଷେଇ ଗ୍ୟାସ,ଗରିବ କଲ୍ୟାଣ ଅନ୍ନ ଯୋଜନା,ତଥା ଜନଔଷଧୀ କେନ୍ଦ୍ର ଜରିଆରେ ମାଗଣା ଔଷଧ ଯୋଗାଇଦେବା ଭଳି ଜନକଲ୍ୟାଣକାରୀ ଯୋଜନା ମୋଦି ସରକାରଙ୍କ ସଂକଳ୍ପ ହୋଇଛି । କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିବା ବେଳେ ମୋଦି ସରକାର ଏବେ ସୁଦ୍ଧା ଓଡ଼ିଶା ପ୍ରତି ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି। ସମସ୍ତଙ୍କୁ ସ୍ୱାଭିମାନ ସହ ବଞ୍ଚିବାର ସ୍ୱପ୍ନକୁ ସାକାର କରିବା ପାଇଁ ମୋଦିଜୀ ଅନେକ କାର୍ଯ୍ୟକ୍ରମ କରିଛନ୍ତି । ଓଡ଼ିଶାରେ ମୋଦିଙ୍କ ପ୍ରତି ଜନଆସ୍ଥା ବଢିଛି । ଆମେ ସମସ୍ତେ ତାଙ୍କ ନେତୃତ୍ୱରେ ବିକଶିତ ଗଠନ କରିବା ପାଇଁ ନିଜ ନିଜର ଯୋଗଦାନ ରଖିବା ଦରକାର । ସବକା ସାଥ-ସବକା ବିକାଶ ମନ୍ତ୍ରରେ ଅନ୍ୟମାନଙ୍କୁ ବିକଶିତ ଭାରତ ଗଠନରେ ସହଯୋଗ କରିବା ପାଇଁ ଆଗଭର ହେବା ପାଇଁ ଶ୍ରୀ ପ୍ରଧାନ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।ଏହି ଅବସରରେ ଶ୍ରୀ ପ୍ରଧାନ ଲୋକମାନଙ୍କୁ ‘ବିକଶିତ ଭାରତ ସଂକଳ୍ପ’ର ଶପଥ ପାଠ କରାଇଥିଲେ । ଏହାସହ କେନ୍ଦ୍ରମନ୍ତ୍ରୀ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର ଲାଭାର୍ଥୀଙ୍କୁ ଭେଟିବା ସହ ଆୟୋଜିତ ପ୍ରଦର୍ଶନୀ ବୁଲି ଦେଖିଥିଲେ ।