ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୧୨ – ଭାରତ ଉପରେ ବିଶ୍ୱ ଅନେକ ଅପେକ୍ଷା ରଖିଛି । ତେଣୁ ଯୁବଶକ୍ତି ନିଜ ଅଧିକାର ବିଷୟରେ ସଚେତନ ହେବା ବେଳେ ଏହି ବିଷୟକୁ ହୃଦୟଙ୍ଗମ କରନ୍ତୁ । ଦେଶ ପ୍ରତି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ବୁଝିବା ସହ ବୈଶ୍ୱିକ ସମସ୍ୟାକୁ ସମାଧାନ କରିବା ପାଇଁ ଅଧିକ ଯତ୍ନଶୀଳ ହେବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶୁକ୍ରବାର ନୂଆଦିଲ୍ଲୀ ଠାରେ ଦୁଇଟି ପୃଥକ କାର୍ଯ୍ୟକ୍ରମ “ଯୁବ ସମ୍ବାଦ : ଭାରତ @ ୨୦୪୭” ଏବଂ “ବୀରଗାଥା ପ୍ରତିଯୋଗିତା ପୁରସ୍କାର” ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ଶହୀଦ ଭଗତ ସିଂହ, ଶହୀଦ ବାଜି ରାଉତଙ୍କ ଭଳି ଅନେକ ସଂଗ୍ରାମୀ ଆମକୁ ପ୍ରେରଣା ଦେଇ ଆସିଛନ୍ତି । ଭାରତର ସମ୍ପନ୍ନ ସଭ୍ୟତାକୁ ଆଗକୁ ନେବାର ଦାୟିତ୍ୱ ଉର୍ଜାବାନ ଯୁବପିଢିଙ୍କ ଉପରେ ନ୍ୟସ୍ତ ରହିଛି । ଏକବିଂଶ ଶତାବ୍ଦୀରେ ଭାରତୀୟ ପରମ୍ପରା, ମୂଲ୍ୟବୋଧ, ଜ୍ଞାନକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ଦାୟିତ୍ୱ ମଧ୍ୟ ନୂଆପିଢ଼ିଙ୍କର । ଯେଉଁ ଆନ୍ତରିକତା ଏବଂ ଆତ୍ମବିଶ୍ୱାସରେ ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମୀମାନେ ଲଢ଼ିଥିଲେ ସେହି ଆତ୍ମବିଶ୍ୱାସ ଓ ଆନ୍ତରିକତାର ସହ ବର୍ତ୍ତମାନର ଯୁବପିଢି ଅମୃତ କାଳର ଆଗାମୀ ୨୫ ବର୍ଷରେ ଭାରତକୁ ଶିଖରକୁ ନେବା ପାଇଁ ଉଦ୍ୟମ କରିବା ଆବଶ୍ୟକ ।
ଆମ ଯୁବବର୍ଗଙ୍କ ପ୍ରତିଭା, ଦୃଢ଼ ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରେରଣାଦାୟୀ ଓ ଉତ୍ସାହପୂର୍ଣ୍ଣ । ବିଶେଷ ଭାବରେ ଆମେ ଯେତେବେଳେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଅଛେ ସେହି ସମୟରେ ଯୁବ ବ୍ୟପାର ମନ୍ତ୍ରଣାଳୟ ପକ୍ଷରୁ ଯୁବ ସମ୍ବାଦ ଶୀର୍ଷକ ଆଲୋଚନା ଚକ୍ର ଦେଶରେ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବ ।
ସେହିପରି ଶିକ୍ଷା ମନ୍ତ୍ରଣାଳୟ ସହଯୋଗରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ‘ଦ ବୀରଗାଥା ପ୍ରକଳ୍ପ ଅଧୀନ’ରେ ବୀର ଗାଥା ପ୍ରତିଯୋଗିତାର ବିଜୟୀ ୨୫ ଜଣ ପ୍ରତିଯୋଗୀଙ୍କୁ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ସହ ମିଶି ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ବୀରଗାଥା ପ୍ରକଳ୍ପ ଯୁବବର୍ଗଙ୍କ ପାଇଁ ଦେଶଭକ୍ତି ଏବଂ ଆମର ହିରୋମାନଙ୍କୁ ସମ୍ମାନ ଦେବାର ଏକ ନୂଆ ପରମ୍ପରା ତିଆରି କରିଛି । ଶିକ୍ଷା ମନ୍ତ୍ରଣାଳୟ ଖୁବ ଶୀଘ୍ର ବୀରଗାଥା ପ୍ରକଳ୍ପ ଅନ୍ତର୍ଗତ ଏକାଡେମିକ୍ କ୍ରେଡିଟ୍ ପ୍ରଦାନ ପାଇଁ ଏକ ଶିକ୍ଷାନୁଷ୍ଠାନ ଭିତ୍ତିକ ମେକାନିଜିମ ବିକଶିତ କରିବ, ଯେଉଁଥିରେ ପ୍ରତିଯୋଗୀମାନେ ପ୍ରମାଣପତ୍ର ପାଇ ପାରିବେ ।
ପିଲାବେଳରୁ ‘ଦେଶ ପ୍ରତି ଦାୟିତ୍ୱ ଭାବନାକୁ ଅଧିକ ଉଜାଗର କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ବିଚାରବିମର୍ଷ କରାଯାଇ ଶିକ୍ଷା ମନ୍ତ୍ରଣାଳୟ ବିଗତ ୭୫ ବର୍ଷର ଆମର ସୈନିକ ମାନଙ୍କର ବୀରତ୍ୱ ଏବଂ ଭାରତର ବୀରଗାଥାକୁ ବିଦ୍ୟାଳୟ ପାଠ୍ୟକ୍ରମ ଓ ପାଠ୍ୟ ପୁସ୍ତକରେ ସାମିଲ କରିବା ପାଇଁ କାର୍ଯ୍ୟ କରିବ ।ସେହିପରି ଦେଶର ସୈନିକଙ୍କ ଗୌରବାର୍ଥେ ଏହି ସୁପର ୨୫ ପ୍ରତିଯୋଗିତାକୁ ସେନା ସୁପର ୨୫ରେ ନାମକରଣ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ଚଳିତବର୍ଷ ୫ ହଜାର ବିଦ୍ୟାଳୟର ୮ ଲକ୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜନ କରାଯାଇଥିଲା । ଆଗାମୀ ଦିନରେ ୧ କୋଟି ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ କାମ କରିବ ବୋଲି ସେ କହିଛନ୍ତି ।
“ଯୁବ ସମ୍ବାଦ : ଭାରତ @ ୨୦୪୭” କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଇଁ ଆୟୋଜିତ ଏକ ଫଟୋ ପ୍ରଦର୍ଶନୀ ଦେଖିଥିଲେ ।